ମୌଖିକ ଭାବେ ରାଷ୍ଟ୍ରପତିଙ୍କୁ ଜେଲ୍‌ ନିର୍ଯାତନା କଥା ଜଣାଇବାକୁ ଲେଖିଛନ୍ତି ନିର୍ଭୟା ଦୋଷୀ ବିନୟ

ନୂଆଦିଲ୍ଲୀ: ଜେଲ୍‌ ରହଣି ସମୟରେ ଭୋଗିଥିବା ମାନସିକ ନିର୍ଯାତନା ବିଷୟରେ ଓକିଲ ଏ. ପି. ସିଂହଙ୍କ ଜରିଆରେ ମୌଖିକ ଭାବେ ରାଷ୍ଟ୍ରପତିଙ୍କୁ ଜଣାଇବେ ବୋଲି ରାଜକ୍ଷମା ଆବେଦନ ପତ୍ରରେ ଅନ୍ୟତମ ନିର୍ଭୟା ଦୋଷୀ ବିନୟ ଶର୍ମା ନିବେଦନ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମୟ ଦେଲେ, ଓକିଲ ଏ. ପି. ସିଂହ ତାଙ୍କ ତରଫରୁ ମୌଖିକ ଭାବେ ସବୁ କଥା କହିବେ ବୋଲି ବିନୟ ଅନୁରୋଧ କରି ଲେଖିଛନ୍ତି।

ରାଜକ୍ଷମା ଆବେଦନ ପତ୍ରରେ ବିନୟ ଆହୁରି ଲେଖିଛନ୍ତି ଯେ ସେ ବଞ୍ଚିବାକୁ ଚାହୁଁ ନ ଥିଲେ, କିନ୍ତୁ ପିତାମାତାଙ୍କୁ ଭେଟିବା ପରେ ସେ ମୃତ୍ୟୁ ଭାବନା ତ୍ୟାଗ କରିଛନ୍ତି। କାରଣ ପିତାମାତା କହିଲେ କି, ‘ସେମାନେ ତା’ରି ପାଇଁ ବଞ୍ଚି ରହିଛନ୍ତି’।

Image Source: Zee News

ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ନାକଚ ହେବା ବିରୋଧରେ ଅନ୍ୟତମ ନିର୍ଭୟା ଦୋଷୀ ମୁକେଶ କୁମାର ସିଂହ କରିଥିବା ଚାଲେଞ୍ଜ୍‌କୁ ବୁଧବାର ଦିନ ସୁପ୍ରିମ୍‌ କୋର୍ଟର ତିନି ବିଚାରପତିବିଶିଷ୍ଟ ଖଣ୍ଡପୀଠ ଖାରଜ କରି ଦେଇଥିଲେ।

ଆଜି ସୁପ୍ରିମ୍‌ କୋର୍ଟ ଅନ୍ୟତମ ନିର୍ଭୟା ଦୋଷୀ ଅକ୍ଷୟ ଠାକୁରଙ୍କ କ୍ୟୁରେଟିଭ୍‌ ପିଟିସନ୍‌ର ଶୁଣାଣି କରିବେ। ମୃତ୍ୟୁଦଣ୍ଡ ପରିବର୍ତ୍ତେ ଆଜୀବନ କାରାଦଣ୍ଡ ଲାଗି ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର