ନୂଆଦିଲ୍ଲୀ : ନିର୍ଭୟା ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାର ସୁପ୍ରିମ୍ କୋର୍ଟରେ ଚ୍ୟାଲେଂଜ କରିଛନ୍ତି। ଡେଥ୍ ୱାରେଣ୍ଟ୍ ଉପରେ ସ୍ଥଗିତାଦେଶକୁ ବିରୋଧ କରି ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନ ଆଜି ଖାରଜ ହୋଇଯିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଡେଥ୍ ୱାରେଣ୍ଟ ଉପରେ ତଳ କୋର୍ଟ ଦେଇଥିବା ସ୍ଥଗିତାଦେଶକୁ ହାଇକୋର୍ଟ କାଏମ ରଖିବାରୁ କେନ୍ଦ୍ର ସରକାର ଏହାକୁ ବିରୋଧ କରିଛନ୍ତି।
ସୂଚନାଯୋଗ୍ୟ, ୧୬ ଡିସେମ୍ବର, ୨୦୧୨ରେ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ମୁକେଶ ସିଂହର ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯାଇଛି। ଅନ୍ୟପକ୍ଷରେ ଦୋଷୀ ଅକ୍ଷୟ ଠାକୁରର କ୍ଷମା ଆବେଦନକୁ ଆଜି ରାଷ୍ଟ୍ରପତି ଖାରଜ କରିଛନ୍ତି। ବିନୟ ଶର୍ମା ପାଖରେ କେବଳ କ୍ଷମା ଆବେଦନ ଦାଖଲ କରିବା ବିକଳ୍ପ ରହିଛି। ଦୋଷୀ ପବନ ଗୁପ୍ତା ପାଖରେ ସୁପ୍ରିମ୍ କୋର୍ଟରେ କ୍ୟୁରେଟିଭ୍ ପିଟିସନ ଏବଂ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ ଦାଖଲ କରିବା ବିକଳ୍ପ ରହିଛି।