ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଅପରାଧର ୨,୬୫୦ ଦିନ ପରେ ଫାଶୀ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂହ (୩୨), ପବନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)କୁ ଆଜି ସକାଳ ସାଢେ ୫ଟାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଅପରାଧର ୨,୬୫୦ ଦିନ ପରେ ସେମାନଙ୍କ ଫାଶୀଦଣ୍ଡ କାର୍ଯ୍ୟକାରୀ ହୋଇଛି। ଦୋଷୀମାନଙ୍କ ସମସ୍ତ ପିଟିସନ୍‌କୁ ସୁପ୍ରିମ୍‌ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଏବଂ ପଟିଆଲା ହାଉସ କୋର୍ଟ ଖାରଜ କରିଦେବା ପରେ ୪ ଦୋଷୀଙ୍କ ଫାଶୀ ସମ୍ଭବ ହୋଇପାରିଛି। ଏକସଂଗରେ ୪ ଜଣଙ୍କୁ ଏଭଳି ଫାଶୀ ଦିଆଯିବା ଭାରତରେ ପ୍ରଥମ ଘଟଣା। ୪ ଦୋଷୀଙ୍କୁ ଏକସଂଗରେ ଶୁକ୍ରବାର ସକାଳ ୫ଟା ୩୦ରେ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ପୂର୍ବରୁ ଯେଉଁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା ତାହା ଯଥାରୀତି କାର୍ଯ୍ୟକାରୀ ହୋଇଥିଲା।

ସେଦିନର ଛାତିଥରା‌ ଘଟଣା
ନୂଆଦିଲ୍ଲୀ: ୨୦୧୨ ଡିସେମ୍ବର ୧୬ ତାରିଖ ଦିଲ୍ଲୀ ପାଇଁ ଏକ କଳାଦିନ ଥିଲା। ନିରପିଶାଚମାନେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣଦୁଷ୍କର୍ମ ପରେ ଅତ୍ୟନ୍ତ ଅମାନୁଷିକ ନିର୍ଯାତନା ଦେଇଥିଲେ। ପରବର୍ତ୍ତୀ ସମୟରେ ନିର୍ଭୟାଙ୍କ ମୃତ୍ୟୁ ଘଟିଥିଲା। ଏବେ ଦୀର୍ଘ ୭ ବର୍ଷ ପରେ ନିର୍ଭୟ‌ାଙ୍କୁ ନ୍ୟାୟ ମିଳିଛି। ନିର୍ଭୟାଙ୍କ ସହ ଡିସେମ୍ବର ୧୬ ତାରିଖ ରାତିରେ ଯାହା ଘଟିଥିଲା ତାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ନିର୍ଭୟା ତାଙ୍କର ଜଣେ ବନ୍ଧୁଙ୍କ ସହ ମୁନ୍‌ରିକା ବସ୍‌ଷ୍ଟାଣ୍ଡ୍‌ରେ ରାତି ପ୍ରାୟ ୮ଟା ସମୟ‌ରେ ଅଟୋରିକ୍ସା ଯୋଗେ ପହଞ୍ଚିଥିଲେ। ଦକ୍ଷିଣ ଦିଲ୍ଲୀର ସାକେତ୍‌ରେ ଏକ ମୁଭି ଥିଏଟରରୁ ଫେରିବା ପରେ ନିର୍ଭୟା ଏବଂ ତାଙ୍କ ବନ୍ଧୁ ମୁନ୍‌ରିକା ବସ୍‌ ଷ୍ଟାଣ୍ଡ୍‌ରେ ପହଞ୍ଚିଥିଲେ। କୌଣସି ସରକାରୀ ବସ୍‌ ନପାଇବାରୁ ସମାନେ ଏକ ଘରୋଇ ବସ୍‌ ଧରିଥିଲେ। ସେମାନେ ଡ୍ରାଇଭର କ୍ୟାବିନ୍‌ରେ ୪ ଜଣଙ୍କୁ ଦେଖିଥିଲେ ଏବଂ ୨ ଜଣଙ୍କୁ କ୍ୟାବିନ୍‌ ପଛରେ ବସିଥିବା ଦେଖିଥିଲେ। ସମସ୍ତଙ୍କୁ ସେମାନେ ଯାତ୍ରୀ ବୋଲି ଭାବିଥିଲେ। ନିର୍ଭୟା ଏବଂ ତାଙ୍କ ବନ୍ଧୁ ବସ୍‌ର ଦ୍ବିତୀୟ ସିଟ୍‌ରେ ପାଖାପାଖି ବସିଥିଲେ। ସେମାନେ ୨୦ ଟଙ୍କା ବସ୍‌ ଭଡ଼ା ଦେଇଥିଲେ। ବସ୍‌ଟି ବିମାନବନ୍ଦର ନିକଟସ୍ଥ ଫ୍ଲାଏଓଭର ନିକଟ‌ରେ ପହଞ୍ଚିବା ପରେ ୩ ଜଣ କ୍ୟାବିନ୍‌ରୁ ବାହାରି ଆସିଥିଲେ। ୨ଜଣ ପ୍ରଥମେ ମହିଳାଙ୍କ ବନ୍ଧୁଙ୍କୁ ମାରପିଟ୍‌ କରିଥିଲେ। ଏତେରାତିରେ ସେ ତାଙ୍କୁ କୁଆଡ଼େ ନେଇ ଯାଉଛନ୍ତି ବୋଲି ପଚାରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ ବନ୍ଧୁଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏହାପରେ ଅନ୍ୟ ୨ ଜଣ ବି ବସ୍‌ରେ ପଡ଼ିଥିବା ଲୁହା ରଡ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ। ନିର୍ଭୟା ତାଙ୍କ ବନ୍ଧୁଙ୍କୁ ରକ୍ଷା କରିବାକୁ ଆସିବାରୁ ୨ ଜଣ ତାଙ୍କୁ ବସ୍‌ର ପଛ ସିଟ୍‌କୁ ଟାଣି ନେଇ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ‌ଗୁପ୍ତାଙ୍ଗରେ ଲୁହା ରଡ୍‌ ଭର୍ତ୍ତି କରି ନିର୍ଯାତନା ଦେଇଥିଲେ। ଏହାପରେ ନରପିଶାଚମାନେ ନିର୍ଭୟା ଓ ତାଙ୍କ ବନ୍ଧୁଙ୍କୁ ବସ୍‌ରୁ ଉଲଗ୍ନ ଅବସ୍ଥାରେ ଫୋପାଡ଼ି ଦେଇଥିଲେ। ରାସ୍ତାରେ ଯାଉଥିବା ଲୋକେ ପୀଡ଼ିତା ଏବଂ ତାଙ୍କ ବନ୍ଧୁଙ୍କୁ ‌ ଦେଖିବାପରେ ପୁଲିସରେ ଖବର ଦେଇଥିଲେ ଏବଂ ପରେ ସେମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲ୍‌ ନିଆଯାଇଥିଲା।

