ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କ ସବୁ ଚାଲ୍ ବିଫଳ ହୋଇଛି ଏବଂ ସେମାନଙ୍କୁ ଆସନ୍ତାକାଲି (ଶୁକ୍ରବାର)ସକାଳ ୫ଟା ୩୦ରେ ଏକସଂଗରେ ଫାଶୀ ଦିଆଯିବ। ଭାରତ ଇତିହାସରେ ଏହା ପ୍ରଥମ ଘଟଣା ହେବ। ପାଠକଙ୍କ ପାଖରେ ଏହି ଖବର ପହଞ୍ଚିବା ବେଳକୁ ନରପିଶାଚଙ୍କୁ ବୋଧହୁଏ ଫାଶୀ ହୋଇଯାଇଥିବ। ତିହାର ଜେଲ୍ କର୍ତ୍ତୃପକ୍ଷ ୪ ଦୋଷୀଙ୍କୁ ଏକାବେଳେ ଫାଶୀ ଦେବାପାଇଁ ଏକ ନୂଆ ଫାଶୀଖୁଣ୍ଟ ପ୍ରସ୍ତୁତ କରିଛନ୍ତି। ଦେଶର ପ୍ରଥମ ଜେଲ୍ ଭାବେ ତିହାରରେ ଏକାବେଳେ ୪ ଜଣଙ୍କୁ ଫାଶୀ ଦିଆଯିବ। ଜେଲ୍ ସୂତ୍ରରୁ ଜଣାପଡ଼ିଛି ଯେ ଏଥିପାଇଁ ସ୍ବତନ୍ତ୍ର ଫାଶୀଖୁଣ୍ଟ ପ୍ରସ୍ତୁତି ସହ ସୁଡ଼ଙ୍ଗ ତିଆରି କାର୍ଯ୍ୟ ମଧ୍ୟ ସରିଛି।ଏହି ସୁଡ଼ଙ୍ଗ ଦ୍ବାରା ଫାଶୀ ପରେ ସମସ୍ତ ଦୋଷୀଙ୍କ ମର ଶରୀର ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ। ଫାଶୀ ପୂର୍ବରୁ ସମସ୍ତ ୪ ଦୋଷୀ ସେମାନଙ୍କ ଶେଷ ଇଚ୍ଛା ଲେଖି ପାରିବେ। ଆଜି ଦୋଷୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସେମାନଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯାଉଛି। ସପ୍ତାହେ ହେଲା ଦିନକୁ ୨ ଥର ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସକାଳୁ ସ୍ନାନ ପରେ ଦୋଷୀମାନେ ଜଳଖିଆ କରିବେ। ଏହାପରେ ସେମାନଙ୍କୁ କଳା ପୋଷାକ ପିନ୍ଧାଇ ଫାଶୀ ଖୁଣ୍ଟ ନିକଟକୁ ନିଆଯିବ।
ଫାଶୀ ନିର୍ଭୟା ପିତାମାତାଙ୍କୁ ନ୍ୟାୟ ଦେଇ ପାରିବ ନାହିଁ: ଜଷ୍ଟିସ୍ ଯୋଶେଫ୍
ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସନ୍ତାକାଲି ସକାଳ ସାଢେ ୫ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ତେବେ ଏହି ଫାଶୀ ଦଣ୍ଡ ନିର୍ଭୟାର ପିତାମାତାଙ୍କୁ ନ୍ୟାୟ ପ୍ରଦାନ କରି ପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି କୁରିଆନ୍ ଯୋଶେଫ୍ କହିଛନ୍ତି। ଫାଶୀ କ’ଣ ଆଉ ଏକ ନିର୍ଭୟା ଗଣ ଦୁଷ୍କର୍ମ ଘଟଣାର ପୁନରାବୃତ୍ତିକୁ ରୋକି ପାରିବ କି ବୋଲି କୁରିଆନ୍ ପ୍ରଶ୍ନ କରିଛନ୍ତି। ଦୋଷୀମାନଙ୍କୁ ଫାଶୀ ଦେଇଦେଲେ ସମାଜରେ ଅପରାଧ ବନ୍ଦ ହୋଇଯିବ ବୋଲି ଭାବିବା ମଧ୍ୟ ଠିକ୍ ନୁହେଁ। ନ୍ୟାୟର ଅର୍ଥ ଗୋଟିଏ ମୃତ୍ୟୁ ବଦଳରେ ଆଉ ଗୋଟିଏ ମୃତ୍ୟୁ ନୁହେଁ। ନିର୍ଭୟା ମାମଲାରେ ୪ ଜଣଙ୍କୁ ଫାଶୀ ଦେଇଦେବାର ଅର୍ଥ ନ୍ୟାୟ ନୁହେଁ ବୋଲି କୁରିଆନ୍ କହିଛନ୍ତି।ମୋ’ ଝିଅର ଆତ୍ମା ଶାନ୍ତି ପାଇବ: ନିର୍ଭୟା ମା’
