ନିର୍ଭୟା ମାମଲା : ଦୋଷୀ ମୁକେଶର ଶେଷ ଚାଲ୍‌ ବିଫଳ, କ୍ଷମା ଆବେଦନ ରଦ୍ଦ ବିରୋଧରେ ଆବେଦନ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ବିନୟ କ୍ଷମା ଆବେଦନ ଦାଖଲ କଲା, ନିର୍ଭୟା ଦୋଷୀଙ୍କ ଫାଶୀ ପୁଣି ଟଳି ପାରେ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ମୁକେଶକୁ ସୁପ୍ରିମ୍‌ କୋର୍ଟରେ ଆଜି ଝଟ୍‌କା ଲାଗିଛି ଏବଂ ଫାଶୀରୁ ବର୍ତ୍ତିବା ପାଇଁ ତା’ର ଶେଷ ଚାଲ୍‌ ବିଫଳ ହୋଇଛି। ରାଷ୍ଟ୍ରପତିଙ୍କ ଦ୍ବାରା କ୍ଷମା ଆବେଦନ ଖାରଜ ହେବା ପରେ ଏହା ବିରୋଧରେ ମୁକେଶ ସୁପ୍ରିମ୍‌ କୋର୍ଟରେ ମାମଲା ରୁଜୁ କରିଥିଲା। ଆଜି କୋର୍ଟ ମୁକେଶର ଆବେଦନକୁ ଖାରଜ କରିବା ସହ ଏଭଳି ମାମଲାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ଜଷ୍ଟିସ ଆର୍‌ ଭାନୁମତୀ, ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏଏସ୍‌ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

ଗତକାଲି ମୁକେଶର ‌ଓକିଲ ଅଂଜନା ପ୍ରକାଶ କୋର୍ଟରେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ନିକଟରେ ଅନେକ ଦସ୍ତାବିଜ ରଖାଯାଇଥିଲେ ମଧ୍ୟ ଏହାକୁ ବିଚାରକୁ ନିଆଯାଇ ନାହିଁ। ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ସାମ୍ବିଧାନିକ ସମୀକ୍ଷା ହେବା ଜରୁରୀ ବୋଲି ସେ କହିଥିଲେ। ଏହା ବ୍ୟତୀତୀ ମୁକେଶ ଜେଲ୍‌ରେ ଯୌନ ଉତ୍ପୀଡ଼ର ଶିକାର ହୋଇଥିବା ସେ କହିଥିଲେ। ତେବେ ଖଣ୍ଡପୀଠ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଏହି ମାମଲାର କୌଣସି ବଳିଷ୍ଠ ଆଧାର ନାହିଁ ଏବଂ ଜେଲ୍‌ରେ ଯନ୍ତ୍ରଣା ଭୋଗିବା ସହ କ୍ଷମା ମାମଲାର କିଛି ସଂପର୍କ ନାହିଁ । ଆଜି ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତି ପରେ ନିର୍ଭୟାଙ୍କ ମା’ ଆଶାଦେବୀ କହିଛନ୍ତି ଯେ ଏବେ ଆମକୁ ନ୍ୟାୟ ମିଳିବ ଏବଂ ଦୋଷୀମାନଙ୍କୁ ଫେବ୍ରୁଆରି ୧ରେ ହିଁ ଫାଶୀ ଦଣ୍ଡ ଦିଆଯିବ ବୋଲି ଆମେ ଆଶା ରଖିଛୁ। ପଟିଆଲା ହାଉସ୍‌ କୋର୍ଟ ପ୍ରଥମେ ୨୨ ଜାନୁଆରି ସକାଳ ୭ଟାରେ ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦେବାପାଇଁ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ। ତେବେ ଦୋଷୀ ମୁକେଶର କ୍ଷମା ଆବେଦନ ଦାଖଲ ଯୋଗୁଁ ଏଥିରେ ବିଳମ୍ବ ହୋଇଥିଲା ।

ସମ୍ବନ୍ଧିତ ଖବର