ଫାଶୀ ପୂର୍ବରୁ କ’ଣ କରାଯାଇଥିଲ‌ା
୪.୪ ମିନିଟ: ଦୋ‌ଷୀ ‌ନିଦରୁ ଉଠିଲେ। ସେମାନଙ୍କୁ ଗାଧୋଇବାକୁ କୁହାଗଲା
୪.୧୫: ଦୋଷୀମାନଙ୍କୁ ସେମାନଙ୍କ ଶେଷ ପ୍ରାର୍ଥନା କରିବାକୁ ସମୟ ଦିଆଯାଇଥିଲା। କିନ୍ତୁ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ସେମାନଙ୍କୁ ସକାଳ ଭୋଜନ ଦିଆଯାଇଥିଲା।
୪.୩୦: ଫାଶୀଖୁଣ୍ଟ ନିକଟକୁ ଯିବା ପୂର୍ବରୁ ୪ ଦୋଷୀଙ୍କ ମେଡିକାଲ ଟେଷ୍ଟ୍‌ କରାଯାଇଥିଲା। ସମସ୍ତ ଦୋଷୀଙ୍କୁ ମିଳିବାକୁ ଥିବା ଦଣ୍ଡ ବହନ କରିବାକୁ ସେମାନେ ଠିକ୍‌ ଅଛନ୍ତି ବୋଲି ଜଣାପଡ଼ିଥିଲା। ‌ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ଶେଷ ମୁହୂର୍ତ୍ତରେ ଫାଶୀ ରୋକିବା ପାଇଁ କୌଣସି ନୋଟିସ୍‌ ଆସିଛି କି ନାହିଁ ଯାଞ୍ଚ କରିଥିଲେ। କିନ୍ତୁ କୌଣସି ନୋଟିସ୍‌ ପାଇନଥିଲେ।
୫.୨୦: ମୁହଁରେ ଏକ କଟନ୍‌ କପଡ଼ା ପିନ୍ଧାଇ ଏବଂ ଦୋଷୀଙ୍କ ହାତ ପଛକୁ ବାନ୍ଧି ସେମାନଙ୍କୁ ‌ଜେଲ୍‌ ପରିସରର ଫାଶୀ ଗୃହକୁ ନିଆଯାଇଥିଲା। ଏହି ସମୟରେ ଜେଲ୍‌ରେ ଥିବା ଅନ୍ୟ କଏଦୀମାନଙ୍କୁ ସେମାନଙ୍କ ପ୍ରକୋଷ୍ଠ ଛାଡ଼ିବାକୁ ମନା କରାଯାଇଥିଲା।
୫.୨୫: ଦୋଷୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା ପଚରା ଯାଇଥିଲା। ୨ ଜଣ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
୫.୪୦: ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା।
୫.୪୦: ତିହାର ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ ସମସ୍ତ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିଥିବା ସ୍ପଷ୍ଟ କଲେ ।
୬.୦୦: ସମସ୍ତଙ୍କ ମୃତ୍ୟୁ ହୋଇଥିବା ଡାକ୍ତରୀ ଦଳ ସ୍ପଷ୍ଟ କଲେ ଏବଂ ପ‌ରେ ସେମାନଙ୍କ ମୃତଦେହକୁ ତଳକୁ ଅଣାଯାଇଥିଲା।
୭.୦୦: ୪ ଦୋଷୀଙ୍କ ମର ଶରୀର ବ୍ୟବଚ୍ଛେଦ ପାଇଁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲ୍‌ ନିଆଯାଇଥିଲା।

