ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଅନ୍ୟତମ ଦୋଷୀ ପୱନ୍ କୁମାର ଗୁପ୍ତାର ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ଘଟଣା ସମୟରେ ସେ ନାବାଳକ ଥିଲେ ଏବଂ କୋର୍ଟ ସେହି ଦୃଷ୍ଟିରୁ ବିଚାର କରିବାକୁ ପୱନ୍ କୁମାର ଆବେଦନ କରିଥିଲା। ତେବେ ପୱନ କୁମାରର ଏ ଆବେଦନ ଉପରେ ନିର୍ଭୟାର ମା’ ଆଶା ଦେବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦୁଷ୍କର୍ମକାରୀ ଫାଶୀ ପାଇବା ନିଶ୍ଚିତ ବୋଲି ନିର୍ଭୟାର ମା’ କହିଛନ୍ତି। ନ୍ୟାୟିକ ପ୍ରକ୍ରିୟାକୁ ବିଳମ୍ବ କରିବାକୁ ଏହା ଏକ ନୂଆ ଚାଲ୍ ବୋଲି ଆଶା ଦେବୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଦୁଷ୍କର୍ମକାରୀ ନିଜକୁ ଖସାଇବାକୁ ନାନା ବାଟରେ ଉଦ୍ୟମ କରୁଛନ୍ତି ଏବଂ ଫାଶୀ ପ୍ରକ୍ରିୟାକୁ ଅଯଥାରେ ବିଳମ୍ବ କରାଯାଉଥିବାରୁ ଆଶା ଦେବୀ ତୀବ୍ର ଅସନ୍ତୋଷ ପକାଶ କରିଛନ୍ତି। ଫେବ୍ରୁଆରି ୧ ତାରିଖରେ ଦୋଷୀମାନେ ଫାଶୀ ପାଇଲେ ତାଙ୍କ ଆତ୍ମା ଶାନ୍ତି ପାଇବ ବୋଲି ଆଶା ଦେବୀ କହିଛନ୍ତି। ସେହିଭଳି ପୱନ କୁମାରର ଆବେଦନ ପରେ ନିର୍ଭୟାଙ୍କ ବାପା ବଦ୍ରିନାଥ ସିଂହ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟାୟିକ ପ୍ରକ୍ରିୟାକୁ ବିଳମ୍ବ କରିବାକୁ ଦୋଷୀମାନେ ଗୋଟିଏ ପରେ ଗୋଟିଏ କୌଶଳ ପ୍ରୟୋଗ କରିଚାଲିଛନ୍ତି। ମାତ୍ର ସେମାନଙ୍କ ଏସବୁ ଚାଲ୍କୁ ନିଷ୍କ୍ରିୟ କରିବାର କ୍ଷମତା ସୁପ୍ରିମ୍ କୋର୍ଟଙ୍କର ରହିଛି ବୋଲି ବଦ୍ରିନାଥ ସିଂହ କହିଛନ୍ତି। ଦୋଷୀମାନେ କେତେଥର ଆବେଦନ କରିପାରିବେ ସୁପ୍ରିମ୍ କୋର୍ଟ ସେ ନେଇ ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରନ୍ତୁ। ଏହା ଫଳରେ ନ୍ୟାୟିକ ପ୍ରକ୍ରିୟା ଅଯଥାରେ ବିଳମ୍ବ ହେବନି ଏବଂ ଦେଶରେ ମହିଳାମାନେ ନ୍ୟାୟ ପାଇପାରିବେ ବୋଲି ବଦ୍ରିନାଥ କହିଛନ୍ତି। ତେବେ ପୱନ କୁମାରର ଆବେଦନ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ଖାରଜ ହୋଇଯିବା ତାଙ୍କ ପାଇଁ ଖୁସିର ଖବର। ମାତ୍ର, ଏମିତି ବାରମ୍ବାର ଆବେଦନ ଖବର ତାଙ୍କ ହୃତ୍ସ୍ପନ୍ଦନ ବଢ଼ାଇ ଦେଉଛି। ସୁପ୍ରିମ୍ କୋର୍ଟ ଏ ଆବେଦନ ଉପରେ ରୋକ୍ ଲଗାନ୍ତୁ ବୋଲି ବଦ୍ରିନାଥ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପୱନ କୁମାରର ନାବାଳକ ଆବେଦନକୁ ଖାରଜ କରିଥିଲେ। ଏହା ବିରୋଧରେ ପୱନ କୁମାର ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲା। ମାତ୍ର, ସୁପ୍ରିମ୍ କୋର୍ଟ ପୱନ କୁମାରର ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମ୍ କୋର୍ଟର ବିଚାରପତି ଆର୍. ଭାନୁମତୀ, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଏ.ଏସ୍. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ପୱନ୍ କୁମାରର ଆବେଦନକୁ ଖାରଜ କରିବା ସହିତ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଛନ୍ତି। ଦୋଷୀ ପୱନ କୁମାରର ଆବେଦନକୁ ହାଇକୋର୍ଟ ଖାରଜ କରିବା ଯଥାର୍ଥ ଏବଂ ଏହା ଉପରେ ଆଉ କୌଣସି ହସ୍ତକ୍ଷେପ କରିବା ଉଚିତ୍ ହେବନି ବୋଲି ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ସୂଚନାଯୋଗ୍ୟ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଦୋଷୀ ବିନୟ ଶର୍ମା (୨୬), ଅକ୍ଷୟ କୁମାର ସିଂହ (୩୧), ମୁକେଶ କୁମାର ସିଂ (୩୨) ଏବଂ ପୱନ କୁମାର ଗୁପ୍ତା (୨୫)ଙ୍କୁ ଫେବ୍ରୁଆରି ୧ରେ ଡେଥ୍ ୱାରେଣ୍ଟ (ମୃତ୍ୟୁ ପରୱାନା) ଜାରି ହୋଇଛି। ୨୩ ବର୍ଷୀୟା ନିର୍ଭୟାଙ୍କୁ ଏକ ଚଳନ୍ତା ବସ୍ରେ ୬ ଜଣ ଗଣ ଦୁଷ୍କର୍ମ କରି ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ୨୦୧୨ ଡିସେମ୍ବର ୨୯ରେ ସିଙ୍ଗାପୁରର ଏଲିଜାବେଥ୍ ହସ୍ପିଟାଲ୍ରେ ନିର୍ଭୟାର ମୃତ୍ୟୁ ହୋଇଯାଇଥିଲା।
ନିର୍ଭୟା ମାମଲା: ପୱନର ଆବେଦନ ଖାରଜ
ନ୍ୟାୟିକ ପ୍ରକ୍ରିୟାକୁ ବିଳମ୍ବ କରିବାକୁ ଏହା ଏକ ଚାଲ୍: ନିର୍ଭୟାଙ୍କ ମା’
/sambad/media/post_attachments/wp-content/uploads/2020/01/4hdf4h98df74h4fh65df4h65fds4hsdf4h8fh65f4h65f4h65fs4h65fshsfhfffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)