ନିର୍ଭୟା ମାମଲା: ଫାଶୀରୁ ବର୍ତ୍ତିବାକୁ ସୁପ୍ରିମ୍‌ କୋର୍ଟ ଗଲା ଦୋଷୀ ମୁକେଶ ସିଂହ

ଜେଲ୍‌ ପ୍ରଶାସନ ବିରୋଧରେ ୩ ଦୋଷୀଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶ ସିଂହର ଓକିଲ ବୃନ୍ଦା ଗ୍ରୋଭର ଆଜି ସୁପ୍ରିମ୍‌ କୋର୍ଟରେ ଆବେଦନ ଦାଖଲ କରିଛନ୍ତି। ମୁକେଶର କ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଥିବାରୁ ଏହାର ନ୍ୟାୟିକ ସମୀକ୍ଷା ଦାବି କରି ସେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଅନ୍ୟପକ୍ଷରେ ଗତକାଲି ଏହି ମାମଲାର ତିନି ଜଣ ଦୋଷୀ ବିନୟ କୁମାର ଶର୍ମା, ପବନ କୁମାର ଗୁପ୍ତା ଏବଂ ଅକ୍ଷୟ ସିଂହ ଠାକୁରର ଓକିଲ ଏପି ସିଂହ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ କରିଥିବା ଆବେଦନକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ତିହାର ଜେଲ୍‌ ପ୍ରଶାସନ ଦୋଷୀମାନଙ୍କୁ ସେମାନଙ୍କ ଦଣ୍ଡାଦେଶ ଏବଂ ଡେଥ୍‌ ୱାରେଣ୍ଟ୍‌ ସଂପର୍କିତ ଆବଶ୍ୟକ ଦସ୍ତାବିଜ ଉପଲବ୍ଧ କରାଇ ନାହାନ୍ତି ବୋଲି ଅଭିଯୋଗ କରି ଓକିଲ ଏପି ସିଂହ ମାମଲା ରୁଜୁ କରିଥିଲେ। ଏହି ଦସ୍ତାବିଜ ଉପଲବ୍ଧ ହେବାପରେ ହିଁ ଦୋଷୀ ବିନୟ, ପବନ ଏବଂ ଅକ୍ଷୟ କ୍ୟୁରେଟିଭ୍‌ ପିଟିସନ ଏବଂ କ୍ଷମା ଆବେଦନ ଦାଖଲ କରିପାରିବେ ବୋଲି ସେ କହିଥିଲେ। ତେବେ ଜେଲ୍‌ କର୍ତ୍ତୃପକ୍ଷଙ୍କ ପାଖରେ ଦୋଷୀଙ୍କୁ ଦେବାପାଇଁ କୌଣସି ଦସ୍ତାବିଜ ନଥିବା ଏବଂ ପୂର୍ବରୁ ଏହା ସେମାନଙ୍କୁ ପ୍ରଦାନ କରାଯାଇଥିବା ନେଇ ସରକାରୀ ଓକିଲ ତଥ୍ୟ ରଖିଥିଲେ । ଏହାପରେ ଅଦାଲତ ଏହି ମାମଲାକୁ ଖାରଜ କରିଦେଇଥିଲେ। ଆଗକୁ ଏହି ‌ମାମଲାରେ ଆଉ କୌଣସି ଆଦେଶ ଜାରି ହେବନାହିଁ ବୋଲି ଆଜି ପଟିଆଲା ହାଉସ୍‌ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଏହି ମାମଲାରେ ସମସ୍ତ ଦସ୍ତାବିଜ, ଦୋଷୀ ବିନୟ ଦ୍ବାରା ପ୍ରସ୍ତୁତ ପେଣ୍ଟିଂ ଏବଂ ତା’ର ଡାଏରିର ଫଟୋ ଦୋଷୀଙ୍କ ଓକିଲ ନେଇପାରିବେ ବୋଲି ଅଦାଲତ କହିଥିଲେ। ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ବାବଦରେ ସମସ୍ତ ଦସ୍ତାବିଜ ତାଙ୍କ ଓକିଲଙ୍କୁ ପୂର୍ବରୁ ହସ୍ତାନ୍ତର କରାଯାଇଛି, କିନ୍ତୁ ମାମଲାକୁ ଗଡ଼ାଇବା ପାଇଁ ସୁଚିନ୍ତିତ ଚାଲ୍‌ରେ ଏଭଳି ଅଭିଯୋଗ ଅଣାଯାଇଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ କହିଥିଲେ। ଆଜି ଅଦାଲତରେ ଦୋଷୀ ବିନୟ ଶର୍ମାର ‘ଦରିନ୍ଦା’ ନାମକ ଡାଏରି ସମେତ ସମସ୍ତ ଦସ୍ତାବିଜ ଉପସ୍ଥାପନ କରାଯାଇଥିଲା।
ସୁପ୍ରିମ୍‌ କୋର୍ଟ ନିକଟରେ ଦୋଷୀ ବିନୟ ଏବଂ ମୁକେଶର କ୍ୟୁରେଟିଭ ପିଟିସନକୁ ଖାରଜ କରିଦେଇଥିଲେ। ରାଷ୍ଟ୍ରପତି ମଧ୍ୟ ଚଳିତ ମାସ ପ୍ରାରମ୍ଭରେ ମୁକେଶର କ୍ଷମା ଆବେଦନକୁ ଖାରଜ କରିଥିଲେ। ୪ ଦୋଷୀଙ୍କୁ ୧ ଫେବ୍ରୁଆରି ସକାଳ ୬ଟାରେ ଫାଶୀ ହେବ।

ସମ୍ବନ୍ଧିତ ଖବର