ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ନିର୍ଭୟା ଦୁଷ୍କର୍ମକାରୀଙ୍କ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରାଯିବାର ୪ ଦିନ ପୂର୍ବରୁ ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଖାରଜ ହେବା ଘଟଣାକୁ ଚାଲେଞ୍ଜ କରି ସୁପ୍ରିମ୍ କୋର୍ଟରେ ଆଗତ କରିଥିବା ମାମଲାର ଶୁଣାଣି ଆଜି ଶେଷ ହୋଇଯାଇଛି। ତେବେ, ଏହି ମାମଲାର ଶୁଣାଣି ଶେଷ କରିବା ପରେ ତିନି ଜଣ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ସେମାନଙ୍କର ରାୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ଏହି ମାମଲାର ଶୁଣାଣି କରିଥିବା ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଆର ଭାନୁମତି, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏ ଏସ୍ ବୋପାନ୍ନାଙ୍କୁ ନେଇ ଖଣ୍ଡପୀଠ ଏହି ମାମଲାର ରାୟକୁ ଆସନ୍ତାକାଲିକୁ ଘୋଷଣା କରିବେ ବୋଲି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜକ୍ଷମା ଖାରଜକୁ ବିରୋଧ କରି ସୁପ୍ରିମ୍ କୋର୍ଟରେ କରାଯାଇଥିବା ପିଟିସନ୍ର ଜରୁରୀ ଶୁଣାଣି ଲାଗି ସୋମବାର ଦିନ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ମୁକେଶ ସିଂହର ଓକିଲ ସୁପ୍ରିମ୍ କୋର୍ଟଙ୍କୁ ନିବେଦନ କରିଥିଲେ। ଏହି ଆବେଦନକୁ ଜରୁରୀ ତାଲିକାଭୁକ୍ତ କରାଇବାକୁ ସୁପ୍ରିମ୍ କୋର୍ଟର ରେଜିଷ୍ଟ୍ରିକୁ ଯିବା ନିମନ୍ତେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଏସ୍ ଏ ବୋବ୍ଡ଼େ ମୁକେଶଙ୍କ ଓକିଲଙ୍କୁ କହଥିଲେ।
On the petitioner's argument that jailor's recommendations were not forwarded to President, SG says
" Jailor does not advise President on whether he deserves mercy or not".#NirbhayaCase— Live Law (@LiveLawIndia) January 28, 2020
ଫେବ୍ରୁଆରି ୧ ତାରିଖ, ସକାଳ ୬ଟାରେ ଫାଶୀ ନିମନ୍ତେ ଅଦାଲତଙ୍କ ପକ୍ଷରୁ ମୃତ୍ୟୁ ପରଓ୍ଵାନା ଜାରି ହୋଇ ଯାଇଥିବାରୁ ସୋମବାର ଦିନ ହିଁ ରେଜିଷ୍ଟ୍ରି ଅଧିକାରୀଙ୍କ ନିକଟରେ ପହଞ୍ଚିବାକୁ ମୁକେଶଙ୍କ ଓକିଲଙ୍କୁ ପ୍ରଧାନ ବିଚାରପତି ନିର୍ଦେଶ ଦେବା ସହ କହିଥିଲେ ଯେ ଜଣେ ଫାଶୀ ପାଇବାକୁ ଯାଉଥିବା ବେଳେ ଏହାଠାରୁ ବଳି ଜରୁରୀ ଶୁଣାଣି ଆଉ କିଛି ନାହିଁ। ରାଜକ୍ଷମା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଖାରଜ ହେବାକୁ ଚାଲେଞ୍ଜ୍ କରି ମୁକେଶ ଶନିବାର ଦିନ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲ। ତାର ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିବାକୁ ମାତ୍ର ୪ ଦିନ ସମୟ ନିଆଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରି ୧୭ ତାରିଖ ଦିନ ମୁକେଶଙ୍କ ରାଜକ୍ଷମା ଆବେଦନ ଖାରଜ କରିଥିଲେ।
ତେବେ, ଆଜିର ଶୁଣାଣି କାଳରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଥିବା ରାଜକ୍ଷମା ଆବେଦନ ଖାରଜକୁ ଅଦାଲତରେ ଚାଲେଞ୍ଜ କରାଯାଇ ପାରିବ ନାହିଁ।