ଫାଶୀ ପୂର୍ବରୁ ଗାଧୋଇ ନଥିଲେ କି ଖାଇନଥିଲେ
ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀ ଆଜି ଭୋର ୫.୩୦ରେ ଫାଶୀଖୁଣ୍ଟରେ ଝୁଲିଛନ୍ତି। ତେବେ ଫାଶୀ ପାଇଁ ଯିବା ପୂର୍ବରୁ ସେମାନେ ଗାଧୋଇ ନଥିଲେ କି ସେମାନଙ୍କ ଶେଷ ଖାଦ୍ୟ ତଥା ସକାଳ ଜଳଖିଆ କରିନଥିଲେ। ଜେଲ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ୨ ଜଣ ‌ଦୋଷୀ ମୁକେଶ ସିଂହ ଏବଂ ବିନୟ ଶର୍ମା ନିଧାର୍ଯ୍ୟ ସମୟରେ ଗତକାଲି ରାତ୍ରି ଭୋଜନ କରିଥିଲେ। ରୁଟି, ଡାଲି, ଭାତ ଏବଂ ସବ୍‌ଜି ଖାଇଥିଲେ। ଅନ୍ୟପକ୍ଷେ ଅକ୍ଷୟ ସିଂହ ଠାକୁର ଏବଂ ପବନ ଗୁପ୍ତା ସେମାନଙ୍କ ରାତ୍ରୀଭୋଜନ କରିଥିଲେ। ଠାକୁର ଗୁରୁବାର ସନ୍ଧ୍ୟାରେ ଚା’ ପିଇଥିଲା। ଦୋଷୀମାନେ ଗତରାତିରେ ଯେଉଁ ପୋଷାକ ପିନ୍ଧିଥିଲେ ସେହି ସମାନ ପୋଷାକ ପିନ୍ଧି ଫାଶୀ ଖୁଣ୍ଟରେ ଝୁଲିଥିଲେ।

ଅଙ୍ଗଦାନ କରିବାକୁ ଚାହିଲା ମୁକେଶ
ନୂଆଦିଲ୍ଲୀ: ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ମୁକେଶ ସିଂହ ତା’ର ଅଙ୍ଗଦାନ କରିବାକୁ ଚାହିଥିଲା ଏବଂ ମୁକେଶ ତା’ର ଏହି ଇଚ୍ଛାକୁ ଲିଖିତ ଆକାରରେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଦେଇଥିଲା। ମିଳିଥିବା ସୂଚନାନୁଯାୟୀ ବିନୟ ଶର୍ମା ତା’ ଦ୍ବାରା ଜେଲ୍‌ରେ ପ୍ରସ୍ତୁତ କରାଯାଇଥିବା ପେଣ୍ଟିଂକୁ ରଖିବାପାଇଁ କହିଛି। ସେହିପରି ସେ ନିଜ ପାଖରେ ରଖିଥିବା ହନୁମାନ ଚାଳିଷା ଏବଂ ଫଟୋଗ୍ରାଫ୍‌କୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବାକୁ କହିଥିଲା। ଅନ୍ୟପକ୍ଷେ ପବନ ଗୁପ୍ତା ଏବଂ ଅକ୍ଷୟ ସିଂହ କିଛି ଦେବାକୁ ଚାହିନଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍‌ ଆଜି ଭୋର ପ୍ରାୟ ୪.୪୫ ସମୟରେ ଦୋଷୀମାନଙ୍କୁ ସେମାନଙ୍କ ଇଚ୍ଛା ସମ୍ପର୍କରେ ପଚରାଯିବା ପରେ ୨ ଜଣ ସେମାନଙ୍କ ଇଚ୍ଛା ସମ୍ପର୍କରେ ଲିଖିତ ଆକାରରେ ଦେଇଥିଲେ।

 

ସମ୍ବନ୍ଧିତ ଖବର