ନିରବ ମୋଦିର ଜାମିନ ଆବେଦନ ଖାରଜ, ପ୍ରତ୍ୟାର୍ପଣ ଆଶା ବଢିଲା

ଲଣ୍ଡନ : ଆଜି ଲଣ୍ଡନର େଓ୍ଵଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ପଳାତକ ହୀରା ବ୍ୟବସାୟୀ ତଥା ୧୩ ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିର ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଦେଇଛନ୍ତି । ଏହା ଫଳରେ ନିରବ ମୋଦି ଏବେ ଜେଲରେ ରହିବ । ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୨୬ରେ ହେବ । ଅପରପକ୍ଷରେ ଭାରତକୁ ତାହାର ପ୍ରତ୍ୟାର୍ପଣ ଆଶା ଉଜ୍ଜଳ ହୋଇଯାଇଛି ।

ଏହାପୂର୍ବରୁ ଭାରତୀୟ ତଦନ୍ତକାରୀ ସଂସ୍ଥାଙ୍କ ତରଫରୁ କେସ ଲଢୁଥିବା ଓକିଲ ଟୋବି କ୍ୟାଡମ୍ୟାନ ବିଚାରପତିଙ୍କୁ କହିଥିଲେ ଯେ ନିରବ ମୋଦି ଜଣେ ସାକ୍ଷୀକୁ ହତ୍ୟା ଧମକ ଦେଇଥିଲେ ଓ ଆଉ ଜଣକୁ ଲାଞ୍ଚ ଦେବାକୁ କହିଥିଲେ । ଆହୁରିମଧ୍ୟ ଯଦି ତାଙ୍କୁ ଜାମିନ ଦିଆଯାଏ ସେ ଫେରାର ହୋଇଯିବାର କିମ୍ବା ତଥ୍ୟପ୍ରମାଣରେ ହସ୍ତକ୍ଷେପ କରିବାର ଆଶଙ୍କା ରହିଛି । ଏଣୁ ତାଙ୍କର ଜାମିନ ଆବେଦନକୁ ରଦ୍ଦ କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ ।
ଏହି ମାମଲାରେ ସହାୟତା ପାଇଁ ଭାରତ ସରକାର ଇଡି (ଏନଫୋର୍ସମେଣ୍ଟ ଡାଇରୋକ୍ଟୋରେଟ)ର ଏକ ଦଳ ସେଠାକୁ ସମସ୍ତ ପ୍ରକାରର ତଥ୍ୟ ପ୍ରମାଣ ସହ ପଠାଇଛନ୍ତି । ଏହି ଦଳର ମୁଖ୍ୟ ଅଛନ୍ତି ଯୁଗ୍ନ ନିର୍ଦ୍ଦେଶକ ସତ୍ୟବ୍ରତ କୁମାର ।

ସମ୍ବନ୍ଧିତ ଖବର