ନୂଆଦିଲ୍ଲୀ : ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ୪ ଦୋଷୀଙ୍କ ବିରୋଧରେ ଆଜି ନୂଆ ‘ଡେଥ୍‌ ୱାରେଣ୍ଟ୍‌’ (ମୃତ୍ୟୁ ପରୱାନା) ଜାରି କରିଛନ୍ତି। ସମସ୍ତ ଦୋଷୀଙ୍କୁ ୧ ଫେବ୍ରୁଆରି ସକାଳ ୬ଟାରେ ଫାଶୀରେ ଝୁଲାଇ ଦିଆଯିବ। ଏହି ୪ ଦୋଷୀଙ୍କୁ ପୂର୍ବରୁ ୨୨ ଜାନୁଆରିରେ ଫାଶୀ ଦେବାପାଇଁ ଡେଥ୍‌ ୱାରେଣ୍ଟ୍‌ ଜାରି ହୋଇଥିଲା। କିନ୍ତୁ ଦୋଷୀ ମୁକେଶ ସିଂହ କ୍ଷମା ଆବେଦନ ଦାଖଲ କରିବାରୁ ଫାଶୀ କାର୍ଯ୍ୟକାରୀ କରିବା ଉପରେ ଅଦାଲତ ରହିତାଦେଶ ଜାରି କରିଥିଲେ। ମୁକେଶର କ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଅଗ୍ରାହ୍ୟ କରିଦେବା ପରେ ସରକାରୀ ଓକିଲ ଇର୍‌ଫାନ ଅହମ୍ମଦ ଆଜି ଏ ବାବଦରେ କୋର୍ଟଙ୍କୁ ଅବଗତ କରାଇଥିଲେ।

Advertisment

ତିହାର ଜେଲ୍‌ କର୍ତ୍ତୃପକ୍ଷ ଆଜି କୋର୍ଟରେ ଦୋଷୀମାନଙ୍କ ବିରୋଧରେ ନୂଆ ଡେଥ୍‌ ୱାରେଣ୍ଟ ଜାରି କରିବା ପାଇଁ ଆବେଦନ କରିଥିଲେ। ଅତିରିକ୍ତ ସେସନ୍‌ ଜଜ ସତୀଶ କୁମାର ଆରୋରା ଜେଲ୍‌ ପ୍ରଶାସନକୁ ରାଷ୍ଟ୍ରପତିଙ୍କ ଦ୍ବାରା କ୍ଷମା ଆବେଦନ ନାମଞ୍ଜୁର ସଂକ୍ରାନ୍ତ ନିଷ୍ପତ୍ତି ଦୋଷୀ ମୁକେଶ ସିଂହଙ୍କୁ ଅବଗତ କରାଯାଇଛି କି ନାହିଁ ସେ ସଂପର୍କରେ ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ଜଣାଇବାକୁ କହିଥିଲେ ଏବଂ ଏହାପରେ ପରେ ନୂଆ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା।

ଆଜି ନୂଆ ଡେଥ୍‌ ୱାରେଣ୍ଟ ଜାରି ହେବାପରେ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି ଯେ ପର୍ଯ୍ୟନ୍ତ ଦୋଷୀମାନଙ୍କୁ ଫାଶୀ ନ ହୋଇଛି, ସେ ପର୍ଯ୍ୟନ୍ତ ତାଙ୍କୁ ଶାନ୍ତି ମିଳିବ ନାହିଁ। ଅପରାଧୀମାନେ ଯେଭଳି ଚାହୁଛନ୍ତି ସେଭଳି ସ୍ଥିତି ସୃଷ୍ଟି ହେଉଛି। ଗୋଟିଏ ପରେ ଗୋଟିଏ ତାରିଖ ମିଳୁଛି ଏବଂ ଆମ ଦୁର୍ବଳ ବ୍ୟବସ୍ଥାର ଫାଇଦା ଦୋଷୀମାନେ ଉଠାଉଛନ୍ତି ବୋଲି ଆଶା ଦେବୀ କହିଛନ୍ତି।

ନିର୍ଭୟା ମାମଲାରେ ନିକଟରେ ହାଇକୋର୍ଟରେ ଶୁଣାଣି ବେଳେ କୋର୍ଟ ମାମଲାର ପରିଚାଳନା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଫାଶୀ ଦେବାପାଇଁ ପୂର୍ବରୁ ନିର୍ଧାରିତ ତାରିଖ ଟାଳିବା ପାଇଁ ଯୋଜନାବଦ୍ଧ ଭାବେ ପ୍ରୟାସ ହୋଇଛି ବୋଲି ଅଦାଲତ କହିଥିଲେ। ଏଭଳି ଚାଲିଲେ ବ୍ୟବସ୍ଥା ଉପରୁ ଲୋକେ ଭରସା ହରାଇବେ ବୋଲି ହାଇକୋର୍ଟ କହିଥିଲେ। ଦିଲ୍ଲୀ ସରକାର ଏବଂ ତିହାର ଜେଲ୍‌ ପ୍ରଶାସନକୁ ଭର୍ତ୍ସନା କରି କୋର୍ଟ କହିଥିଲେ ଉଭୟ ଏହି ମାମଲାରେ ଏଭଳି ଏକ କ୍ୟାନ୍‌ସରଗ୍ରସ୍ତ ବ୍ୟବସ୍ଥା ରଚିଥିଲେ ଯାହାର ଫାଇଦା ନିର୍ଭୟା ମାମଲାର ଦୋଷୀମାନେ ଉଠାଇଛନ୍ତି।