ଦୀର୍ଘ ପ୍ରତୀକ୍ଷାର ଅନ୍ତ: ଜାନୁଆରି ୨୨, ସକାଳ ୭ରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ନିର୍ଭୟା ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ସମଗ୍ର ଦେଶକୁ ଦୋହଲାଇ ରଖି ଦେଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ଜଣ ଦୋଷୀଙ୍କୁୁ ଆସନ୍ତା ଜାନୁଆରି ୨୨ ତାରିଖ ସକାଳ ୭ଟା ସମୟରେ ଫାଶୀ ଖୁଣ୍ଟରେ ଝୁଲାଇଦେବା ପାଇଁ ଆଜି ଦିଲ୍ଲୀର ପତିଆଲା ହାଉସ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିବା ସହ ଅପରାଧୀମାନଙ୍କର ମୃତ୍ୟୁ ପରଓ୍ଵାନା ମଧ୍ୟ ପଠାଇ ଦେଇଛନ୍ତି। ଭାରତୀୟ ଦଣ୍ଡ ସଂହିତାର ଧାରା ୪୧୫ ଅନୁସାରେ ଏହି ମାମଲାରେ ଅଦାଲତ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ଫଳରେ ୪ ନିର୍ଭୟା ଦୋଷୀ ଫାଶୀଖୁଣ୍ଟରେ ଝୁଲିବା ନିଶ୍ଚିତ ହୋଇପଡ଼ିଛି।

୪ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ପାଇଁ ତିିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। କେବଳ ଫାଶୀ ହେବାର ତାରିଖ ଓ ସମୟକୁ ଅପେକ୍ଷା ରହିଥିଲା, ଯାହାକି ଆଜି ଘୋଷଣା ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ପତିଆଲା ହାଉସ୍‌ କୋର୍ଟର ଅତିରିକ୍ତ ଦୌରା ଜଜ୍‌ ସତୀଶ କୁମାର ଅରୋରା ଆଜି ଏହି ରାୟ ଘୋଷଣା କରିଛନ୍ତି। ପୂର୍ବରୁ ଗତ ସୋମବାର ଠାରୁ ବିଚାରପତି ଅରୋରା ଏହି ମାମଲାର ଶୁଣାଣିକୁ ଶେଷ କରିଥିଲେ ମଧ୍ୟ ରାୟକୁ ସଂରକ୍ଷିତ ରଖିଥିଲେ। ଆଜିର ରାୟ ଘୋଷଣା ପୂର୍ବରୁ ସରକାରୀ ଓକିଲ ଅଦାଲତଙ୍କୁ କହିଥିଲେ ଏହି ଅପରାଧୀମାନଙ୍କର ଆଉ କୌଣସି ଆବେଦନ ଦେଶର ଅନ୍ୟ କୌଣସି ନ୍ୟାୟାଳୟରେ ବିଚାରାଧୀନ ନାହିଁ। କିମ୍ବା ଏମାନଙ୍କର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ମଧ୍ୟ ବିଚାରାଧୀନ ନାହିଁ। ଏଥିସହ ଏହି ଅପରାଧୀମାନଙ୍କ ପକ୍ଷରୁ ଦେଶର ଶୀର୍ଷ ଅଦାଲତରେ କରାଯାଇଥିବା ପୁନର୍ବିଚାର ଆବେଦନକୁ ସୁପ୍ରିମ୍‌ କୋର୍ଟ ମଧ୍ୟ ଅଗ୍ରାହ୍ୟ କରି ଦେଇଛନ୍ତି। ତେଣୁ, ମୃତ୍ୟୁ ଦଣ୍ଡାଦେଶ କାର୍ଯ୍ୟକାରୀ ହେବାରେ କୌଣସି ପ୍ରତିବନ୍ଧକ ନାହିଁ। ତେବେ ଫାଶୀ ଦିଆଯିବା ପୂର୍ବରୁ ଅପରାଧୀ ଯଦି ଚାହିଁବେ ତେବେ ଶୀର୍ଷ ଅଦାଲତରେ ‘କ୍ୟୁରେଟିଭ୍‌’ ପିଟିସନ୍‌ ଆଗତ କରିପାରିବେ ବୋଲି ଅଦାଲତଙ୍କୁ କହିଥିଲେ ସରକାରୀ ଓକିଲ।

ଏହାପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ୪ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ପବନ କୁମାରର ପିତା ଏହି ଫାଶୀ ଦଣ୍ଡାଦେଶକୁ ଅଟକାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଗତ ସୋମବାର ତାହାକୁ ବି କୋର୍ଟ ଖାରଜ କରି ଦେଇଛନ୍ତି।

NewsX

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ତାଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା। ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଚଳନ୍ତା ବସରୁ ଫିଙ୍ଗି ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ।

ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା। ଆଉ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ୨୦୧୩, ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଏହି ୪ ଅଭିଯୁକ୍ତ ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ଦୋଷୀ ଘୋଷଣା କରିବା ସହ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇ ଥିଲେ।

୫ମେ, ୨୦୧୭ରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ। ସେହିବର୍ଷ ନଭେମ୍ବର ୧୩ରେ ଦୋଷୀମାନେ ସୁପ୍ରିମକୋର୍ଟରେ ପୁନର୍ବିଚାର ପାଇଁ ଆବେଦନ କରିଥିଲେ ଏବଂ ଗତ ବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ।

ସମ୍ବନ୍ଧିତ ଖବର