ନିର୍ଭୟା ମାମଲା : ଦୋଷୀଙ୍କ ଫାଶୀ ପୁଣି ଘୁଞ୍ଚିଲା

ନୂଆଦିଲ୍ଲୀ : ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦେ‌ାଷୀ ସାବ୍ୟସ୍ତ ୪ ଜଣଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଦେବା ପାଇଁ ଯେଉଁ ମୃତ୍ୟୁ ପରୱାନା ଜାରି ହୋଇଥିଲା ତାହା ଉପରେ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଫାଶୀ ଖୁଣ୍ଟରେ ଦୋଷୀମାନେ ଝୁଲିବାକୁ ମାତ୍ର ୧୩ ଘଣ୍ଟା ବାକି ଥିବାବେଳେ ଏହି ସମୟରେ ଅଦାଲତ ଏହା ଉପରେ ରହିତାଦେଶ ଲାଗୁ କରିଛନ୍ତି। ଫଳରେ ଅଭିଯୁକ୍ତମାନଙ୍କୁ କେବେ ଫାଶୀ ହେବ ତାହା ଅନିଶ୍ଚିତତା ମଧ୍ୟକୁ ପୁଣି ଠେଲି ହୋଇଯାଇଛି। ତୃତୀୟ ଥର ପାଇଁ ଦୋଷୀମାନଙ୍କ ଫାଶୀ ଉପରେ ରହିତାଦେଶ ଜାରି ହୋଇଛି। ପ୍ରଥମ ଥର ପାଇଁ ଦୋଷୀମାନଙ୍କୁ ଜାନୁଆରି ୨୨ରେ, ଦ୍ବିତୀୟ ଥର ‌ଫେବ୍ରୁଆରି ୧ ତାରିଖରେ ଏବଂ ତୃତୀୟ ଥର ମାର୍ଚ୍ଚ ୩ ତାରିଖରେ ଫାଶୀ ଦେବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା।

ଦୋଷୀ ପୱନ ଗୁପ୍ତା ଶେଷ ମୁହୂର୍ତ୍ତରେ ରା‌ଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବା ଯୋଗୁ ଏହା ଉପରେ ଅତିରିକ୍ତ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା ରହିତାଦେଶ ଜାରି କରିଛନ୍ତି। ବିଚାରପତି ରାଣା କହିଛନ୍ତି ଯେ ଦୋଷୀ ପୱନର ରାଜକ୍ଷମା ରାଷ୍ଟ୍ରପତିଙ୍କ ନିକଟରେ ବିଚାର ପାଇଁ ରହିଥିବାରୁ ‌ସେମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ। ତେଣୁ ୪ ଜଣ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦିଆଯିବାକୁ ଥିବା ଫାଶୀକୁ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଗଲା। ଫାଶୀକୁ ଅଟକାଇବା ପାଇଁ ଦୋଷୀ ପୱନ କରିଥିବା ଆବେଦନକୁ ସୋମବାର ସକାଳେ ପ୍ରଥମେ ବିଚାରପତି ପ୍ରତ୍ୟାଖ୍ୟାନ କରିଦେଇଥିଲେ। କିନ୍ତୁ ଫାଶୀକୁ ଆଜୀବନ ଜେଲ୍‌ରେ ପରିଣତ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପୱନ ଆବେଦନ କରିଥିବାରୁ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି। ଦୋଷୀ ପୱନର କ୍ୟୁରେଟିଭ ପିଟିସନକୁ ସୁପ୍ରିମ କୋର୍ଟ ଆଜି ଖାରଜ କରିଦେବା ପରେ ଓକିଲ ଏ ପି ସିଂହ ତୁରନ୍ତ ରାଜକ୍ଷମା ଆବେଦନ କରିଥିଲେ। ପୂର୍ବରୁ ଅନ୍ୟ ୩ ଦୋଷୀଙ୍କର କ୍ୟୁରେଟିଭ ପିଟିସନକୁ ଅଦାଲତ ଖାରଜ କରିସାରିଛନ୍ତି। ‌ମୁକେଶ ସିଂହ ଏବଂ ବିନୟ ଶର୍ମାର କ୍ୟୁରେଟିଭ ପିଟିସନକୁ ଜାନୁଆରି ୧୪ରେ ଏବଂ ଅକ୍ଷୟ ଠାକୁରର କ୍ୟୁରେଟିଭ ପିଟିସନକୁ ଜାନୁଆରି ୩୦ରେ ଅଦାଲତ ଖାରଜ କରିଥିଲେ। ଶୁଣାଣି ବେଳେ ବିଚାରପତି ରାଣା କହିଥିଲେ ଯେ ୭ ଦିନ ମଧ୍ୟରେ ଆଇନଗତ ସୁବିଧା ସୁଯୋଗକୁ ସମ୍ପୂର୍ଣ୍ଣ କରିବା ପାଇଁ ହାଇକୋର୍ଟ ଦୋଷୀମାନଙ୍କୁ ଦେଇଥିବା ସମୟସୀମା ଶେଷ ହୋଇସାରିଛି।