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ଦିଆଯିବାକୁ ପଟିଆଲା କୋର୍ଟ ନିର୍ଦ୍ଦେଶ ଦେବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ ଖୁସି ବ୍ୟକ୍ତ କରିଛନ୍ତି। ୭ ବର୍ଷ ପରେ ତାଙ୍କ ଝିଅର ଆତ୍ମା ଶାନ୍ତି ପାଇବ ବୋଲି ଆଶା ଦେବୀ ଗଣମାଧ୍ୟମକୁ କହିଛନ୍ତି। ଆସନ୍ତାକାଲି ଦୋଷୀମାନେ ଫାଶୀ ପାଇବେ ଏବଂ ସେ ଶାନ୍ତିରେ ନିଶ୍ବାସ ମାରିବେ ବୋଲି ଆଶାଦେବୀ କହିଛନ୍ତି।ଘଟଣାକ୍ରମ
୨୦୧୨ ମସିହାର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଦୀର୍ଘ ୭ ବର୍ଷ ପରେ ଶେଷରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ମାମଲାରେ ୪ ଦୋଷୀଙ୍କୁ ଆସନ୍ତାକାଲି (ଶୁକ୍ରବାର ୨୦ ତାରିଖ) ସକାଳ ୫ଟା ୩୦ରେ ତିହାର୍ ଜେଲ୍ରେ ଫାଶୀ ହେବ। ଏଥିସହ ନିର୍ଭୟାଙ୍କ ପିତାମାତାଙ୍କ ୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୋଷୀଙ୍କ ପାଇଁ ସବୁ ଆଇନଗତ ବିକଳ୍ପ ଶେଷ ହେବା ସହ ଫାଶୀ ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି।
୨୦୧୨, ଡିସେମ୍ବର ୧୬: ଜଣେ ନାବାଳକଙ୍କ ସମେତ ସମୁଦାୟ ୬ ଜଣ, ରାମ ସିଂହ (ବସ୍ ଡ୍ରାଇଭର), ରାମସିଂହର ଭାଇ ମୁକେଶ ସିଂହ. ଅକ୍ଷୟ ଠାକୁର, ବିନୟ ଶର୍ମା, ପୱନ ଗୁପ୍ତା ଦ୍ବାରା ଡାକ୍ତରୀ ଛାତ୍ରୀ ‘ନିର୍ଭୟା’ ଗଣଦୁଷ୍କର୍ମର ଶିକାର।
୨୦୧୩, ଜାନୁଆରି ୩: ହତ୍ୟା, ଗଣଦୁଷ୍କର୍ମ, ହତ୍ୟା ଉଦ୍ୟମ, ଅପହରଣ, ଡକାୟତି ମାମଲାରେ ଦିଲ୍ଲୀ ପୁଲିସ ଦ୍ବାରା ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ।
ଜାନୁଆରି ୨୮: ମାମଲାରେ ଷଷ୍ଠ ଅଭିଯୁକ୍ତ ଜଣେ ନାବାଳକ ବୋଲି ଜେଜେବି (କିଶୋର ନ୍ୟାୟ ବୋର୍ଡ) ଦ୍ବାରା ଘୋଷଣା।
ଫେବ୍ରୁଆରି ୨: ୫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସମେତ ୧୩ଟି ମାମଲା ରୁଜୁ।
ମାର୍ଚ୍ଚ ୧୧: ତିହାର ଜେଲ୍ରେ ଆତ୍ମହତ୍ୟା କଲା ବସ୍ ଡ୍ରାଇଭର ରାମ୍ ସିଂହ।
