ଫାଶୀ ଡରରେ ଖାଇବାପିଇବା ଛାଡ଼ିଦେଲେଣି ୪ ନିର୍ଭୟା ଗଣଦୁଷ୍କର୍ମକାରୀ, କଡ଼ା ନଜର ରଖିଛନ୍ତି ଜେଲ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ତିହାର ଜେଲରେ ଅଛନ୍ତି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଚାରି ଦୋଷୀସାବ୍ୟସ୍ତ ଅପରାଧୀ-ଅକ୍ଷୟ ଠାକୁର, ମୁକେଶ,ପବନ ଗୁପ୍ତା ଓ ବିନୟ ଶର୍ମା ।  ସେମାନେ ଏବେ ଅବସାଦରେ ଦିନ କାଟୁଛନ୍ତି । ଜେଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଚାରି ଜଣ ଅଭିଯୁକ୍ତ ଖାଇବା ପିଇବା ବି କମାଇ ସାରିଲେଣି । ଫାଶୀ ଭୟରେ ସେମାନେ ଦିନ କାଟୁଛନ୍ତି।

ସୂଚନାନୁସାରେ, ତିହାର ଜେଲ କର୍ତ୍ତୃପକ୍ଷ ଚାରି ଜଣ ଦୋଷୀସାବ୍ୟସ୍ତଙ୍କ ଉପରେ କଡା ନଜର ରଖିଛନ୍ତି । ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ସେମାନେ ଏବେ ଖାଇବା ପିଇବା ଛାଡି ଦେଇ ଶରୀରର ଯେମିତି କ୍ଷତି ନ କରନ୍ତି ସେ ନେଇ କର୍ତ୍ତୃପକ୍ଷ ସଜାଗ ଅଛନ୍ତି । ଜେଲରେ ପ୍ରତ୍ୟକ ଦିନ ଡାକ୍ତରଙ୍କ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏବେ ଏହି ୪ ଜଣଙ୍କ  ପାଇଁ ୪ ଜଣ ସ୍ପେଶାଲ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଜେଲର ନିୟମାବଳୀ ଅନୁଯାୟୀ, ଫାଶୀରେ ଝୁଲିବା ପାଇଁ ଅଭିଯୁକ୍ତଙ୍କ ଓଜନ ଓ ଉଚ୍ଚତା ମଧ୍ୟ ମହତ୍ୱ ରଖିଥାଏ ।

ତେବେ ଏହି ୪ ଅପରାଧୀ ଫାଶୀ ଖୁଣ୍ଟରେ ଝୁଲିବା ନେଇ ନିର୍ଭୟାଙ୍କ ମାଆ ଦିଲ୍ଲୀର ପଟିଆଲା କୋର୍ଟରେ ଆବେଦନ କରିଥିଲେ । ଏହାପରେ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ପଟିଆଲା କୋର୍ଟରେ ଦୋଷୀଙ୍କୁ ହାଜର କରାଯାଇଥିଲା । ଏହି ଚାରି ଜଣଙ୍କ ମଧ୍ୟରୁ ଅକ୍ଷୟ ସିଂହ ଠାକୁର ସୁପ୍ରିମକୋର୍ଟରେ ଫାଶୀର ପୁନର୍ବିଚାର ଆବେଦନ କରିଛି । ତେଣୁ ସୁପ୍ରିମକୋର୍ଟରେ ଶୁଣାଣି ପରେ ପଟିଆଲା କୋର୍ଟ ଶୁଣାଣି କରିବ ବୋଲି କହିଛନ୍ତି । ସୁପ୍ରିମକୋର୍ଟ ଅକ୍ଷୟର ଆବେଦନ ଉପରେ ୧୭ ତାରିଖରେ ଶୁଣାଣି କରିବେ । ଏହା ପରେ ୧୮ରେ ପଟିଆଲା କୋର୍ଟ ଶୁଣାଣି କରିବ ।

ସମ୍ବନ୍ଧିତ ଖବର