ନିର୍ଭୟା ମାମଲା : ଦୁଷ୍କର୍ମକାରୀ ପବନ ଗୁପ୍ତାର ନାବାଳକ ହୋଇଥିବା ଦାବିକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଓକିଲଙ୍କ ଉପରେ ୨୫,୦୦୦ ଜରିମାନା

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ ଗୁପ୍ତାର ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।  ଏହି ଆବେଦନରେ ପବନ ଦର୍ଶାଇଥିଲା ଯେ ୨୦୧୨, ଡିସେମ୍ବରରେ ଏହି ଅପରାଧ ଘଟାଇବାବେଳେ ସେ ନାବାଳକ ଥିଲା, ଏଣୁ ତାକୁ ଦଣ୍ଡରୁ ଛାଡ଼ କରାଯାଉ । ପୂର୍ବରୁ ହାଇକୋର୍ଟ ଏହି ଆବେଦନର ଶୁଣାଣି ୨୦୨୦ ଜାନୁୟାରୀ ୨୪ରେ କରିବାକୁ ଧାର୍ଯ୍ୟ କରିଥିଲେ । କିନ୍ତୁ କୋର୍ଟ  ଗୁରୁବାର ସେହି ଆଦେଶକୁ ପ୍ରତ୍ୟାହାର କରିନେବା ସହ ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ । ଅଦାଲତରେ ଉପସ୍ଥିତ ହେବାକୁ  ବାରମ୍ବାର ଯୋଗାଯୋଗ କରାଯିବା ସତ୍ତ୍ୱେ ଫୋନ ଉଠାଇ ନଥିବାରୁ କୋର୍ଟ ପବନର ଓକିଲ ଏ.ପି.ସିଂଙ୍କୁ ୨୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ।

ନିର୍ଭୟା  ଦୁଷ୍କର୍ମକାରୀ ପବନ  ଅପରାଧ ଦିନ (୧୬ ଡିସେମ୍ବର ୨୦୧୨)  ନାବାଳକ ଥିଲେ, ତେଣୁ ତାଙ୍କୁ  ‘ଜୁଭେନାଇଲ୍ ଜଷ୍ଟିସ୍’ ଆଇନର ପ୍ରବଧାନ ଅନୁଯାୟୀ ଦଣ୍ଡବିଧାନ ହେଉ ବୋଲି ଦାବି କରି  ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ବୟସ ଜାଣିବାକୁ ତଦନ୍ତକାରୀ ଅଧିକାରୀ ତାଙ୍କର ହାଡ଼ ପରୀକ୍ଷା କରାଇ ନ ଥିବାରୁ ଆଇନ ଅନୁସାରେ, ତାଙ୍କୁ ‘ବେନିଫିଟ୍ ଅଫ୍ ଡାଉଟ୍’ରେ ଛାଡ଼ କରାଯାଉ ବୋଲି ସେ ନିବେଦନ କରିଥିଲେ। ଏଥିସହ  ସେ ନାବାଳକ ଥିଲେ କି ନାହିଁ ତାହା ସ୍ଥିର କରିବାକୁ ତାଙ୍କର ହାଡ଼ ପରୀକ୍ଷା ଲାଗି ଆଦେଶ ଦିଆଯାଉ ବୋଲି ସେ ଆବେଦନ ପତ୍ରରେ ଉଲ୍ଲେଖ କରିଥିଲେ।

The Indian Express

ମାତ୍ର ଏହି ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି କି ଯେହେତୁ ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇ ସାରିଛନ୍ତି ତେଣୁ ଏହାକୁ ବିଚାର କରିବା କ୍ଷମତା କୋର୍ଟଙ୍କର ନାହିଁ। ଏହି କାରଣରୁ ଜୁଭେନାଇଲ୍ ଜଷ୍ଟିସ ଆକ୍ଟର ଧାରା-୭ ଅନୁସାରେ ଆବେଦନର ଶୁଣାଣି ହାଇକୋର୍ଟ କରିପାରିବେ ନାହିଁ। ସେହିପରି ଦିଲ୍ଲୀ ହାଇକୋର୍ଟ ଅପରାଧ ଦିନ ପବନଙ୍କ ନାବାଳକ ହେବା ଦାବିକୁ ମଧ୍ୟ ନାକଚ କରିଦେଇଛନ୍ତି। କୋର୍ଟ କହିଛନ୍ତି କି ତଦନ୍ତ ସମୟର ତଥ୍ୟପ୍ରମାଣ ଅନୁସାରେ ସେ ଅପରାଧ ଦିନ ନାବାଳକ ନଥିଲେ। ଏହା ଫଳରେ ଫାଶୀଦଣ୍ଡରୁ ବର୍ତ୍ତିବ‌ା ଲାଗି ପବନ ଗୁପ୍ତାର ଶେ‌ଷ ଉଦ୍ୟମ ବିଫଳ ହୋଇଛି ବୋଲି ଆଇନ ବିଶାରଦ ମତ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାକୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯ୍ୟାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାକୁ ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।

ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ଆଉ ଜଣ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇଦିଆଯାଇଥିଲା । ୨୦୧୩, ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଏହି ୪ ଅଭିଯୁକ୍ତମାନଙ୍କୁ ଦୋଷୀ ଘୋଷଣା କରିବା ସହ ମୃତ୍ୟୁଦଣ୍ଡ ଦେଇଥିଲେ । ୫ ମେ, ୨୦୧୭ରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ସେହିବର୍ଷ ନଭେମ୍ବର ୧୩ରେ ଦୋଷୀମାନେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ । ଗତ ବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ ।  ଗତ ବୁଧବାରଦିନ ସୁପ୍ରିମକୋର୍ଟ ଆଉ ଜଣେ ଦୋଷୀ ଅକ୍ଷୟ କୁମାର ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ ।

ସମ୍ବନ୍ଧିତ ଖବର