ଦିଲ୍ଲୀ ହାଇକୋର୍ଟରେ ନିର୍ଭୟା ମାମଲା: କେନ୍ଦ୍ରର ଆବେଦନ ଉପରେ ରାୟ ଆଜି

ନିର୍ଭୟାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ପାଇଁ ଲୋକେ ଉଦ୍‌ବିଗ୍ନ: ଭେଙ୍କୟା

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟ ରାୟ ପ୍ରକାଶ କରିବେ। ରବିବାର ଏ ସଂକ୍ରାନ୍ତରେ ହାଇକୋର୍ଟ ସ୍ବତନ୍ତ୍ର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ପଟିଆଲା ହାଉସ୍‌ କୋର୍ଟ ଦ୍ବାରା ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ଲଗାଯିବାକୁ ବିରୋଧ କରାଯାଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ ହାଇକୋର୍ଟରେ ଆବେଦନ ଦାଖଲ ହୋଇଥିଲା। ତେଣୁ ଆସନ୍ତାକାଲିର ରାୟ ଏ ଦିଗରେ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି। ସଲିସିଟର ଜେନେରାଲ ତୁଷାର ମେହେଟା ଦୋଷୀମାନେ ଆଇନର ଦୁରୁପଯୋଗ କରିଥିବା ଶୁଣାଣି ବେଳେ କହିଥିଲେ। ଦୋଷୀମାନେ ଫାଶୀ ଦଣ୍ଡକୁ ଟାଳିବା ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଚାଲ୍‌ ଚଳାଉଛନ୍ତି ବୋଲି ସେ କହିଥିଲେ। ଦୋଷୀ ପବନ ଗୁପ୍ତା ଏ ପର୍ଯ୍ୟନ୍ତ କ୍ୟୁରେଟିଭ କିମ୍ବା‌ କ୍ଷମା ଆବେଦନ ଦାଖଲ ନ କରିବା ମଧ୍ୟ ଏକ ସୁଚିନ୍ତିତ ଚାଲ୍‌ ବୋଲି କେନ୍ଦ୍ର ସରକାର କୋର୍ଟରେ କହିଥିଲେ। ନିର୍ଭୟା ମାମଲାର ଦୋଷୀ ଅକ୍ଷୟ ସିଂହ, ବିନୟ ଶର୍ମା ଏବଂ ପବନର ଓକିଲ ଏପି ସିଂହ ସରକାରଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ।

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁ ଆଜି ନିର୍ଭୟା ମାମଲାରେ ତୁରନ୍ତ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରିବାକୁ ଆହ୍ବାନ ଦେଇଛନ୍ତି। ନିର୍ଭୟାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ପାଇଁ ଏବେ ସାରାଦେଶରେ ଉଦ୍‌ବେଗ ପ୍ରକାଶ ପାଇଛି ବୋଲି ନାଇଡ଼ୁ କହିଛନ୍ତି। ଦୋଷୀମାନଙ୍କୁ ସମସ୍ତ ଆଇନଗତ ସୁଯୋଗ ଦିଆଯାଇଛି, କିନ୍ତୁ ସବୁ ସୁଯୋଗ ଶେଷ ହେବାପରେ ମଧ୍ୟ ସେମାନେ ନାନା ବାହାନା ଦେଖାଇ ନ୍ୟାୟ ବ୍ୟବସ୍ଥା ସହ ଖେଳୁଛନ୍ତି। ଏଥିରେ ପୂର୍ଣ୍ଣଛେଦ ପକାଇ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରାଗଲେ ହିଁ ଲୋକେ ଆଶ୍ବସ୍ତ ହେବେ ବୋଲି ସେ କହିଛନ୍ତି। ଆପ୍‌ ସାଂସଦ ସଂଜୟ ସିଂହ ଦ୍ବାରା ରାଜ୍ୟ‌ସଭାରେ ନିର୍ଭୟା କାଣ୍ଡର ଦୋଷୀଙ୍କୁ ଫାଶୀ ଦେବା ପ୍ରସଙ୍ଗ ଉଠାଯିବା ପରେ ରାଜ୍ୟସଭା ଅଧ୍ୟକ୍ଷ ନାଇଡ଼ୁ ଏଭଳି ମତ ରଖିଥିଲେ।

ସମ୍ବନ୍ଧିତ ଖବର