ପୁଣି ତିହାର ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଦାଲତରେ ମାମଲା ଆଗତ କଲା; ନିର୍ଭୟା ଦୋଷୀ ପଓ୍ଵନ: ଶୁଣାଣି ଆସନ୍ତାକାଲି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଥିବା ଚାରି ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ରେ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲର ଅଦାଲତଙ୍କ ପକ୍ଷରୁ ଚତୁର୍ଥ ଥର ପାଇଁ ‘ମୃତ୍ୟୁ ପରଓ୍ଵାନା’ ବା ‘ଡେଥ୍‌ ଓ୍ଵାରେଣ୍ଟ’ ଜାରି କରାଯାଇ ସାରିଛି। କିନ୍ତୁ, ଏଣେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଦୋଷୀମାନେ ସେମାନଙ୍କ ଫାଶୀ ଦଣ୍ଡାଦେଶରୁ ବଞ୍ଚିବା ସହ ଏହାକୁ କାର୍ଯ୍ୟକାରୀ କରାଇବାରେ ବିଳମ୍ବ କରାଇବା ପାଇଁ କୌଣସି ଗୋଟିଏ ହେଲେ ସୁଯୋଗ ହାତଛଡ଼ା କରିବାକୁ ପ୍ରସ୍ତୁତ ନାହାନ୍ତି। ଏଥିପାଇଁ ସେମାନେ ଦିଲ୍ଲୀର ଅଦାଲତମାନଙ୍କରେ ଆଗତ କରି ଚାଲିଛନ୍ତି ଗୋଟିକ ପରେ ଗୋଟିଏ ମିଥ୍ୟା ମାମଲା।

ଏହି କ୍ରମରେ ଏହି ମାମଲାର ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତା ଫାଶୀଦଣ୍ଡରୁ ବଞ୍ଚିବା ପାଇଁ କରିଥିବା କ୍ୟୁରେଟିଭ୍‌ ପିଟିସନ୍‌ ଠାରୁ ଆରମ୍ଭ କରି ରାଜକ୍ଷମା ଆବେଦନ ପର୍ଯ୍ୟନ୍ତ ସବୁକିଛି ଖାରଜ ହୋଇଯିବା ପରେ ଏବେ ଖେଳିବାକୁ ଆରମ୍ଭ କରିଛି ଆଉ ଏକ ନୂଆଚାଲ। ଏହି ଚାଲ ଅନୁଯାୟୀ ଦୋଷୀ ପଓ୍ଵନ ଦିଲ୍ଲୀର ଏକ ଅଦାଲତରେ ଆଜି (ବୁଧବାର) ଏକ ନୂତନ ଯାଚିକା ଆଗତ କରି ତିହାର ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପୁଲିସ୍‌ରେ ଏଫ୍‌ଆଇଆର୍‌ ଆଗତ କରିବା ପାଇଁ ଅଦାଲତଙ୍କ ଅନୁମତି ମାଗିଛି।

Live Law

ଆଗତ ଯାଚିକାରେ ଦୋଷୀ ପଓ୍ଵନ ଅଭିଯୋଗ କରି କହିଛି ଯେ ତିହାର ଜେଲର ସୁରକ୍ଷା କର୍ମୀମାନେ ସେମାନଙ୍କ ଲାଠିରେ ତାକୁ ନିର୍ଘାତ୍‌ ମାଡ଼ ମାରିଛନ୍ତି। ଯାହା ଫଳରେ ତା’ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେଥିପାଇଁ ସେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପୁଲିସ୍‌ରେ ଏଫ୍‌ଆଇଆର୍‌ ଆଗତ କରିବା ପାଇଁ ଚାହୁଁଛି।

ଅଦାଲତ ଦୋଷୀ ପଓ୍ଵନର ଏହି ଯାଚିକାକୁ ବିଚାର ପାଇଁ ଗ୍ରହଣ କରି ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି ଏବଂ ଏହି ମାମଲାର ଶୁଣାଣିକୁ ଆସନ୍ତାକାଲି (ଗୁରୁବାର) ଦିନ ୨ଟାକୁ ଧାର୍ଯ୍ୟ କରିଛନ୍ତିି।

ସମ୍ବନ୍ଧିତ ଖବର