ନିର୍ଭୟା ମାମଲା: ପବନ ଗୁପ୍ତାର କ୍ଷମା ଆବେଦନ ଖାରଜ, ଦୋଷୀଙ୍କ ସବୁ ବିକଳ୍ପ ଶେଷ

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାର କ୍ଷମା ଆବେଦନକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୩ରେ ଦୋଷୀମାନେ ଫାଶୀ ପାଇବାକୁ ଥିବାବେଳେ ଏହାର ଗୋଟିଏ ଦିନ ପୂର୍ବରୁ ଅନ୍ୟତମ ଦୋଷୀ ପବନ ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲା। ରାଷ୍ଟ୍ରପତି ଆଜି ପବନର କ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ନିର୍ଭୟା ମାମଲାର ୪ ଦୋଷୀଙ୍କ ସବୁ ବିକଳ୍ପ ଶେଷ ହୋଇଯାଇଛି। ସୁପ୍ରିମ୍‌ କୋର୍ଟ ପବନର କ୍ୟୁରେଟିଭ ପିଟିସନ୍‌କୁ ଖାରଜ କରିବାର ମାତ୍ର କେଇ ଘଣ୍ଟା ପରେ ପବନ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲା। ଏଥିପାଇଁ ମାର୍ଚ୍ଚ ୩ରେ ହେବାକୁ ଥିବା ଫାଶୀ ତାରିଖ ଘୁଞ୍ଚିଥିଲା। ଏହା ପୂର୍ବରୁ ନିର୍ଭୟା ମାମଲାର ଅନ୍ୟ‌ ଦୋଷୀ ମୁକେଶ, ବିନୟ ଓ ଅକ୍ଷୟର କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ ହୋଇଥିଲା। ଆଜି ପବନର କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ବରା ଖାରଜ ହୋଇଯିବା ଫଳରେ ଦୋଷୀଙ୍କର ସବୁ ବିକଳ୍ପ ଶେଷ ହୋଇଯାଇଛି ବୋଲି କୁହାଯାଇପାରିବ। ଏବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୬ରେ ପାରାମେଡିକାଲ୍‌ ଛାତ୍ରୀ ନିର୍ଭୟା ଏକ ବସ୍‌ରେ ଯାଉଥିବାବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର