ନିର୍ଭୟା ମାମଲା: ୪ ଦୋଷୀଙ୍କୁ ଫାଶୀରେ ଝୁଲାଇବାକୁ ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି ପାଇଁ ‘ଟ୍ରାଏଲ କୋର୍ଟ’ରେ ଆବେଦନ କରିବାକୁ ଅନୁମତି ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମ୍‌ କୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ ଆଉ ଏକ ନୂତନ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଜାରି ପାଇଁ ‘ଟ୍ରାଏଲ କୋର୍ଟ’ରେ ଆବେଦନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୫ ତାରିଖରେ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ତାଙ୍କର ରାୟ ଘୋଷଣା କରି କହିଥିଲେ ଯେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମାମଲାକୁ ଅଲଗା ଅଲଗା ବିଚାର କରାଯାଇ ପାରିବ ନାହିଁ। ଏଥିସହ ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ପୂର୍ବରୁ ଦୋଷୀମାନଙ୍କ ନିକଟରେ ଯେଉଁ ସମସ୍ତ ନ୍ୟାୟିକ ବିକଳ୍ପ ଉପଲବ୍ଧ ରହିଛି ସେସବୁ ଆସନ୍ତା ୭ ଦିନ ମଧ୍ୟରେ ଶେଷ କରିବାକୁ ମକଧ୍ୟ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

LiveLaw

ଏହାପରେ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ କେନ୍ଦ୍ର ସରକାର ଆଉ ଥରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଆର ଭାନୁମତୀ, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ ଆଉ ଏକ ନୂତନ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଜାରି ପାଇଁ ‘ଟ୍ରାଏଲ କୋର୍ଟ’ରେ ଆବେଦନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି।

ଆଜି ସୁଦ୍ଧା ଯେଉଁ ଦୋଷୀମାନେ ସେମାନଙ୍କ ନିକଟରେ ଉପଲବ୍ଧ ଥିବା ନ୍ୟାୟିକ ବିକଳ୍ପର ଉପଯୋଗ କରି ନ ଥିବେ, ସେମାନଙ୍କୁ ଆଉ ନୂତନ ସୁଯୋଗ ପ୍ରଦାନ କରାଯାଇ ପାରିବ ନାହିଁ। ଏବଂ ଆଇନ ତା’ ବାଟରେ କାମ କରିବ।

ଆଜି ଏହି ମାମଲାର ଶୁଣାଣି କାଳରେ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠଙ୍କୁ କହିଥିଲେ ଯେ ଦୋଷୀମାନେ ଆଇନର ଦୁରୁପଯୋଗ କରୁଛନ୍ତି ଏବଂ ଫାଶୀ ଦଣ୍ଡକୁ ଟାଳିବା ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଚାଲ୍‌ ଚଳାଉଛନ୍ତି। ଦୋଷୀ ପଓ୍ଵନ ଗୁପ୍ତା ଏ ପର୍ଯ୍ୟନ୍ତ କ୍ୟୁରେଟିଭ ପିଟିସନ୍‌ କିମ୍ବା ରାଜକ୍ଷମା ଆବେଦନ ଦାଖଲ ନ କରିବା ମଧ୍ୟ ଏକ ସୁଚିନ୍ତିତ ଚାଲ୍‌ ବୋଲି ସେ କହିଥିଲେ। ତେଣୁ, ଏପରିସ୍ଥିତିରେ ଯେଉଁମାନଙ୍କର କୌଣସି ଆବେଦନ କୌଣସି ଅଦାଲତ କିମ୍ବା ରାଷ୍ଟ୍ରପତିଙ୍କ ନିକଟରେ ନାହିଁ ସେମାନଙ୍କୁ ତୁରନ୍ତ ଫାଶୀରେ ଝୁଲାଇବାକୁ ନିର୍ଦ୍ଦେଶ ଦେବାକୁ ସଲିସିଟର ଜେନେରାଲ ଦୃଢ଼ ଯୁକ୍ତି ରଖିଥିଲେ। ତେବେ, ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ ଦୋଷୀମାନଙ୍କ ନିକଟରେ ଯେଉଁ ସମସ୍ତ ନ୍ୟାୟିକ ବିକଳ୍ପ ଉପଲବ୍ଧ ରହିଛି ସେସବୁ ଆସନ୍ତା ୭ ଦିନ ମଧ୍ୟରେ ଶେଷ କରିବାକୁ ଦିଲ୍ଲୀ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାର କଣ୍ଟ ତାହା ଆଜି ଶେଷ ହୋଇ ଯାଉଛି। ତେଣୁ, ଆଜି ସୁଦ୍ଧା ଯେଉଁ ଦୋଷୀମାନେ ସେମାନଙ୍କ ନିକଟରେ ଉପଲବ୍ଧ ଥିବା ନ୍ୟାୟିକ ବିକଳ୍ପର ଉପଯୋଗ କରି ନ ଥିବେ, ସେମାନଙ୍କୁ ଆଉ ନୂତନ ସୁଯୋଗ ପ୍ରଦାନ କରାଯାଇ ପାରିବ ନାହିଁ। ଏବଂ ଆଇନ ତା’ ବାଟରେ କାମ କରିବ। ତେଣୁ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଫେବ୍ରୁଆରି ୧୩ ତାରିଖକୁ ଧାର୍ଯ୍ୟ କରିଛନ୍ତି ସୁପ୍ରିମ୍‌ କୋର୍ଟ।

ସମ୍ବନ୍ଧିତ ଖବର