ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପୱନର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପୱନ କୁମାର ଗୁପ୍ତାର ସ୍ବତନ୍ତ୍ର ଲିଭ ପିଟିସନକୁ ଖାରଜ କରିଦେଇଛନ୍ତି।  ଅପରାଧ ଦିନ ସେ ନାବାଳକ ଥିବାରୁ ତାର ଦଣ୍ଡ କୋହଳ କରାଯାଉ ବୋଲି ପୱନର ଓକିଲ  ଆବେଦନ କରିଥିଲେ । ଏହାର ପ୍ରମାଣ ସ୍ବରୂପ ତାର ସ୍କୁଲ ସାର୍ଟିଫିକେଟ୍ ମଧ୍ୟ ଦାଖଲ କରାଯାଇଥିଲା । ତେବେ ଦଲିଲ ଓ ଆବେଦନରେ କୌଣସି ନୂଆ କଥା ନାହିଁ ବୋଲି ଦର୍ଶାଇ ସର୍ବୋଚ୍ଚ ଅଦାଲତ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ଦୁଷ୍କର୍ମକାରୀଙ୍କୁ ଫେବ୍ରୁଆରି ୧, ସକାଳ ୬ଟାରେ ଫାଶୀ ଲାଗି ଜାରି କରାଯାଇଥିବା ‘ମୃତ୍ୟୁ ପରଓ୍ଵାନା’ କାଏମ୍ ରହିବା ଏକ ପ୍ରକାର ନିଶ୍ଚିତ ହୋଇଛି।

ଜାନୁଆରି ୧୭ ତାରିଖ ଦିନ ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମୃତ୍ୟୁ ପରୱାନା ଜାରି ସହ  ନୂଆ ଫାଶୀ ତାରିଖ ଘୋଷଣା କରିବା ପରେ ଦୋଷୀ ପୱନ୍ କୁମାର ଗୁପ୍ତା ଫାଶୀରୁ ବର୍ତ୍ତିବା ଲାଗି ଶେଷ ଆଇନଗତ ସୁଯୋଗର ସଦବ୍ୟବହାର କରି ସୁପ୍ରିମକୋର୍ଟରେ ନିଜର ନାବାଳକତ୍ବ ସାବ୍ୟସ୍ତ ଲାଗି ସାନି ଆବେଦନ କଲା। ଫଳରେ ‘ମୃତ୍ୟୁ ପରଓ୍ଵାନା’ର କାର୍ଯ୍ୟକାରୀତା ନେଇ ଦ୍ୱନ୍ଦ୍ୱ ଓ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। କାରଣ ଆମ ଦେଶର ନ୍ୟାୟ ବ୍ୟବସ୍ଥା କହୁଛି ଯେ ଯଦି କୌଣସି ଅପରାଧୀର କୌଣସି ପ୍ରକାରର ଆବେଦନ କୌଣସି ନ୍ୟାୟାଳୟରେ ବିଚାରାଧୀନ ଅବସ୍ଥାରେ ଥିବ ତେବେ ତାକୁ ଫାଶୀ ଦିଆଯାଇ ପାରିବ ନାହିଁ।  ଉଲ୍ଲେଖଯୋଗ୍ୟ, ପୱନ କୁମାର ଗୁପ୍ତାକୁ ନାବାଳକ ଅପରାଧୀ ରୂପେ ବିବେଚନା କରିବାକୁ ଦିଲ୍ଲୀ ହାଇକୋର୍ଟ ଗତ ଡିିସେମ୍ବର ୧୯ ତାରିଖରେ ଦେଇଥିବା ଏକ ରାୟରେ ମନା କରିଦେଇଥିଲେ। ଏଥିସହ ତା’ର ଓକିଲକୁ ଭର୍ତ୍ସନା କରିବା ସହ ଜରିମାନା କରିଥିଲେ। ‘ମୃତ୍ୟୁ ପରଓ୍ଵାନା’ ଜାରି ପରେ  ଦୋଷୀ ଏହି ରାୟକୁ ଚାଲେଞ୍ଜ କରି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ୧୭ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମୃତ୍ୟୁ ପରୱାନା ଜାରି ସହ  ନୂଆ ଫାଶୀ ତାରିଖ ଘୋଷଣା ପୂର୍ବରୁ ଜଷ୍ଟିସ ସତିଶ ଆରୋରା ଉଭୟ ସରକାରୀ ପକ୍ଷ ଓ ଦୋଷୀ ପକ୍ଷର ଯୁକ୍ତି ଶୁଣିଥିଲେ। ଦୋଷୀଙ୍କ ପକ୍ଷର ଓକିଲ ଯୁକ୍ତି ବାଢ଼ିଥିଲେ କି ସୁପ୍ରିମ୍‌କୋର୍ଟରେ ମାମଲାର ଅନ୍ୟତମ ଦୋଷୀ ପୱନ ଗୁପ୍ତାର ଏକ ଲିଭ୍‌ ପିଟିସନ୍‌ ବିଚାର ଅପେକ୍ଷାରେ ରହିିଛି। ଅପରାଧ ଘଟାଇବା ସମୟରେ ଦୋଷୀ ନାବାଳକ ଥିଲା ତେଣୁ ଦଣ୍ଡକୋଳହ କରାଯାଉ ବୋଲି ଆବେଦନ କରାଯାଇଛି। ଏହାର ପ୍ରମାଣ ସ୍ବରୂପ ସେ ପୱନ ଗୁପ୍ତାର ବୟସ ପ୍ରମାଣ ପତ୍ର କୋର୍ଟରେ ଦାଖଲ କରିବେ। ଏହି କାରଣରୁ ଫାଶୀ ତାରିଖ ଘୋଷଣା କରା ନଯାଉ ବୋଲି ଯୁକ୍ତି ରଖିଥିଲେ ଦୋଷୀଙ୍କ ପକ୍ଷ। ମାତ୍ର ଜଷ୍ଟିସ୍‌ ଅରୋରା ଏହାକୁ ଗ୍ରହଣ ନ କରି ଧାଡ଼ିକିଆ ରାୟ ଜାରି କରିଥିଲେ। ସେ ତାଙ୍କ ରାୟରେ ଲେଖିଥିଲେ- ‘ମୁଁ ଫେବ୍ରୁଆରି ୧ ତାରିଖ ସକାଳ ୬ଟା ଲାଗି ମୃତ୍ୟୁ ପରୱାନା ଜାରି କରୁଛି।’

ସମ୍ବନ୍ଧିତ ଖବର