ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ୨୨ ତାରିଖରେ ଫାଶୀ ପାଇବେ ନାହିଁ

ନୂଆଦିଲ୍ଲୀ: ଜାନୁଆରି ୨୨ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ ନାହିଁ  ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ଜଣ ଦୋଷୀ। ୪ ଜଣଙ୍କ ମଧ୍ୟରୁ ଦେ‌ାଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଆସି ନ ଥିବାରୁ ତା ନାମରେ ଜାରି ମୃତ୍ୟୁ ପରୱାନା ସ୍ଥଗିତ ରହିବ ବୋଲି ଜଣାପଡ଼ିଛି। ତେଣେ ଜେଲ୍ ମାନୁଆଲରେ ଥିବା ନିୟମ ଅନୁଯାୟୀ, ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଆସିବାର ୧୪ ଦିନ ପରେ ଦୋଷୀକୁ ଫାଶୀ ଦିଆଯାଇପାରିବ। ଫଳରେ ଜାନୁଆରି ୨୨ରେ ନିର୍ଭୟା ଦୋଷୀ ଫାଶୀ ନ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

ମୁକେଶ ସିଂହ ପକ୍ଷରୁ ମୃତ୍ୟୁ ପରୱାନା ପ୍ରତ୍ୟାହାର ଲାଗି କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଟ୍ରାଏଲ୍ କୋର୍ଟର ବିଚାରପତି କହିଛନ୍ତି, ‘ମୁଁ  ଜାରି ହୋଇଥିବା ମୃତ୍ୟୁ ପରୱାନାର ସମୀକ୍ଷା କରୁନାହିଁ। ଯେହେତୁ ଦୋଷୀର ରାଜକ୍ଷମା ଆବେଦନ ବିଚାରାଧୀନ ରହିଛି ତେଣୁ ମୃତ୍ୟୁ ପରୱାନାର କାର୍ଯ୍ୟକାରୀତା ସ୍ଥଗିତ ରହୁଛି। ଏଥିସହ ଜେଲ୍ କର୍ତ୍ତୃପକ୍ଷ ମତେ ୨୨ ତାରିଖରେ ଫାଶୀ ହେଉନାହିଁ ବୋଲି ରିପୋର୍ଟ ପ୍ରଦାନ କରିବେ।’

ଆଜିର ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଦାଲତଙ୍କୁ କୁହାଯାଇଥିଲା କି ୨୨ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ, ଯେହେତୁ ମୁକେଶ ସିଂହର ରାଜକ୍ଷମା ଆବେଦନ ଉପରେ ରାୟ ଆସିନାହିଁ। ଅନ୍ୟ ପକ୍ଷରେ ନିର୍ଭୟାଙ୍କ  ପରିବାର ପକ୍ଷରୁ ଅଦାଲତଙ୍କୁ ଦର୍ଶାଯାଇଥିଲା କି ମୁକେଶ ଦାଖଲ କରିଥିବା ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚିଛି କି ନାହିଁ ତାହା ଏଯାବତ୍  ସ୍ପଷ୍ଟ ହୋଇନାହିଁ।   ତେଣୁ ଏହାକୁ ଆଳ କରି ଫାଶୀ ରୋକା ନଯାଉ।

ସୂଚନା‌ଯୋଗ୍ୟ, ଗତକାଲି ଜାରି ହୋଇଥିବା ‘ଡେଥ୍‌ ୱାରେଣ୍ଟ’ ଉପରେ ରହିତାଦେଶ ଲାଗି ଜଣେ ଦୋଷୀ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ଏଥି ସହ ଟିପ୍ପଣୀ କରିଥିଲେ କି ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରିବାରେ ବିଳମ୍ବ କରିବା ପାଇଁ ଦୋଷୀମାନଙ୍କ ପକ୍ଷରୁ ବିଭିନ୍ନ କୌଶଳ ଅବଲମ୍ବନ କରାଯାଉଛି।

ହାଇକୋର୍ଟରେ ପିଟିସନ ଖାରଜ ହେବା ସତ୍ତ୍ବେ ଆସନ୍ତା ୨୨ ତାରିଖରେ ଦୋଷୀମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀ ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ । ଦିଲ୍ଲୀ ସରକାରଙ୍କ ଓକିଲ କହିଥିଲେ, ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଖାରଜ ହେବାପରେ ଦୋଷୀ ମୁକେଶ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ ଦାଖଲ କରିଥିବାରୁ ୨୨ ତାରିଖ ଦିନ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ।  ନିୟମ ଅନୁଯାୟୀ କ୍ଷମା ଆବେଦନ ଖାରଜ ହେବାର ୧୪ ଦିନ ପରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳିବ। ଏହା ପୂର୍ବରୁ ସମ୍ଭବ ନୁହେଁ। ଦୋଷୀ ପକ୍ଷଙ୍କ ଓକିଲ ମଧ୍ୟ କହିଥିଲେ ଯେ ଦୋଷୀଙ୍କ କ୍ଷମା ଆବେଦନ ଖାରଜ ହେଲେ ମଧ୍ୟ ସେମାନଙ୍କୁ ନିୟମ ଅନୁଯାୟୀ ୧୪ ଦିନ ସମୟ ମିଳିବ, ତେଣୁ କୌଣସି ପରିସ୍ଥିତିରେ ୨୨ରେ ଫାଶୀ ମିଳିବ ନାହିଁ। ସରକାରୀ ଓକିଲ ମଧ୍ୟ ଏହି ଯୁକ୍ତିକୁ ଗ୍ରହଣ କରିଥିଲେ ଏବଂ ଆପତ୍ତି ଉଠାଇ ନଥିଲେ।

ସମ୍ବନ୍ଧିତ ଖବର