ନିର୍ଭୟା ମାମଲା: ଫାଶୀ ଉପରେ ରହିତାଦେଶ ପାଇଁ ଦୋଷୀଙ୍କ ଆବେଦନ

ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଲେ ଅଦାଲତ

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦ୍ବିତୀୟ ଥର ପାଇଁ ଜାରି ହୋଇଥିବା ଡେଥ୍‌ ୱାରେଣ୍ଟ ମଧ୍ୟ ଫେବ୍ରୁଆରି ୧ରେ କାର୍ଯ୍ୟକାରୀ ହେବାନେଇ ଅନିଶ୍ଚିତତା ଦେଖାଦେଇଛି। ଫାଶୀ ରୋକିବା ପାଇଁ ୪ ଜଣ ଦୋଷୀ (ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତା) ଆଜି ପୁଣି ପଟିଆଲା ହାଉସ୍‌ କୋର୍ଟରେ ଆବେଦନ ଦାଖଲ କରିଛନ୍ତି। ସେମାନଙ୍କ ପାଖରେ ନ୍ୟାୟିକ ବିକଳ୍ପ ସୁଯୋଗ ରହିଥିବାରୁ ଏହା ପୂର୍ବରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାକୁ ଦୋଷୀଙ୍କ ଓକିଲ ଏ ପି ସିଂହ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ତିହାର ଜେଲ୍‌ ପ୍ରଶାସନ ଆସନ୍ତାକାଲି ସକାଳ ୧୦ଟା ସୁଦ୍ଧା ରିପୋର୍ଟ ତଲବ କରିଛନ୍ତି। ଫାଶୀ ଟାଳିବା ପାଇଁ ଦୋଷୀଙ୍କ ପକ୍ଷରୁ ଅହରହ ପ୍ରୟାସ ଜାରି ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଦ୍ବିତୀୟ ଡେଥ୍‌ ୱାରେଣ୍ଟ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କୁହାଯାଉଛି। ଏପି ସିଂହ ଆଜି ପଟିଆଲା ହାଉସ୍‌ କୋର୍ଟରେ ଆବେଦନ ଦାଖଲ କରି କହିଛନ୍ତି ଯେ ଏହି ଅପରାଧ ମାମଲାରେ ସମସ୍ତ ବିକଳ୍ପ ଶେଷ ହୋଇନଥିବାରୁ ଦୋଷୀମାନଙ୍କୁ ସେମାନଙ୍କ ନ୍ୟାୟିକ ପ୍ରକ୍ରିୟା ଶେଷ କରିବା ନିମନ୍ତେ ସୁଯୋଗ ମିଳିବା ଜରୁରୀ।

ଦୋଷୀ ଅକ୍ଷୟର କ୍ୟୁରେଟିଭ୍‌ ପିଟିସନ ଖାରଜ
ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂହ ଠାକୁରର କ୍ୟୁରେଟିଭ୍‌ ପିଟିସନକୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇଛନ୍ତି। ପାଶୀ ଉପରେ ରହିତାଦେଶ ଲଗାଇବା ପାଇଁ କରାଯାଇଥିବା ଏହି ଆବେଦନ କୌଣସି ଗୁରୁତ୍ବ ରଖୁନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଅନ୍ୟପକ୍ଷରେ ଦୋଷୀ ବିନୟ ଗତକାଲି ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ ଦାଖଲ କରିଥିବା ବେଳେ ଅନ୍ୟତମ ଦୋଷୀ ପବନ ଏ ପର୍ଯ୍ୟନ୍ତ କ୍ୟୁରେଟିଭ୍‌ ପିଟିସନ୍‌ କିମ୍ବା କ୍ଷମା ଆବେଦନ ଦାଖଲ କରିନାହିଁ। ଫାଶୀ ତାରିଖ ଗଡ଼ାଇବା ପାଇଁ ଯୋଜନାବଦ୍ଧ ପ୍ରୟାସ ଜାରି ରହିଛି।

ସମ୍ବନ୍ଧିତ ଖବର