ମାର୍ଚ୍ଚ ୨୧: ଦେଶରେ ଦୁଷ୍କର୍ମ ଆଇନରେ ସଂଶୋଧନ ଅଣାଗଲା। ୬ ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ନୂଆ ଦୁଷ୍କର୍ମ ବିରୋଧୀ କଠୋର ଆଇନ ଆସିଲା।
ଅଗଷ୍ଟ ୩୧: ଗଣଦୁଷ୍କର୍ମ ଏବଂ ହତ୍ୟା ପାଇଁ ଜେଜେବି (କିଶୋର ନ୍ୟାୟ ବୋର୍ଡ) ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ ତାଙ୍କୁ ୩ ବର୍ଷ ପାଇଁ ବାଳ ସୁଧାର ଗୃହରେ ରଖିବାକୁ ନିର୍ଦ୍ଦେଶ।
ସେପ୍ଟେମ୍ବର ୧୦: ଗଣଦୁଷ୍କର୍ମ , ହତ୍ୟା ଏବଂ ଅସ୍ବାଭାବିକ କାର୍ଯ୍ୟ ସମେତ ସମୁଦାୟ ୧୩ ଟି ଅପରାଧ ମାମଲାରେ ଫାଷ୍ଟ ଟ୍ରାକ୍ କୋର୍ଟ ସମସ୍ତ ୪ ଜଣଙ୍କୁ ଦୋଷୀସାବ୍ୟସ୍ତ କଲେ।
ସେପ୍ଟେମ୍ବର ୧୩: ସମସ୍ତ ୪ ଜଣଙ୍କୁ ଫାଷ୍ଟ୍ ଟ୍ରାକ୍ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ। ଦିଲ୍ଲୀ ହାଇକୋର୍ଟକୁ ମାମଲା ସ୍ଥାନାନ୍ତର। ୨୦୧୪, ମାର୍ଚ୍ଚ ୧୩: ୪ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ କାଏମ ରଖିଲେ।
୨୦୧୫ ଡିସେମ୍ବର ୨୦: ଦିଲ୍ଲୀ ହାଇକୋର୍ଟ ନାବାଳକଙ୍କୁ ମୁକ୍ତ କରିବାପାଇଁ ମନା କରିଦେଲେ। ୩ ବର୍ଷ ବାଳ ସୁଧାର ଗୃହରେ ରହିବାପରେ ନାବାଳକ ମୁକୁଳିଲେ ।
୨୦୧୬ ଏପ୍ରିଲ ୩: ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଆରମ୍ଭ।
୨୦୧୭ ମାର୍ଚ୍ଚ ୨୭: ମାମଲାର ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଶୁଣାଣି କରିବାପରେ ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଲେ।
୨୦୧୮ ଜୁଲାଇ ୯: ପୱନ, ମୁକେଶ ଏବଂ ବିନୟଙ୍କ ଦ୍ବାରା ଦାଖଲ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଖାରଜ ।
ଡିସେମ୍ବର ୧୩: ଦୋଷୀଙ୍କ ମୃତ୍ୟୁଦଣ୍ଡାଦେଶକୁ ତ୍ବରାନ୍ବିତ କରିବାପାଇଁ ନିର୍ଭୟାଙ୍କ ବାପା ମା’ ପଟିଆଲା ହାଉସ୍ କୋର୍ଟର ଦ୍ବାରସ୍ଥ ।
୨୦୧୯: ଅକ୍ଟୋବର ୨୯:ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମସ୍ତ ଦୋଷୀ କ୍ଷମା ଆବେଦନ କରିବା ପାଇଁ ତିହାର ଜେଲ୍ ୭ ଦିନ ସମୟ ଦେଲେ।
ନଭେମ୍ବର ୮:ଦିଲ୍ଲୀ ସରକାରରେ କ୍ଷମା ଆବେଦନ କଲେ ବିନୟ ଶର୍ମା।
ଡିସେମ୍ବର ୨:ବିନୟଙ୍କ କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ କଲେ ଏଲ୍ଜି। ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ମଂଜୁରି ଦେଲେ
