ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ଫାଶୀ ଟାଳିବା ପାଇଁ ନୂଆ ନୂଆ କୌଶଳ ଅବଲମ୍ବନ କରୁଛନ୍ତି। ଏହି ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ଗତ ୧୬ ତାରିଖ ଦିନ ତିହାର ଜେଲ୍‌ରେ ଏକ କାନ୍ଥରେ ନିଜ ମୁଣ୍ଡକୁ ପିଟି ଆହତ ହୋଇଥିବା ବେଳେ ଆଜି ନିଜକୁ ମାନସିକ ରୋଗୀ ଭାବେ ଦର୍ଶାଇ ପଟିଆଲା ହାଉସ୍‌ କୋର୍ଟର ଦ୍ବାରସ୍ଥ ହୋଇଛି। ବିନୟର ଆବେଦନ ଉପରେ ଆଜି କୋର୍ଟ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତ ରିପୋର୍ଟ ମାଗିବା ସହ ବିନୟର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଏହି ମାମଲାରେ ପୁଣି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ବିନୟ ଶର୍ମା ପକ୍ଷରୁ ଆବେଦନ ଦାଖଲ କରିଥିବା ଓକିଲ ଏ ପି ସିଂହ କହିଛନ୍ତି ଯେ ବିନୟର ମାନସିକ ସ୍ଥିତି ଠିକ୍‌ ନାହିଁ ଏବଂ ତାକୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ଆବଶ୍ୟକ। ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ନିଜ ମା’କୁ ମଧ୍ୟ ଚିହ୍ନି ପାରିନାହିଁ ବୋଲି ସେ କହିଛନ୍ତି। କିଛିଦିନ ତଳେ ବିନୟ ଏପି ସିଂହଙ୍କୁ ଆଉ ନିଜ ଓକିଲ ଭାବେ ଗ୍ରହଣ କରିବ ନାହିଁ ଏବଂ ନୂଆ ଓକିଲଙ୍କ ସହାୟତା ଲୋଡ଼ିବ ବୋଲି କହିଥିବା ବେଳେ ଆଜି ବିନୟ ପକ୍ଷରୁ ହଠାତ୍‌ ଏପି ସିଂହ ମାମଲା ଦାଖଲ କରିବା ଚର୍ଚ୍ଚାର ବିଷୟ ହୋଇଛି। ଫାଶୀ ଦଣ୍ଡକୁ ଟାଳିବା ପାଇଁ ଦୋଷୀ ଏବଂ ସେମାନଙ୍କ ଓକିଲ ନୂଆ ନୂଆ କୌଶଳ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି।

Advertisment

ଫାଶୀ ଟାଳିବାକୁ ଆଉ ଏକ କୌଶଳ, ନିର୍ବାଚନ କମିସନଙ୍କଠାରେ ଆବେଦନ
ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀ ବିନୟ ଶର୍ମା ଆଉ ଏକ ନୂଆ ଚାଲ୍‌ ଖେଳିଛି। ସୁପ୍ରିମ୍‌ କୋର୍ଟରୁ ନିରାଶ ହେବା ପରେ ବିନୟ ଏବେ ନିର୍ବାଚନ କମିସନଙ୍କଠାରେ ଆବେଦନ ଦାଖଲ କରିଛି। ଏହି ଆବେଦନରେ କୁହାଯାଇଛି ଯେ ଯେତେବେଳେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ୨୯ ଜାନୁଆରିରେ ରାଷ୍ଟ୍ରପତିଙ୍କ ପାଖରେ ବିନୟର କ୍ଷମା ଆବେଦନ ଖାରଜ କରିବାକୁ ସୁପାରିସ କରିଥିଲେ, ସେତେବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲା। ଏହି ସମୟରେ ସେ ମନ୍ତ୍ରୀ ନଥିଲେ କି ବିଧାୟକ ନଥିଲେ ବୋଲି ଏହି ଆବେଦନରେ ଦର୍ଶାଯାଇଛି । ସତ୍ୟେନ୍ଦ୍ର ଜୈନ ୩୦ ଜାନୁଆରିରେ ଏ ବାବଦ ସୁପାରିସ୍‌ରେ ଦସ୍ତଖତ କରିଥିଲେ ଏବଂ ତାହା ବେଆଇନ ବୋଲି ବିନୟର ଓକିଲ ଏ.ପି. ସିଂହ କହିଛନ୍ତି।