ନିର୍ଭୟା ମାମଲା: ଦୋଷୀଙ୍କ ଓକିଲ ଏପି ସିଂହଙ୍କୁ ଭର୍ତ୍ସନା କରି ଅଦାଲତ କହିଲେ, ‘ନିଆଁ ସହିତ ଖେଳୁଛ! ଏହାକୁ ବନ୍ଦ କର’…
ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ୍ ଅଦାଲତର ଅତିରିକ୍ତ ଦୌରା ଜଜ୍ ଧର୍ମେନ୍ଦ୍ର ରାନା ଆଜି ଭରପୂର ଅଦାଲତରେ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଅପରାଧୀଙ୍କ ପାଇଁ ମାମଲା ଲଢ଼ୁଥିବା ଓକିଲ ଏ ପି ସିଂହଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ତୃତୀୟ ଥର, ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ପାଇଁ ମାର୍ଚ୍ଚ ୩, ସକାଳ ୬ଟା ସମୟ ଧାର୍ଯ୍ୟ କରି ଜାରି ହୋଇଥିବା ‘ମୃତ୍ୟୁ ପରଓ୍ଵାନା’ (ଡେଥ୍ ଓ୍ଵାରେଣ୍ଟ) ଉପରେ ରହିତାଦେଶ ଜାରି ପାଇଁ ଆଗତ ମାମଲାର ଶୁଣାଣି କାଳରେ ଖୁବ୍ ରାଗି ଯାଇଥିଲେ ବିଚାରପତି ଧର୍ମେନ୍ଦ୍ର ରାନା।
Sambad is now on WhatsApp
Join and get latest news updates delivered to you via WhatsApp
ଓକିଲ ଏ ପି ସିଂହଙ୍କ ଭର୍ତ୍ସନା କରି ବିଚାରପତି ଧର୍ମେନ୍ଦ୍ର ରାନା କହିଥିଲେ, ‘ତୁମେ ନିଆଁ ସହିତ ଖେଳୁଛ। ଏହାକୁ ବନ୍ଦ କର। ତୁମେ ସାବଧାନ ରହିବା ଉଚିତ୍। ତୁମେ, ଉଦ୍ଦେଶ୍ୟମୂଳକ ଭାବେ କ୍ୟୁରେଟିଭ୍ ପିଟିସନ୍ ଓ ରାଜକ୍ଷମା ଆବେଦନ ଦାଖଲ କରିବାରେ ବିଳମ୍ବ କରୁଛ। ଏବଂ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ସମସ୍ତଙ୍କୁ ବିଭ୍ରାନ୍ତ କରି ନିଆଁ ସହିତ ଖେଳିବାର ଅପଚେଷ୍ଟା କରୁଛ। ଆଉ ସେଥିରେ ଯଦି ସାମାନ୍ୟରୁ ସାମନ୍ୟତମ ଭୁଲ ହୁଏ ତେବେ, ଏହାର ଚରମ ପରିଣତି ତୁମକୁ ହିଁ ଭୋଗ କରିବାକୁ ପଡ଼ିବ। ଏହାକୁ ଭୁଲିଯିବା ଉଚିତ ହେବା ନାହିଁ।’ ଏହା କହିବା ସହ ତୃତୀୟ ଥର ପାଇଁ ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ପାଇଁ ମାର୍ଚ୍ଚ ୩, ସକାଳ ୬ଟା ସମୟ ଧାର୍ଯ୍ୟ କରି ଜାରି ହୋଇଥିବା ‘ମୃତ୍ୟୁ ପରଓ୍ଵାନା’ (ଡେଥ୍ ଓ୍ଵାରେଣ୍ଟ) ଉପରେ ଅନ୍ୟଦେଶ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଥିଲେ ବିଚାରପତି ଧର୍ମେନ୍ଦ୍ର ରାନା।