ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନ ଖାରଜ ନିଷ୍ପତ୍ତିକୁ ବିରୋଧ କରି ପୁଣି ସୁୁପ୍ରିମକୋର୍ଟ ଗଲା ନିର୍ଭୟା କାଣ୍ଡ ଦୋଷୀ ମୁକେଶ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା କାଣ୍ଡ  ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ମୁକେଶ। ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପୁଣି ଥରେ ସୁପ୍ରିମକୋର୍ଟରେ ଆବେଦନ କରିଛି ମୁକେଶ । ରାଜକ୍ଷମା ଖାରଜ କରାଯିବା ପରେ ଏହା ଉପରେ ପୁନଃବିଚାର କରିବା ପାଇଁ ମୁକେଶ ଆବେଦନ କରିଥିବା କହିଛନ୍ତି ତାଙ୍କ ଓକିଲ ବୃନ୍ଦା ଗ୍ରୋଭର।

ସୂଚନା ମୁତାବକ, ଜାନୁଆରି ୧୭ରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଥିଲେ। ଏନେଇ ରାଷ୍ଟ୍ରପତି ଭବନରୁ ଗୃହମନ୍ତ୍ରାଳୟକୁ ସୂଚନା ଦିଆଯାଇଥିଲା। ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ମୁକେଶ ସିଂହ ଶେଷ ମୁହୂର୍ତ୍ତରେ ରାଜକ୍ଷମା ଲାଗି ରାଷ୍ଟ୍ରପତି କୋବିନ୍ଦଙ୍କୁ ଆବେଦନ କରିଥିଲା। ତେବେ ସରକାରୀ ଓକିଲ କହିଛନ୍ତି କି ଦୋଷୀମାନେ ଫାଶୀ ତାରିଖ ଘୁଞ୍ଚାଇବା ଲାଗି ଏପରି ସମୟ ଗଡ଼ାଇବା କୌଶଳ ଅବଲମ୍ବନ କରୁଛନ୍ତି।

indiatoday.in

ଏଥି ପୂର୍ବରୁ ଆଜି ସକାଳେ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରି ଦୋଷୀ ବିନୟଙ୍କ ଓକିଲ ଏ. ପି. ସିଂହ ଆବେଦନ କରିଥିଲେ କି, କ୍ୟୁରେଟିଭ୍‌ ପିଟିସନ୍‌ ଫାଇଲ୍‌ ସକାଶ ଆବଶ୍ୟକ ଦସ୍ତାବିଜ ଜେଲ୍‌ କର୍ତ୍ତୃପକ୍ଷ ଏଯାବତ୍‌ ଦେଇ ନାହାନ୍ତି। ତେବେ ପଟିଆଲା ହାଉସ୍ କୋର୍ଟ ଏହାକୁ ଖରଜ କରି ଜେଲ୍ କର୍ତ୍ତୃପକ୍ଷ ସମସ୍ତ ଦସ୍ତାବିଜ ଦାଖଲ କରି ସାରିଥିବାରୁ ଆଉ ନିର୍ଦେଶ ଦେବା ଅନାବଶ୍ୟକ କହି ଆବେଦନକୁ ଖାରଜ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅନ୍ୟ ତିନି ଜଣ ଦୋଷୀଙ୍କ ସମେତ ମୁକେଶକୁ ଜାନୁଆରି ୨୨ ତାରିଖରେ ଫାଶୀ ଦେବା ଲାଗି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମୃତ୍ୟୁ ପରୱାନା ଜାରି କରିଥିଲେ । କିନ୍ତୁ  ମୁକେଶ ସିଂହର ଆବେଦନ ଉପରେ ଶୁଣାଣି କରି ତା’ର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ବିଚାରାଧୀନ ଥିବାରୁ ଫାଶୀ ଉପରେ ରହିତାଦେଶ ଲଗାଇଥିଲେ। ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ୪ଜଣଙ୍କୁ ଫେବୃଆରି ୧ରେ ଫାଶୀ ଦିଆଯିବା ନେଇ ନୂଆ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏବେ ପୁଣି ଥରେ ମୁକେଶ ବଞ୍ଚିବା ଆଶାରେ ସୁପ୍ରିମକୋର୍ଟରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି।

ସମ୍ବନ୍ଧିତ ଖବର