ନିର୍ଭୟା ଦୋଷୀ ମୁକେଶର ନୂଆ ବାହାନା- ଅପରାଧ ହୋଇଥିବା ରାତିରେ ସେ ଦିଲ୍ଲୀରେ ନଥିଲା

ନୂଆଦିଲ୍ଲୀ : ଫାଶୀରୁ ବର୍ତ୍ତିବାଲାଗି ପ୍ରତିଦିନ ନୂଆ ନୂଆ ଖେଳ ଖେଳୁଛନ୍ତି ନିର୍ଭୟା ମାମଲାର ଦୋଷୀ । ଗତ କାଲି ୩ ଜଣ ଦୋଷୀ ଫାଶୀ ଦଣ୍ଡାଦେଶ ବିରୁଦ୍ଧରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଯାଇଥିବାବେଳେ ଆଜି ଦୋଷୀ ମୁକେଶ କହିଛି ଯେ ସେ ଅପରାଧ ହୋଇଥିବା  ରାତିରେ ଦିଲ୍ଲୀରେ ଉପସ୍ଥିତ ନଥିଲା ।

ଅତିରିକ୍ତ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାନାଙ୍କ ନିକଟରେ ଏକ ଆବେଦନ କରି ସେ ଦର୍ଶାଇଛି ଯେ ତାକୁ ଡିସେମ୍ବର ୧୮, ୨୦୧୨ରେ ରାଜସ୍ଥାନରୁ ଗିରଫ କରାଯାଇଥିଲା । କିନ୍ତୁ ସେ ଡିସେମ୍ବର ୧୬ରେ ଦିଲ୍ଲୀରେ ନଥିଲା । ନିଜର ଆବେଦନରେ ସେ ଆହୁରି ମଧ୍ୟ ଦର୍ଶାଇଛି ଯେ ଜେଲ ଭିତରେ ତାକୁ ପ୍ରବଳ ନିର୍ଯ୍ୟାତନା ଦିଆଯାଇଥିଲା ।
ଗତକାଲି ୪ ଦୋଷୀଙ୍କ ମଧ୍ୟରୁ ତିନିଜଣ ଅକ୍ଷୟ, ପଓ୍ଵନ ଓ ବିନୟ ଫାଶୀରୁ ବର୍ତ୍ତିବା ପାଇଁ ଅନ୍ତର୍ଜାତୀୟ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଏହି ଫାଶୀ ଦଣ୍ଡ ଉପରେ ସ୍ଥଗିତାଦେଶ ଲଗାଇବାକୁ ସେମାନେ ଆବେଦନ କରିଛନ୍ତି ।

ଘଟଣାକ୍ରମ :

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାକୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯ୍ୟାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାକୁ ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।
ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ଆଉ ଜଣ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇଦିଆଯାଇଥିଲା । ୨୦୧୩, ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଏହି ୪ ଅଭିଯୁକ୍ତମାନଙ୍କୁ ଦୋଷୀ ଘୋଷଣା କରିବା ସହ ମୃତ୍ୟୁଦଣ୍ଡ ଦେଇଥିଲେ । ୫ ମେ, ୨୦୧୭ରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ସେହିବର୍ଷ ନଭେମ୍ବର ୧୩ରେ ଦୋଷୀମାନେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ । ଗତ ବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ ।

ସମ୍ବନ୍ଧିତ ଖବର