ନିଆଁ ସହିତ ଖେଳ?
ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କ ପାଇଁ ମାମଲା ଲଢ଼ୁଥିବା ଆଇନଜୀବୀ ଏ ପି ସିଂହଙ୍କ ଉପରେ ଆଜି ପଟିଆଲ ହାଉସ୍ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ଧର୍ମେନ୍ଦ୍ର ରାଣା ବିରକ୍ତି ପ୍ରକାଶ କରିଛନ୍ତି। ଦୋଷୀଙ୍କ ପାଇଁ ସେ ବିଳମ୍ବରେ କ୍ୟୁରେଟିଭ୍ ପିଟିସନ୍ ଏବଂ ରାଜକ୍ଷମା ଆବେଦନ କରୁଥିବାରୁ ବିଚାରପତି ଆଇନଜୀବୀଙ୍କ ଉପରେ ବର୍ଷିଛନ୍ତି। ଏପରିକି ତୁମେ ନିଆଁ ସହିତ ଖେଳୁଛ ବୋଲି ଆଇନଜୀବୀ ଶ୍ରୀ ସିଂହଙ୍କୁ ବିଚାରପତି ରାଣା କହିଛନ୍ତି। ରାଷ୍ଟ୍ରପତିଙ୍କ ନିକଟରେ ପୱନର ରାଜକ୍ଷମା ବିଚାର ପାଇଁ ରହିଥିବାରୁ ବିଚାରପତି ରାଣା ମଙ୍ଗଳବାର ସକାଳ ୬ଟାରେ ତିହାର ଜେଲ୍‌‌ରେ ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କୁ ଦିଆଯିବାକୁ ଥିବା ଫାଶୀ ଦଣ୍ଡାଦେଶ ରାୟକୁ ସ୍ଥଗିତ ରଖିଛନ୍ତି। କିନ୍ତୁ ସୁପ୍ରିମ କୋର୍ଟରେ କ୍ୟୁରେଟିଭ୍ ପିଟିସନ ଏବଂ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ବିଳମ୍ବରେ ଆବେଦନ କରିଥିବାରୁ ଆଇନଜୀବୀ ସିଂହଙ୍କ ଉପରେ ବିଚାରପତି ପ୍ରବଳ ବିରକ୍ତ ହୋଇଛନ୍ତି। ଗତମାସରେ ଦୋଷୀମାନଙ୍କୁ ସମସ୍ତ ପ୍ରକାର ଆଇନଗତ ସହାୟତା କାର୍ଯ୍ୟ ୭ ଦିନ ମଧ୍ୟରେ ଶେଷ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଦୋଷୀ ପୱନ ହାତଛଡ଼ା କରିସାରିଛନ୍ତି ବୋଲି ବିଚାରପତି କହିଥିଲେ। ତେଣୁ ତୁମେ ନିଆଁ ସହିତ ଖେଳୁଛ। ଏ ନେଇ ସତର୍କ ହୋଇଯିବା ଉଚିତ ବୋଲି ବିଚାରପତି ଆଇନଜୀବୀଙ୍କୁ କହିଥିଲେ। କାହାରି ଦ୍ବାରା ଭୁଲ ପଦକ୍ଷେପ ନିଆଗଲେ ତାହାର ପରିଣତି କ’ଣ ତାହା ତୁମେ ଜାଣ ବୋଲି ବିଚାରପତି ମତ ଦେଇଥିଲେ।

ସମ୍ବନ୍ଧିତ ଖବର