ରାଜକ୍ଷମା ଅଗ୍ରାହ୍ୟକୁ ଚାଲେଞ୍ଜ୍‌ କରି ନିର୍ଭୟା ମାମଲାର ଦୋଷୀ ବିନୟ କରିଥିବା ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ରାଜକ୍ଷମା ଆବେଦନ ଅଗ୍ରାହ୍ୟକୁ ଚାଲେଞ୍ଜ୍‌ କରି ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ଦାଏର କରିଥିବା ଆବେଦନର ଶୁଣାଣି ଶେଷ କରି ସୁପ୍ରିମ୍‌ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଶୁକ୍ରବାର ଅପରାହ୍ନ ୨ଟା ବେଳେ ତାହା ଘୋଷଣା କରାଯିବ। ଜଷ୍ଟିସ୍ ଆର୍ ଭାନୁମତୀଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

ଶୁଣାଣି ସମୟରେ ଦୋଷୀ ବିନୟ ଶର୍ମାଙ୍କ ଓକିଲ ଏ ପି ସିଂହ ଯୁକ୍ତି କରିଥିଲେ ଯେ ତିହାର ଜେଲ୍‌ ପ୍ରଶାସନ ବିନୟଙ୍କୁ ନିର୍ଜନ ପ୍ରକୋଷ୍ଠ ମଧ୍ୟରେ ନିର୍ଯାତନା ଦେଇଛନ୍ତି। ଏହା ଆଇନ ସଂଗତ ନୁହେଁ।  ସେ କହିଥିଲେ ଯେ ବିନୟ ଶର୍ମାଙ୍କୁ ନିର୍ଜନ ପ୍ରକୋଷ୍ଠରେ ରଖାଯାଇ ନିର୍ଯାତନା ଦିଆଯାଇଛି। ତିହାର ଜେଲ୍‌ର ବନ୍ଦୀ ଗୃହରେ ତାଙ୍କୁ ବେଆଇନ ଭାବେ ନିର୍ଯାତନା ଦିଆଯାଇଥିଲା। ନ୍ୟାୟ ପାଇଁ  ଆମେ ଏଠାରେ ହାଜର ହୋଇଛୁ । ତେଣୁ ଏଠାକୁ ନ ଆସି ଆମେ ଅନ୍ୟ କୁଆଡ଼େ ଯିବୁ? କିନ୍ତୁ, ସୁପ୍ରିମ୍‌ କୋର୍ଟ ତାଙ୍କ ଅଭିଯୋଗକୁ ଖାରଜ କରିଛନ୍ତି।

Image Source: Zee News

ସରକାରଙ୍କ ପକ୍ଷ ରଖି ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା କହିଥିଲେ ଯେ ବିନୟଙ୍କୁ ନିର୍ଜନ କୋଠରିରେ ରଖାଯାଇ ନ ଥିଲା। ପ୍ରକାରାନ୍ତରେ ଦୋଷୀଙ୍କ ଓକିଲ ମିଛ ଅଭିଯୋଗ ଆଣିଥବା ସେ କୋର୍ଟଙ୍କୁ ସୂଚାଇ ଥିଲେ।  ଏଥିସହ ସଲିସିଟର ଜେନେରାଲ୍ କହିଥିଲେ,  ମନଯୋଗ ସହକାରେ ଉତ୍ତମ ରୂପେ ବିଚାର କରି ଭାରତର ରାଷ୍ଟ୍ରପତି ବିନୟଙ୍କର କ୍ଷମା ଆବେଦନ ଅଗ୍ରାହ୍ୟ କରିଥିବାରୁ ଏହି ମାମଲାର ନ୍ୟାୟିକ ସମୀକ୍ଷା ପରିସର ସଂକୁଚିତ ହୋଇ ଯାଇଛି।

ସମ୍ବନ୍ଧିତ ଖବର