ଡିସେମ୍ବର ୬:ଦିଲ୍ଲୀ ସରକାରଙ୍କ କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ ସଂକ୍ରାନ୍ତ ଦିଲ୍ଲୀ ସରକାରଙ୍କ ସୁପାରିସକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ରାଷ୍ଟ୍ରପତିଙ୍କୁ ପଠାଗଲା
ଡିସେମ୍ବର ୧୦: ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟ ଦ୍ବାରା ରିଭ୍ୟୁ ପିଟିସନ୍ ଦାଖଲ।
ଡିସେମ୍ବର ୧୭: ମାମଲାର ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି।
ଡିସେମ୍ବର ୧୮:ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଖାରଜ ।
ଡିସେମ୍ବର ୧୮:ଡେଥ୍ ୱାରେଣ୍ଟ୍ ଜାରି ସଂକ୍ରାନ୍ତ ଶୁଣାଣିକୁ ଜାନୁଆରି ୭ ଯାଏଁ ସ୍ଥଗିତ ରଖିଲେ ଦିଲ୍ଲୀ କୋର୍ଟ। ନିଭର୍ୟାଙ୍କ ମା’ କୋର୍ଟ ପରିସରରେ କାନ୍ଦି ପକାଇଲେ ।
୨୦୨୦ ଜାନୁଆରି ୭:ସମସ୍ତ ୪ ଦୋଷୀଙ୍କ ପାଇଁ ଡେଥ୍ ୱାରେଣ୍ଟ୍ ଜାରି କଲେ ଦିଲ୍ଲୀ କୋର୍ଟ।
ଜାନୁଆରି ୯ , ୨୦୨୦ :ଦୋଷୀ ବିନୟ ଏବଂ ମୁକେଶ ସିଂହ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କଲେ
ଜାନୁଆରି ୧୪, ୨୦୨୦:ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲା ମୁକେଶ ସିଂହ
ଜାନୁଆରି ୧୪, ୨୦୨୦ :ବିନୟ ଶର୍ମା ଏବଂ ମୁକେଶ ସିଂହର କ୍ୟୁରେଟିଭ୍ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ
ଜାନୁଆରି ୧୭, ୨୦୨୦ :ଦୋଷୀ ମୁକେଶର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି
ଜାନୁଆରି ୧୭,୨୦୨୦ : ଦିଲ୍ଲୀ କୋର୍ଟ ପୁଣିଥରେ ଫେବ୍ରୁଆରି ୧ ସକାଳ ୬ରେ ଫାଶୀ ପାଇଁ ଡେଥ୍ ୱାରେଣ୍ଟ୍ ଜାରି କଲେ
ଜାନୁଆରି ୨୫,୨୦୨୦ : କ୍ଷମା ଆବେଦନ ଖାରଜକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଦୋଷୀ ମୁକେଶ
ଜାନୁଆରି ୨୮, ୨୦୨୦ : ଅକ୍ଷୟ ଠାକୁର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କଲା
ଜାନୁଆରି ୨୯ , ୨୦୨୦ : ମୁକେଶର କ୍ଷମା ଆବେଦନ ସୁପ୍ରିମକୋର୍ଟରେ ଖାରଜ
ଫେବ୍ରୁଆରି ୧, ୨୦୨୦ :ଦୋଷୀ ବିନୟ ଶର୍ମାର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି
ଫେବ୍ରୁଆରି ୧, ୨୦୨୦ :ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲା ଅକ୍ଷୟ ଠାକୁର
ଫେବ୍ରୁଆରି ୫ , ୨୦୨୦ :ସମସ୍ତ ନ୍ୟାୟିକ ପଦକ୍ଷେପ ଗ୍ରହଣ କରିବାପାଇଁ ଦୋଷୀଙ୍କୁ ୧ ସପ୍ତାହ ସମୟ ଦେଲେ ଦିଲ୍ଲୀ ହାଇକୋର୍ଟ
ଫେବ୍ରୁଆରି ୫,୨୦୨୦ :ଅକ୍ଷୟ ଠାକୁରର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି
ଫେବ୍ରୁଆରି ୧୭,୨୦୨୦ :ମାର୍ଚ୍ଚ ୩ରେ ସମସ୍ତ ଦୋଷୀଙ୍କୁ ଫାଶୀ ପାଇଁ ଦିଲ୍ଲୀ କୋର୍ଟ ଡେଥ୍ ୱାରେଣ୍ଟ୍ ଜାରି କଲେ
ଫେବ୍ରୁଆରି ୨୮ , ୨୦୨୦ :ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାପାଇଁ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କଲା
ମାର୍ଚ୍ଚ ୨ :ପବନ କୁମାରର କ୍ୟୁରେଟିଭ୍ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ
ମାର୍ଚ୍ଚ ୨, ୨୦୨୦ :ଡେଥ୍ ୱାରେଣ୍ଟ୍ ଉପରେ ରହିତାଦେଶ ଲଗାଇଲେ ଦିଲ୍ଲୀ କୋର୍ଟ
ମାର୍ଚ୍ଚ ୪, ୨୦୨୦ :ପବନ ଗୁପ୍ତାର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି
ମାର୍ଚ୍ଚ ୫,୨୦୨୦ :ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ରେ ଫାଶୀ ପାଇଁ ପୁଣିଥରେ ଡେଥ୍ ୱାରେଣ୍ଟ୍ ଜାରି କଲେ ଦିଲ୍ଲୀ କୋର୍ଟ
ମାର୍ଚ୍ଚ ୧୬,୨୦୨୦ :୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ଡେଥ୍ ୱାରେଣ୍ଟ୍ ଉପରେ ରହିତାଦେଶ ଲଗାଇବାକୁ ଆଇସିଜେଙ୍କୁ ଅନୁରୋଧ କଲେ
ମାର୍ଚ୍ଚ ୧୮,୨୦୨୦ :ଅକ୍ଷୟ ସିଂହର ପତ୍ନୀ ବିହାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କଲା
ମାର୍ଚ୍ଚ ୧୯ ,୨୦୨୦ :କ୍ଷମା ଆବେଦନ ଖାରଜକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଅକ୍ଷୟ ଠାକୁର
ମାର୍ଚ୍ଚ ୧୯, ୨୦୨୦ : ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ମୁକେଶ ସିଂହ କରିଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ମାର୍ଚ୍ଚ ୧୯, ୨୦୨୦ : ଡେଥ୍ ୱାରେଣ୍ଟ୍ ଉପରେ ରହିତାଦେଶ ଲଗାଇବାକୁ ମନା କଲେ ଦିଲ୍ଲୀ କୋର୍ଟ
ମାର୍ଚ୍ଚ ୧୯,୨୦୨୦ :ରାଷ୍ଟ୍ରପତିଙ୍କ କ୍ଷମା ଆବେଦନକୁ ଚ୍ୟାଲେଂଜ କରି ଅକ୍ଷୟ ଦ୍ବାରା ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