ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ତା’ର ରାଜକ୍ଷମା ଆବେଦନ ଖାରଜକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍ କୋର୍ଟରେ ଯେଉଁ ମାମଲା ଆଗତ କରିଥିଲା ତାହାକୁ ଆଜି ଖାରଜ କରି ଦେଇଛନ୍ତି ସୁପ୍ରିମ୍ କୋର୍ଟ। ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ଯେଉଁ ସୁପ୍ରିମ୍ କୋର୍ଟରେ ଏକ ମାମଲା ଆଗତ କରିଥିଲା। ଆଗତ ମାମଲାରେ ବିନୟ ଦର୍ଶାଇ ଥିଲା ଯେ ତିହାର ଜେଲରେ ସେ ବନ୍ଦୀ ଥିବା କାଳରେ ତାକୁ ନିର୍ଯାତନା ଦିଆ ଯାଇଥିଲା। ଯାହା ପାଇଁ ସେ ନିଜର ମାନସିକ ଭାରସାମ୍ୟ ସୁଦ୍ଧା ହରାଇଥିଲା। କିନ୍ତୁ, ତା’ ରାଜକ୍ଷମା ଆବେଦନକୁ ଖାରଜ କଲାବେଳେ ରାଷ୍ଟ୍ରପତି ଏ ଦିଗକୁ ଅଣଦେଖା କରିଥିବା ସେ ଅଭିଯୋଗ କରିଥିଲା।
/sambad/media/post_attachments/wp-content/uploads/2020/02/Sc-2.jpg)
ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଆର ଭାନୁମତୀ, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଗତକାଲି ଏହି ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ରାୟକୁ ଆଜି, ଶୁକ୍ରବାର ଦିନ ୨ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖା ଯାଇଥିଲା। ଆଜି ବିଚାରପତିମାନେ ସେମାନଙ୍କର ସଂରକ୍ଷିତ ରାୟକୁ ଘୋଷଣା କରିବା ସହ ବିନୟର ଏହି ମାମଲାକୁ ଖାରଜ କରି ଦେଇଥିଲେ।
ଅନ୍ୟପକ୍ଷରେ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ବିରୋଧରେ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍ ଓ୍ଵାରେଣ୍ଟ) ଜାରି ପାଇଁ ଦିଲ୍ଲୀର ଏକ ଅଦାଲତରେ ଗତ ବୁଧବାର ଆଗତ କରା ଯାଇଥିବା ଏକ ମାମଲାର ଶୁଣାଣିକୁ ଆସନ୍ତା ସୋମବାର ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ଦିଲ୍ଲୀ ଅଦାଲତ।