ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁରର ରିଭ୍ୟୁ ପିଟିସନକୁ ସୁପ୍ରିମ୍ କୋର୍ଟ ଆଜି ଖାରଜ କରିଦେଇଛନ୍ତି। କୋର୍ଟ ଏ ବାବଦ ରାୟରେ କହିଛନ୍ତି, ଦୋଷୀଙ୍କ ଓକିଲ କୌଣସି ନୂଆ ତଥ୍ୟ କିମ୍ବା ଗ୍ରହଣୀୟ ଯୁକ୍ତି ରଖିପାରି ନାହାନ୍ତି। ଦୋଷୀଙ୍କ ଓକିଲଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା ଏବଂ ଏହି ମାମଲାରେ କୌଣସି ନୂଆ ଦଲିଲ ଆମ ସମ୍ମୁଖକୁ ଆସିନାହିଁ ବୋଲି ଜଷ୍ଟିସ୍ ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଏସଏସ୍ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମତଦେବା ସହ ଦୋଷୀର ଆବେଦନକୁ ଖାରଜ କରିଛନ୍ତି। ଅକ୍ଷୟର ଓକିଲ ଦିଲ୍ଲୀରେ ପ୍ରଦୂଷଣ ଏବଂ ବାୟୁର ଖରାପ ସ୍ଥିତିକୁ ଦର୍ଶାଇ ଫାଶୀ ଦଣ୍ଡ ଦିଆ ନଯିବାକୁ ଯୁକ୍ତି କରିଥିଲେ। ଏହାକୁ ଅଦାଲତ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସଲିସିଟିର ଜେନେରାଲ ତୁଷାର ମେହଟା କହିଥିଲେ ଯେ କୌଣସି ପରିସ୍ଥିତିରେ ବି ନିର୍ଭୟା କାଣ୍ଡ ଭଳି ଅପରାଧକୁ କ୍ଷମା କରାଯାଇପାରିବ ନାହିଁ ଏବଂ ସ୍ବୟଂ ଭଗବାନ ମଧ୍ୟ ଏ କ୍ଷେତ୍ରରେ ଦୋଷୀକୁ କ୍ଷମା କରିବେ ନାହିଁ। ତେଣୁ ସମସ୍ତ ଦୋଷୀଙ୍କ ଫାଶୀ ଦଣ୍ଡ କାର୍ଯ୍ୟକାରୀ ହେବା ଉଚିତ ବୋଲି ସେ କହିଥିଲେ।
ଆଜି ଅଦାଲତ ରିଭ୍ୟୁ ପିଟିସନ ଖାରଜ କରିବା ସହ କହିଛନ୍ତି ଯେ ଦୋଷୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଷମା ଆବେଦନ ସଂକ୍ରାନ୍ତ ଅଧିକାରକୁ କାର୍ଯ୍ୟକାରୀ କରିପାରିବେ। ସୂଚନାଯୋଗ୍ୟ ନିର୍ଭୟା ମାମଲାରେ ଦୋଷୀ ବିନୟର କ୍ଷମା ଆବେଦନ ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଏ ପର୍ଯ୍ୟନ୍ତ ଆସିନାହିଁ। କ୍ଷମା ଆବେଦନ ସଂକ୍ରାନ୍ତି ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଦୋଷୀମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ। ଏବେ ଅକ୍ଷୟ ମଧ୍ୟ କ୍ଷମା ଆବେଦନ ଦାଖଲ କରିବ ବୋଲି କୁହାଯାଉଛି । ଆଜି ସୁପ୍ରିମ୍ କୋର୍ଟଙ୍କ ରାୟକୁ ନେଇ ନିର୍ଭୟାଙ୍କ ମା’ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି ଯେ ଆଜିର ରାୟ ପରେ ଆମେ ନ୍ୟାୟର ନିକଟତର ହୋଇପାରିଛୁ। ନ୍ୟାୟ ପାଇଁ ଆମ ସହିତ ଦେଶବାସୀ ଦୀର୍ଘ ୭ ବର୍ଷ ଧରି ପ୍ରତୀକ୍ଷା କରି ରହିଛନ୍ତି। ସୂଚନାଯୋଗ୍ୟ ୧୬ ଡିସେମ୍ବର ୨୦୧୨ରେ ନିର୍ଭୟାଙ୍କ ସହିତ ଗଣ ଦୁଷ୍କର୍ମ ହୋଇଥିଲା। ଅକ୍ଷୟର ଓକିଲ ଆଜି କୋର୍ଟରେ କହିଥିଲେ ଯେ ଜନସାଧାରଣଙ୍କ ଚାପ ଯୋଗୁଁ ଦୋଷୀଙ୍କ କ୍ଷେତ୍ରରେ ଏଭଳି ରାୟ ଆସିଛି। ଆଜି ଯୁକ୍ତି ରଖିବା ପାଇଁ ଦୋଷୀଙ୍କ ଓକିଲଙ୍କୁ ଖଣ୍ଡପୀଠ ୩୦ ମିନିଟ୍ ସମୟ ଦେଇଥିଲେ।
ଦୋଷୀଙ୍କୁ ‘ଡେଥ୍ ୱାରେଣ୍ଟ୍’ ଜାରି ଶୁଣାଣି ଜାନୁଆରି ୭ରେ
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ପୁନଃ ବିଚାର ଆବେଦନ ଖାରଜ ହୋଇଯାଇଛି। ଏହାଦ୍ବାରା ସମସ୍ତ ଦୋଷୀଙ୍କ ପାଇଁ ଫାଶୀଦଣ୍ଡର ବାଟ ଫିଟିଯାଇଛି। କିନ୍ତୁ ଦୋଷୀଙ୍କୁ ଫାଶୀଦଣ୍ଡ ଦେବା ସଂକ୍ରାନ୍ତ ଡେଥ୍ ୱାରେଣ୍ଟ୍ ଜାରି କରିବାପାଇଁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ହୋଇପାରି ନାହିଁ। କୋର୍ଟ ଉକ୍ତ ମାମଲାରେ ଶୁଣାଣିକୁ ଆସନ୍ତା ଜାନୁଆରି ୭, ୨୦୨୦ ଯାଏଁ ସ୍ଥଗିତ ରଖିଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ବାରା ଦୋଷୀଙ୍କୁ ଫାଶୀଦଣ୍ଡ ସଂକ୍ରାନ୍ତ ଡେଥ୍ ୱାରେଣ୍ଟ୍ ଜାରି କରିବାପାଇଁ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ କହିଥିଲେ ତତ୍କାଳ ଡେଥ୍ ୱାରେଣ୍ଟ୍ ଜାରି କରିହେବ ନାହିଁ। ସୁପ୍ରିମକୋର୍ଟଙ୍କ ରାୟର ନକଲ ପାଇବା ପର୍ଯ୍ୟନ୍ତ କୋର୍ଟଙ୍କୁ ଅପେକ୍ଷା କରିବାକୁ ପଡ଼ିବ ଏବଂ ଆସନ୍ତା ଜାନୁଆରି ୭ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଥିଲେ। ଅନ୍ୟପକ୍ଷେ ଦୋଷୀମାନେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି କି ନାହିଁ ସେ ସଂକ୍ରାନ୍ତରେ ସପ୍ତାହକ ମଧ୍ୟରେ ସ୍ପଷ୍ଟୀକରଣ ଦେବା ନେଇ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ନୋଟିସ୍ ଜାରି କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡେଥ୍ ୱାରେଣ୍ଟ୍ ଜାରି ସଂକ୍ରାନ୍ତ ଶୁଣାଣିକୁ କୋର୍ଟ ସ୍ଥଗିତ ରଖିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ କାନ୍ଦି ପକାଇଥିଲେ। ତେବେ ନିର୍ଭୟା ମାମଲାରେ ସମସ୍ତ ଦୋଷୀଙ୍କୁ ଏଯାବତ୍ ଫାଶୀ ନହେବା ଖୁବ୍ ଯନ୍ତ୍ରଣାଦାୟକ ବୋଲି ଜାତୀୟ ମହିଳା କମିସନ୍ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି।