ନିର୍ଭୟା ପାଣ୍ଠି : ଓ୍ୱାନ ଷ୍ଟପ୍ ସେଣ୍ଟର ପାଇଁ କେନ୍ଦ୍ର ଦ୍ବାରା ଆବଣ୍ଟିତ ଅର୍ଥ ଖର୍ଚ୍ଚ ହୋଇପାରୁନି

ନୂଆଦିଲ୍ଲୀ : ନିର୍ଭୟା ପାଣ୍ଠି ଅନ୍ତର୍ଗତ ଵାନ ଷ୍ଟପ୍ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଆବଣ୍ଟନ କରାଯାଇଥିବା ୧୦୩୮.୮୨ ଲକ୍ଷ ଟଙ୍କାରୁ ରାଜ୍ୟ ସରକାର ୫୪.୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଡ. ସତ୍ୟନାରାୟଣ ଜାଟିଆଙ୍କ ଅଧ୍ୟକ୍ଷତାରେ ଗଠିତ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟିର ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଦାଖଲ କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ଅଛି। କମିଟି ଦ୍ବାରା ଗତକାଲି ରାଜ୍ୟସଭାରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ୨୦୧୨ ଡିସେମ୍ବର ୧୬ ନିର୍ଭୟା ଗଣବଳାତ୍କାର ମାମଲା ଦେଶରେ ହଇଚଇ ସୃଷ୍ଟି କରିବା ପରେ ୨୦୧୩ରେ ବିଶେଷ ପଦକ୍ଷେପ ଅନ୍ତର୍ଗତ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ନିର୍ଭୟା ପାଣ୍ଠି ସ୍ଥାପନ କରାଯାଇଥିଲା। ୨୦୧୩ରୁ ଏହି ପାଣ୍ଠି ଅନ୍ତର୍ଗତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୭୪୩୬.୬୬ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ କେବଳ ୨୬୪୭.୮୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିବା ମହିଳା ସୁରକ୍ଷା ପ୍ରସଙ୍ଗ ସମ୍ପର୍କିତ ରିପୋର୍ଟ ଅନୁସାରେ ମହିଳା ହେଲ୍ପ ଲାଇନ୍ ପ୍ରତିଷ୍ଠା ପାଇଁ ଆବଣ୍ଟନ କରାଯାଇଥିବା ୧୯୧.୭୬ ଲକ୍ଷ ଟଙ୍କାରୁ ରାଜ୍ୟ ସରକାର ୧୪୦.୬୪ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିଛନ୍ତି। ଅପରପକ୍ଷେ ରିପୋର୍ଟରେ ନିର୍ଭୟା ପାଣ୍ଠି ଅନ୍ତର୍ଗତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଆବଣ୍ଟନ କରାଯାଇଥିବା ୨୨୭୦.୫୩ ଲକ୍ଷ ଟଙ୍କାରୁ ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସୂଚନାଯୋଗ୍ୟ ନିର୍ଭୟା ପାଣ୍ଠି ଅନ୍ତର୍ଗତ ଏପ୍ରିଲ ୨୦୧୫ରୁ ଆରମ୍ଭ ହୋଇଥିବା ଵାନ ଷ୍ଟପ୍ ସେଣ୍ଟର ଯୋଜନା ଅନ୍ତର୍ଗତ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଵାନ ଷ୍ଟପ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଛି ଏବଂ ଏଥିରେ ବର୍ତ୍ତମାନ ସୁଦ୍ଧା ୨୯୩୭ ମହିଳା ଉପକୃତ ହୋଇପାରିଛନ୍ତି।

ସମ୍ବନ୍ଧିତ ଖବର