ନିର୍ଭୟା ଗଣଦୁଷ୍କର୍ମ ମାମଲା : ଫାଶୀଦଣ୍ଡ କାଏମ୍‌

ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ : ୨୦୧୨ରେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତମାନେ ଫାଶୀ ଦଣ୍ଡ ହିଁ ପାଇବେ। ସୁପ୍ରିମ୍‌କୋର୍ଟ ଆଜି ଏହା ଆଉଥରେ ସ୍ପଷ୍ଟ କରିଦେଇଛନ୍ତି। ମାମଲାର ୩ ଅଭିଯୁକ୍ତଙ୍କ ପକ୍ଷରୁ ହୋଇଥିବା ଏକ ପୁନର୍ବିଚାର ଆବେଦନକୁ ଖାରଜ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ପୀଡ଼ିତା ମୃତ୍ୟୁବେଳକୁ ଯେଉଁ ବୟାନ ଦେଇଥିଲେ ତାହା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ତାଙ୍କର ସେହି ବୟାନରୁ ତାଙ୍କ ପ୍ରତି ଅଭିଯୁକ୍ତମାନେ କିଭଳି ପାଶବିକ ଅତ୍ୟାଚାର କରିଥିବେ ତାହା ସ୍ପଷ୍ଟ ହୋଇଯାଇଛି। ତେଣୁ ସେମାନଙ୍କୁ ଫାଶୀ ଦଣ୍ଡରୁ ଛାଡ଼ ଦିଆଯାଇ ପାରିବ ନାହିଁ। ଅପରପକ୍ଷରେ ପୂର୍ବରୁ ମାମଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇ ଚୂଡ଼ାନ୍ତ ରାୟ ଦିଆଯାଇଛି। ଅଭିଯୁକ୍ତମାନଙ୍କ ପକ୍ଷରୁ ବି ସେମିତି କୌଣସି ନୂଆ ଯୁକ୍ତି ଦର୍ଶାଯାଇ ନାହିଁ, ଯାହା ଆଧାରରେ ସେମାନଙ୍କୁ ଫାଶୀରୁ ମୁକ୍ତି ମିଳିପାରିବ।

ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୬-୧୭ ରାତିରେ ପାରାମେଡିକାଲ ଛାତ୍ରୀ ଏହି ପୀଡ଼ିତା ଜଣକ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହିତ ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଏକ ବସ୍‌ରେ ଯାଉଥିବା ବେଳେ ବସ୍‌ ମଧ୍ୟରେ ୬ ଜଣ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେମାନେ ତାଙ୍କ ପୁରୁଷ ବନ୍ଧୁଙ୍କୁ ନିର୍ଘାତ୍‌ ମାଡ଼ ମାରି ଲହୁଲୁହାଣ କରିପକାଇଥିଲେ। ଏହାପରେ ମୁମୂର୍ଷୁ ଅବସ୍ଥାରେ ଉଭୟଙ୍କୁ ବସ୍‌ରୁ ଫିଙ୍ଗିଦେଇଥିଲେ। ପ୍ରବଳ ଯନ୍ତ୍ରଣାରେ ଛଟପଟ ପୀଡ଼ିତା ଜଣକୁ ଶେଷରେ ସିଙ୍ଗାପୁରସ୍ଥିତ ମାଉଣ୍ଟ ଏଲିଜାବେଥ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ ଡିସେମ୍ବର ୨୯ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତେବେ ଜଣେ ନାବାଳକ ଥିବାରୁ ୩ ବର୍ଷ ପରେ ଅର୍ଥାତ୍‌ ୨୦୧୫ରେ ତାକୁ ଜେଲରୁ ମୁକ୍ତ କରାଯାଇଥିଲା। ଅନ୍ୟ ଜଣେ ଅଭିଯୁକ୍ତ ରାମ୍‌ ସିଂହ ଜେଲ ମଧ୍ୟରେ ଆତ୍ମହତ୍ୟା କରିଥିଲା। ଏବେ ୪ ଜଣ ଫାଶୀ ଅପେକ୍ଷାରେ।

ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଅଭିଯୁକ୍ତ ମୁକେଶ ସିଂହ (୨୯), ପଓ୍ଵନ୍‌ ଗୁପ୍ତା (୨୨), ବିନୟ ଶର୍ମା (୨୩), ଅକ୍ଷୟ ସିଂହ (୨୩) ଓ ରାମ୍‌ ସିଂହଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। କିନ୍ତୁ ପରେ ଅଭିଯୁକ୍ତମାନେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍‌କୋର୍ଟ ୨୦୧୭ ମେ ୫ ତାରିଖରେ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ୍‌ ରଖିଥିଲେ। ଏହାପରେ ୩ ଅଭିଯୁକ୍ତ ପଓ୍ଵନ୍‌, ବିନୟ ଓ ମୁକେଶ ପକ୍ଷରୁ ରାୟର ପୁନର୍ବିଚାର ପାଇଁ ପୁଣି ସୁପ୍ରିମ୍‌କୋର୍ଟଙ୍କ ନିକଟକୁ ଯାଇଥିଲେ। କିନ୍ତୁ ଅକ୍ଷୟ ସିଂ ପକ୍ଷରୁ ରିଭ୍ୟୁ ପିଟିସନ୍‌ କରାଯାଇ ନଥିଲା। ଚଳିତବର୍ଷ ମେ ୪ ତାରିଖରେ ଏହି ଆବେଦନର ପ୍ରଥମ ବିଚାର କରି ସୁପ୍ରିମ୍‌କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସର୍ବୋଚ୍ଚ ଅଦାଲତ ଅଭିଯୁକ୍ତମାନଙ୍କ ରିଭ୍ୟୁ ପିଟିସନ୍‌ ଖାରଜ କରିଦେଇ ସେମାନଙ୍କ ଫାଶୀ ବାଟକୁ ଏକରକମ ସଫା କରିଦେଇଛନ୍ତି।

