ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ପଟିଆଲା ହାଉସ୍‌ କୋର୍ଟ ୪ ଦୋଷୀଙ୍କ ଡେଥ୍‌ ୱାରେଣ୍ଟ୍‌ ଉପରେ ରହିତାଦେଶ ଲଗାଇବା ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ନ‌ଦେବାକୁ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫାଶୀରେ ହେଉଥିବା ବିଳମ୍ବ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିଁ ଦାୟୀ ବୋଲି ନିର୍ଭୟାଙ୍କ ମାତା-ପିତା କହିଛନ୍ତି। କେଜ୍ରିୱାଲଙ୍କ ଅଧୀନରେ ଜେଲ୍‌ ପ୍ରଶାସନ ରହିଥିବାରୁ ସେ ଫାଶୀକୁ ଟାଳିବା ପାଇଁ ସବୁ କୌଶଳକୁ ସମର୍ଥନ ଦେଇଛନ୍ତି ବୋଲି ନିର୍ଭୟାଙ୍କ ମାତାପିତା କହିଛନ୍ତି। ତେବେ କେଜ୍ରିୱାଲ କହିଛନ୍ତି ଯେ ଏହା ଆଇନଗତ ଜଟିଳତା ଯୋଗୁଁ ହୋଇଛି ଏବଂ ଏଥିରେ ପରିବର୍ତ୍ତନ ହେବା ଆବଶ୍ୟକ। ଫାଶୀ ଉପରେ ପୁଣି ରହିତାଦେଶ ଯୋଗୁଁ ନିର୍ଭୟାଙ୍କ ମା’ ଆଶାଦେବୀ ଭାଙ୍ଗି ପଡ଼ିଛନ୍ତି। କୋର୍ଟ ରାୟ ଆସିବା ପରେ ଆଶାଦେବୀ ଗଣମାଧ୍ୟମ ସମ୍ମୁଖରେ ଆଜି କାନ୍ଦି ପକାଇଥିଲେ। ସେ କହିଥିଲେ ଯେ ଅପରାଧୀଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ଆମକୁ ବ୍ୟବସ୍ଥା ବାଧ୍ୟ କରୁଛି। ୭ ବର୍ଷ ପୂର୍ବରୁ ଝିଅ ସହିତ ଅପରାଧ ଘଟିଛି ଏବଂ ସରକାର ବାରମ୍ବାର ମତେ ଅପରାଧୀଙ୍କ ଆଗରେ ନତମସ୍ତକ କରାଉଛନ୍ତି। ତେବେ ସବୁ ଜଟିଳତା ସତ୍ତ୍ବେ ଅପରାଧୀଙ୍କୁ ଫାଶୀ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଆଶାଦେବୀ କହିଛନ୍ତି। ଦୋଷୀଙ୍କ ଫାଶୀ ଦଣ୍ଡ କାର୍ଯ୍ୟକାରୀ କଦାପି ହୋଇପାରିବ ନାହିଁ ବୋଲି ଦୋଷୀଙ୍କ ଓକିଲ ଏ ପି ସିଂହ ମତେ ଚ୍ୟାଲେଂଜ କରିଛନ୍ତି ବୋଲି ଆଶଦେବୀ କହିଛନ୍ତି। ଅପରାଧୀଙ୍କ ଚାଲ୍‌ ଆଗରେ ନ୍ୟାୟିକ ବ୍ୟବସ୍ଥା କିଭଳି ପ୍ରହସନ ପାଲଟିଯାଇଛି ସେ ନେଇ ଆଶାଦେବୀ କହିଛନ୍ତି- ମୁଁ ସରକାର, ଅଦାଲତ ଏବଂ ଆମ ନ୍ୟାୟ ବ୍ୟବସ୍ଥାକୁ କହିବାକୁ ଚାହୁଛି ଯେ ଆଇନରେ ଥିବା ଦୁର୍ବଳାତର ଭରପୂର ସୁଯୋଗ ଅପରାଧୀମାନେ ଉଠାଉଛନ୍ତି ଏବଂ ନ୍ୟୟ ପାଇଁ ସଂଘର୍ଷ କରୁଥିବା ଲୋକଙ୍କୁ ଅପରାଧୀଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରାଯାଉଛି। ଦୋଷୀଙ୍କ ଓକିଲ ମତେ ଚ୍ୟାଲେଂଜ କରିଥିଲେ ଏବଂ ଆଜି ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ଆସିଛି। ତେବେ ଆମେ ଲଢ଼ିବୁ ଏବଂ ଅପରାଧୀଙ୍କୁ ଫାଶୀ ମିଳିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ।.

Advertisment

ଦୋଷୀ ପବନର ପୁନର୍ବିଚାର ଆବେଦନ ଖାରଜ
ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର ପୁନର୍ବିଚାର ଆବେଦନକୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇଛନ୍ତି। ପବନ ଅପରାଧ ଘଟିବା ସମୟରେ ନାବାଳକ ଥିଲା ବୋଲି ଦର୍ଶାଇ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲା ପ୍ରଧାନ ବିଚାରପତି ଏସ୍‌ଏ ବୋବଡ଼େ, ଜଷ୍ଟିସ ବି.ଆର ଗବଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ ଯେ ଯଦି କାହାକୁ ଫାଶୀ ହେବାକୁ ଯାଉଛି ତା’ହେଲେ ଏହାଠାରୁ ଆଉ ଜରୁରୀ କିଛି ହୋଇପାରିବ ନାହିଁ। ଏଭଳି ମାମଲା ନିରର୍ଥକ ବୋଲି ଖଣ୍ଡପୀଠ କହିଛନ୍ତି। ସମଗ୍ର ବିଚାର ପ୍ରକ୍ରିୟାରେ ପବନକୁ ସାବାଳକ ଭାବେ ଗ୍ରହଣ କରାଯାଇଛି ବୋଲି କୋର୍ଟ କହିବା ସହ ଦୋଷୀର ଆବେଦନକୁ ଖାରଜ କରିଦେଇଥିଲେ। ପୂର୍ବରୁ ଏହି ମାମଲା ହାଇକୋର୍ଟରେ ଖାରଜ ହୋଇଥିବା ବେଳେ ଗତ ୨୦ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ମଧ୍ୟ ଏହାକୁ ଖାରଜ କରିଥିଲେ। ତେବେ ଫାଶୀ ଟାଳିବା ପାଇଁ ଦୋଷୀଙ୍କ ପକ୍ଷରୁ ଆଉ ଏକ ପ୍ରୟାସ କରାଯାଇ ସୁପ୍ରିମ୍‌ କୋର୍ଟରେ ପୁନର୍ବିଚାର ଆବେଦନ ଦାଖଲ କରାଯାଇଛି।