ଶେଷ ଇଚ୍ଛା ପଚରା ଯିବାରୁ ଚୁପ୍‌ ରହିଲେ ନିର୍ଭୟା ଦୋଷୀ, ଶେଷ ଥର ପାଇଁ ଭେଟିବାକୁ ପରିବାରବର୍ଗଙ୍କୁ ଚିଠି ଲେଖିଲେ ଜେଲ୍‌ କର୍ତ୍ତୃପକ୍ଷ

ନୂଆଦିଲ୍ଳୀ: ଆସନ୍ତା ପହିଲାରେ ଫାଶୀ ପାଇବେ ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ। ଫାଶୀ ପୂର୍ବରୁ ଯେପରି ଭାବେ ଦୋଷୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା ପଚରା ଯାଇଥାଏ ନିର୍ଭୟା ଦୋଷୀମାନଙ୍କୁ ବି ସେହିପରି ଭାବେ ସେମାନଙ୍କ ଶେଷ ଇଚ୍ଛା ପ୍ରକାଶ କରିବାର ସୁଯୋଗ ଦିଆଯାଇଥିଲା। ମାତ୍ର ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେମାନେ ସେମାନଙ୍କ ‌ଶେଷ ଇଚ୍ଛା ପ୍ରକାଶ ନକରି ନିରବ ରହିଛନ୍ତି। ଶେଷ ଥର ପାଇଁ ପରିବାର ଲୋକଙ୍କୁ ଭେଟିବା ପ୍ରସ୍ତାବରେ ବି ଆଗ୍ରହ ପ୍ରକାଶ କରିନାହାନ୍ତି। ସେମାନଙ୍କ ଅ‌ନ୍ତେ ସେମାନଙ୍କ ସମ୍ପତ୍ତିର କିଏ ଉତ୍ତରାଧିକାରୀ ହେବ ବୋଲି ମଧ୍ୟ ପଚରା ଯାଇଥିଲା। ମାତ୍ର ଏ ସମସ୍ତ କଥାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ସିଂହ, ବିନୟ ଶର୍ମା, ଅକ୍ଷୟ ସିଂହ ଏବଂ ପୱନ ଗୁପ୍ତା ନିରବ ଅଛନ୍ତି। ଯାଜା ଜଣାପଡ଼ୁଛି, ଏବେ ସେମାନଙ୍କର ଏକ ମାତ୍ର ଲକ୍ଷ୍ୟ ‌ହେଉଛି ଆଇନର ଗଳାବାଟ ଦେଇ ଫାଶୀକୁ ଆଉ କିଛି ଦିନ ଘୁଞ୍ଚାଇ ଦେବା।

ଏପଟେ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ନିର୍ଭୟା ଦୋଷୀମାନଙ୍କୁ ଥରେ ଭେଟିଯିବା ନିମନ୍ତେ ସେମାନଙ୍କ ପରିବାରବର୍ଗଙ୍କୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି। ଚାରି ଦୋଷୀ- ୨୬ ବର୍ଷିୟ ବିନୟ ଶର୍ମା, ୩୧ ବର୍ଷିୟ ଅକ୍ଷୟ କୁମାର ସିଂହ, ୩୨ ବର୍ଷିୟ ମୁକେଶ କୁମାର ସିଂହ ଏବଂ ୨୫ ବର୍ଷିୟ ପବନ ଗୁପ୍ତଙ୍କୁ ଜେଲ୍‌ ନମ୍ବର ୩ର ପୃଥକ୍‌ ପୃଥକ୍‌ ସେଲ୍‌ରେ ରଖାଯାଇଛି। ସେହି ଜେଲ୍‌ରେ ହିଁ ସେମାନଙ୍କୁ ଫାଶୀ ଦିଆଯିବ।

Image Source: India Today

ଉଲ୍ଲେଖଯୋଗ୍ୟ, ତିହାର ଜେଲରେ ନିଜ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ୨୦୧୨ ମସିହାର ଲୋମଟଙ୍କୁରା ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀ | ପ୍ରଥମେ ଜାନୁୟାରି ୨୨ତାରିଖ ସକାଳ ୭ଟାରେ ଫାଶୀ ଦେବାକୁ ଡେଥ୍  ୱାରେଣ୍ଟ ବା ମୃତ୍ୟୁ ପରୱାନା ଜାରି କରାଯାଇଥିଲା | କିନ୍ତୁ ପରେ ଦିଲ୍ଲୀର ଏକ କୋର୍ଟ ଦୋଷୀଙ୍କ ଫାଶୀ ଦଣ୍ଡକୁ ଘୁଞ୍ଚାଇ ଦେଇଥିଲେ | ଏହା ପରେ ଫେବ୍ରୁଆରି ୧ ତାରିଖ ଦିନ ଫାଶୀ ଦିଆଯିବା ନେଇ ତାରିଖ ସ୍ଥିର କରାଯାଇଛି| ଅନ୍ୟତମ ଦୋଷୀ ପୱନ୍ ଗୁପ୍ତାର ସ୍ବତନ୍ତ୍ର ଲିଭ ପିଟିସନ୍ ସୁପ୍ରିମକୋର୍ଟ ଖାରଜ କରିବା ପରେ ଓ ଦୋଷୀ ମୁକେଶ କୁମାରର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ନାକଚ କରିବା ପରେ ଫେବ୍ରୁଆରି ପହିଲାରେ ଫାଶୀ ହେବ ବୋଲି ଆଶା କରାଯାଉଛି।

 

ସମ୍ବନ୍ଧିତ ଖବର