ପୀଡ଼ିତାଙ୍କ ପିତାମାତାଙ୍କ ଉପସ୍ଥିତିରେ ସୋମବାର ସୁପ୍ରିମ୍‌କୋର୍ଟରେ ଚାଲିଥିବା ଶୁଣାଣି ବେଳେ ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଆର୍‌ ଭାନୁମତୀ ଓ ଅଶୋକ ଭୂଷଣଙ୍କ ବେଞ୍ଚ୍‌ କହିଛନ୍ତି, ପୂର୍ବରୁ ଦୋଷୀମାନଙ୍କ ପକ୍ଷରୁ ସମସ୍ତ ବିଷୟ ବିସ୍ତତ ଭାବେ ବର୍ଣ୍ଣନା କରାଯାଇଥିଲା। ସେମାନେ ଆଜି କୌଣସି ନୂଆ ଯୁକ୍ତି ଉପସ୍ଥାପନ କରିପାରି ନାହାନ୍ତି। ତା’ଛଡ଼ା ହାଇକୋର୍ଟଙ୍କ ଫାଶୀ ଦଣ୍ଡ ଆଦେଶକୁ କାଏମ୍‌ ରଖିବା ନେଇ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟରେ କୌଣସି ତ୍ରୁଟିବିଚ୍ୟୁତି ଅଛି କି ନାହିଁ ତାହା ମଧ୍ୟ ଅଭିଯୁକ୍ତମାନଙ୍କ ଓକିଲ ଦର୍ଶାଇ ପାରିନାହାନ୍ତି। ଏହାପରେ ସେମାନଙ୍କ ରିଭ୍ୟୁ ପିଟିସନ୍‌କୁ ବେଞ୍ଚ୍‌ ଖାରଜ କରିଦେଇଥିଲେ।

ସୁପି୍ରମ୍‌କୋର୍ଟଙ୍କ ଆଜିର ରାୟ ପରେ ଯଦିଓ ୪ ଅଭିଯୁକ୍ତ ମୁକେଶ, ପଓ୍ଵନ୍‌, ବିନୟ ଓ ଅକ୍ଷୟର ଫାଶୀ ଦଣ୍ଡ ବାଟ ସଫା ହୋଇଛି, ତଥାପି ସେମାନଙ୍କ ନିକଟରେ ଏବେ ବି ଆଉ ଦୁଇଟି ଉପାୟ ରହିଛି। ପ୍ରଥମତଃ ସେମାନେ ପୁଣି ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଏକ କ୍ୟୁରେଟିଭ୍‌ ଆବେଦନ କରିପାରିବେ। ଦ୍ୱିତୀୟ ତଥା ଅନ୍ତିମ ସୁଯୋଗ ଭାବେ ସେମାନେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଗୁହାରି କରିପାରିବେ। ଅନ୍ୟପକ୍ଷରେ ଆଜିର ରାୟ ପରେ ପୀଡ଼ିତାଙ୍କ ପିତା କହିଛନ୍ତି, ବିଳମ୍ବରେ ହେଉପଛେ ମୋ ଝିଅକୁ ନ୍ୟାୟ ମିଳିଛି। ମୁଁ ଚାହୁଛି ମୋ ଝିଅ ଭଳି ଦେଶର ପ୍ରତ୍ୟେକ ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ। ଦୋଷୀମାନେ ନାବାଳକ ନ ଥିଲେ। କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ସେମାନେ ଏଭଳି ଅପରାଧ ଘଟାଇ ମୋ ଝିଅକୁ ଅତି ଦୟନୀୟ ଭାବେ ମାରିଦେଲେ। ଆଜିର ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଆମକୁ ନ୍ୟାୟ ମିଳିବ ବୋଲି ବିଶ୍ୱାସ ବଢ଼ିଛି। ତେବେ ଦୋଷୀମାନଙ୍କୁ ଶୀଘ୍ର ଫାଶୀ ଦଣ୍ଡ ଦିଆଗଲେ ଏଭଳି ଅପରାଧର ପୁନରାବୃତ୍ତି ଘଟିବ ନାହିଁ ବୋଲି ଆଶା କରୁଛି।

ସମ୍ବନ୍ଧିତ ଖବର