ନିର୍ଭୟା ମାମଲା: ପରିବାର ସହ ଶେଷ ସାକ୍ଷାତ ପାଇଁ ଦୋଷୀଙ୍କୁ ଚିଠି ଲେଖିଲା ତିହାର ପ୍ରଶାସନ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମସ୍ତ ୪ ଜଣଙ୍କୁ ଆସନ୍ତା ମାର୍ଚ୍ଚ ୩ ତାରିଖରେ ଫାଶୀ ହେବ। ଫାଶୀ ତାରିଖ ପାଖେଇ ଆସୁଥିବାରୁ ନିର୍ଭୟା ଦୋଷୀମାନଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଶେଷ ସାକ୍ଷାତ ପାଇଁ ସୁଯୋଗ ଦିଆ‌ଯିବ। ପରିବାର ସଦସ୍ୟଙ୍କ ସହ ଶେଷ ସାକ୍ଷାତ ପାଇଁ ତିହାର ଜେଲ୍‌ ପ୍ରଶାସନ ପକ୍ଷରୁ ଦୋଷୀମାନଙ୍କୁ ଚିଠି ଲେଖାଯାଇଛି। ୪ ଦୋଷୀଙ୍କ ମଧ୍ୟରୁ ୨ ଜଣ ତଥା ମୁକେଶ ଏବଂ ପୱନ ଗତ ଫେବ୍ରୁଆରି ୧ ମୃତ୍ୟୁ ପରୱାନା ପୂର୍ବରୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିବା କୁହାଯାଇଛି। ଏବେ ଅକ୍ଷୟ ଏବଂ ବିନୟଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଭେଟିବାକୁ କୁହାଯାଇଛି। ଏଯାବତ୍‌ କେବଳ ଦୋଷୀମାନଙ୍କୁ ଚିଠି ଲେଖାଯାଇଛି। ଦୋଷୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅନ୍ୟ ସମୟରେ ସାକ୍ଷାତ କରିବାବେଳେ ଝରକା ଦେଇ କଥା ହୋଇଥାନ୍ତି କିନ୍ତୁ ଶେଷ ସାକ୍ଷାତ ସମୟରେ ସେମାନଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ସିଧାସଳଖ ମୁହାଁମୁହିଁ ସାକ୍ଷାତ କରିବାର ସୁଯୋଗ ମିଳିବ। ଇତି ମଧ୍ୟରେ ତିହାର ଜେଲ୍‌ ପ୍ରଶାସନ ଦ୍ବାରା ଉତ୍ତରପ୍ରଦେଶ ଜେଲ୍‌ ପ୍ରଶାସନକୁ ଏକ ଚିଠି ଲେଖାଯାଇଛି। ମାର୍ଚ୍ଚ ୩ ତାରିଖର ଦୁଇ ଦିନ ପୂର୍ବରୁ ଜହ୍ଲାଦକୁ ଜେଲ୍‌ ପଠାଇବାପାଇଁ କୁହାଯାଇଛି। ତେବେ ଜେଲ୍‌ ପ୍ରଶାସନ ପକ୍ଷରୁ ଏବେ ବିନୟ ଉପରେ ସର୍ବାଧିକ ନଜର ରଖାଯାଇଛି। ଗତ ୧୬ ତାରିଖରେ ବିନୟ ତା ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲା। ତା ବ୍ୟବହାରରେ ବହୁତ ପରିବର୍ତ୍ତନ ହୋଇଛି। ତେଣୁ ବିନୟ ଉପରେ ସର୍ବାଧିକ ନଜର ରଖାଯାଇଛି। ଉଲ୍ଲେଖଯୋଗ୍ୟ ପଟିଆଲା ହାଉସ୍‌ କୋର୍ଟ ଗତ ସୋମବାର ୪ ଦୋଷୀଙ୍କ ବିରୋଧରେ ପୁଣିଥରେ ମୃତ୍ୟୁ ପରୱାନା ଜାରି କରିଥିଲେ। ଏହା ପୂର୍ବରୁ ୨ ଥର ମୃତ୍ୟୁ ପରୱାନା ଜାରି ହୋଇଥିଲେ ସୁଦ୍ଧା ଧାର୍ଯ୍ୟ ତାରିଖରେ ଫାଶୀ ହୋଇପାରିନି।

ଦିଲ୍ଲୀ କୋର୍ଟରେ ବିନୟ ଆବେଦନ ଖାରଜ
ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଜଣେ ଦୋଷୀ ବିନୟ କୁମାର ଶର୍ମାର ମାନସିକ ସ୍ଥିତି ଠିକ୍‌ ନଥିବାରୁ ତାକୁ ଚିକିତ୍ସାର ଆବଶ୍ୟକ ଅଛି ବୋଲି ଦିଲ୍ଲୀ କୋର୍ଟରେ ଆବେଦନ ହୋଇଥିଲା। କିନ୍ତୁ ଅତିରିକ୍ତ ଜିଲ୍ଲା ବିଚାରପତି ଧର୍ମେନ୍ଦ୍ର ରାଣା ବିନୟର ଏହି ଆବେଦନ ଖାରଜ କରିଦେଇଛନ୍ତି। ବିନୟ ଶର୍ମାର ମାନସିକ ସ୍ଥିତି ଠିକ୍‌ ନାହିଁ ଏବଂ ସେ ସିଜୋଫ୍ରେନିଆରେ ପୀଡ଼ିତ ଥିବା ନେଇ ଯେଉଁ ଦାବି ହୋଇଥିଲା ତାହା ମିଛ। ଜେଲ୍‌ ପକ୍ଷରୁ ଆଜି କୋର୍ଟଙ୍କୁ ଏହା ଅବଗତ କରାଯିବାପରେ କୋର୍ଟ ବିନୟର ଆବେଦନ ଖାରଜ କରିଦେଇଛନ୍ତି। ବିନୟର ମାନସିକ ସ୍ଥିତି ଠିକ୍‌ ନଥିବା ଖବର ମିଛ। ନିକଟରେ ବିନୟ ତା ମା’କୁ ୨ ଥର ଫୋନ୍‌ କଲ୍‌ କରିଥିଲା। ତେଣୁ ବିନୟ ତା’ ମା’କୁ ବି ଚିହ୍ନି ପାରୁନି ବୋଲି ବିନୟର ଓକିଲ ‌କୋର୍ଟରେ ଯେଉଁ ଆବେଦନ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ମିଛ ବୋଲି ଜେଲ୍‌ ପକ୍ଷରୁ ଆଜି ସରକାରୀ ଓକିଲ ଇରଫାନ୍‌ ଅହମଦ କୋର୍ଟଙ୍କୁ ଅବଗତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଚଳିତ ସପ୍ତାହରେ ବିନୟ ଶର୍ମାର ଓକିଲ ଏପି ସିଂହ କୋର୍ଟଙ୍କୁ କହିଥିଲେ ଯେ, ବିନୟର ମାନସିକ ସ୍ଥିତି ଠିକ୍‌ ନାହିଁ। ସେ ସିଜୋଫ୍ରେନିଆରେ ପୀଡ଼ିତ। ବିନୟର ମସ୍ତିଷ୍କରେ ଆଘାତ ଲାଗିଥିବା ସେ କହିଥିଲେ। ତେବେ ଅତିରିକ୍ତ ଜିଲ୍ଲା ବିଚାରପତି ଧର୍ମେନ୍ଦ୍ର ରାଣା ବିନୟର ଏହି ଆବେଦନ ଆଧାରରେ ଜେଲ୍‌ କର୍ତ୍ତୃପକ୍ଷଙ୍କଠାରୁ ଷ୍ଟାଟସ ରିପୋର୍ଟ ମାଗିଥିଲେ ଓ ମାମଲାର ଶୁଣାଣି ଫେବ୍ରୁଆରି ୨୨କୁ ରଖିଥିଲେ।

ସମ୍ବନ୍ଧିତ ଖବର