ପୁଣି ନିରାଶ ହେଲା ନିରବ ମୋଦୀ, ୫ମ ଥର ପାଇଁ ଜାମିନ ଆବେଦନ ଖାରଜ କଲେ ବ୍ରିଟିଶ ହାଇକୋର୍ଟ

ଲଣ୍ଡନ : ପୁଣି ନିରାଶ ହୋଇଛି ୧୩ ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ । ଗୁରୁବାରଦିନ ୟୁକେ ହାଇକୋର୍ଟ ( ରୟାଲ କୋର୍ଟ ଅଫ ଜଷ୍ଟିସ) ତାର ଜାମିନ ଆବେଦନକୁ ୫ମ ଥର ପାଇଁ ଖାରଜ କରି ଦେଇଛନ୍ତି । ଆସନ୍ତା ମେ ମାସରେ ଭାରତକୁ ତା’ର ପ୍ରତ୍ୟାର୍ପଣ ମାମଲାର ଶୁଣାଣି ହେବ ।

ପୂର୍ବରୁ ନିରବ ମୋଦୀ ଜାମିନ ପାଇଁ ୪ ଥର ଆବେଦନ କରି ବିଫଳତାର ସାମନା କରିଛି । ପ୍ରଥମ ତିନି ଥରରେ ସେ ୨ ନିୟୁତ ପାଉଣ୍ଡର ସିକ୍ୟୁରିଟି ରାଶି ହେବାକୁ ପ୍ରସ୍ତାବ ଦେଇଥିବାବେଳେ ୪ର୍ଥ ଥର ୪ ନିୟୁତ ପାଉଣ୍ଡ ପ୍ରଦାନ ପାଇଁ ପ୍ରସ୍ତାବ ଦେଇଥିଲା । ଗତ ବର୍ଷ ମେ ମାସରେ ଲଣ୍ଡନର େଓ୍ଵଷ୍ଟମିନିଷ୍ଟର କୋର୍ଟ ନିରବର ଜାମିନ ଆବେଦନକୁ ଖାରଜ କରିବା ପରେ ନିରବ ମୋଦି ୟୁକେ ହାଇକୋର୍ଟ (ରୟାଲ କୋର୍ଟ ଅଫ ଜଷ୍ଟିସ)ରେ ଆବେଦନ କରିଥିଲା ।

୨୦୧୯ ମାର୍ଚ୍ଚ ୨୦ ତାରିଖରେ ଲଣ୍ଡନରେ ସ୍କଟଲାଣ୍ଡ ୟାର୍ଡ ପୁଲିସ ନିରବ ମୋଦିକୁ ଗିରଫ କରିଥିଲା । ସେହି ଦିନଠାରୁ ସେ ଲଣ୍ଡନର ଓ୍ଵାଣ୍ଡସଓ୍ଵର୍ଥ ଜେଲରେ ରହିଛି । ମାର୍ଚ୍ଚ ୯ ତାରିଖରେ ନିରବ ମୋଦିଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲା ବ୍ରିଟେନ। ବ୍ରିଟିଶ ଗୃହ ସଚିବ ସଜିଦ ଜାଭିଦ ଏହି ଅନୁରୋଧକୁ ଗ୍ରହଣ କରି ନିରବଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ ବୋଲି ଜଣାଇଥିଲେ ।

ସମ୍ବନ୍ଧିତ ଖବର