ନିର୍ଭୟା ଦୋଷୀ ଜେଲ୍‌ ପ୍ରଶାସନ ବିରୋଧରେ ଅଦାଲତ ଗଲେ, ଆଉଥରେ ଟଳିପାରେ ଫାଶୀ ତାରିଖ

କ୍ଷମା ଆବେଦନ ସହିତ ୧୭୦ ପୃଷ୍ଠାର ବ୍ୟକ୍ତିଗତ ଡାଏରୀ ଦାଖଲ କରିବ ଦୋଷୀ ବିନୟ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ପୁଣି ଏକ ନୂଆ କୌଶଳ ଅବଲମ୍ବନ କରିଛନ୍ତି। ଏହି ମାମଲାର ତିନି ଜଣ ଦୋଷୀ ବିନୟ କୁମାର ଶର୍ମା, ପବନ କୁମାର ଗୁପ୍ତା ଏବଂ ଅକ୍ଷୟ ସିଂହ ଠାକୁରର ଓକିଲ ଏପି ସିଂହ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତିହାର ଜେଲ୍‌ ପ୍ରଶାସନ ଦୋଷୀମାନଙ୍କୁ ସେମାନଙ୍କ ଦଣ୍ଡାଦେଶ ଏବଂ ଡେଥ୍‌ ୱାରେଣ୍ଟ୍‌ ସଂପର୍କିତ ଆବଶ୍ୟକ ଦସ୍ତାବିଜ ଉପଲବ୍ଧ କରାଇ ନାହାନ୍ତି ବୋଲି ଅଭିଯୋଗ କରି ଓକିଲ ଏପି ସିଂହ ମାମଲା ରୁଜୁ କରିଛନ୍ତି। ଏହି ଦସ୍ତାବିଜ ଉପଲବ୍ଧ ହେବାପରେ ହିଁ ଦୋଷୀ ବିନୟ, ପବନ ଏବଂ ଅକ୍ଷୟ କ୍ୟୁରେଟିଭ୍‌ ପିଟିସନ ଏବଂ କ୍ଷମା ଆବେଦନ ଦାଖଲ କରିପାରିବେ ବୋଲି ସେ କହିଛନ୍ତି।

ନିର୍ଭୟା ମାମଲାର ୩ ଦୋଷୀ ପବନ, ଅକ୍ଷୟ ଏବଂ ବିନୟ ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କଲେ ୧ ଫେବ୍ରୁଆରିରେ ହେବାକୁ ଥିବା ଫାଶୀ ପୁଣି ଘୁଞ୍ଚିବ। ଯଦି ସେମାନଙ୍କ ଆବେଦନ ଖାରଜ ହୁଏ ତା’ହେଲେ ମଧ୍ୟ ଏହି ୩ ଜଣଙ୍କ ପାଖରେ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ ଦାଖଲ କରିବା ପାଇଁ ବିକଳ୍ପ ଖୋଲା ରହିବ। ଏହି ତିନି ଦୋଷୀ ସେମାନଙ୍କ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ପାଇଁ ନିବେଦନ କରିବେ ବୋଲି ସେମାନଙ୍କ ଓକିଲ କହିଛନ୍ତି। ଦୋଷୀ ବିନୟ ତା’ର ୧୭୦ ପୃଷ୍ଠାର ଏକ ବ୍ୟକ୍ତିଗତ ଡାଏରୀ ମଧ୍ୟ କ୍ଷମା ଆବେଦନ ସହିତ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବ ବୋଲି ସେ କହିଛନ୍ତି। ଦୋଷୀମାନଙ୍କ ବ୍ୟବହାରରେ ବ୍ୟାପକ ସଂସ୍କାର ଆସିଛି ଏବଂ ଅଦାଲତରେ ଏ ବାବଦ ତଥ୍ୟ ଉପସ୍ଥାପନ କରାଯିବ ବୋଲି ଏ.ପି. ସିଂହ କହିଛନ୍ତି। ଏହି ମାମଲାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ ଦୋଷୀଙ୍କ ଓକିଲ ଫାଶୀରେ ବିଳମ୍ବ ପାଇଁ ଯେଉଁ ରଣନୀତି ଧରିଛନ୍ତି ସେଥିରେ ନ୍ୟାୟିକ ବ୍ୟବସ୍ଥା ଏକ ପ୍ରହସନ ହୋଇଯାଇଛି। ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ କେବଳ ଜଣେ ଦୋଷୀ ହିଁ ଏ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିଛି।

ସମ୍ବନ୍ଧିତ ଖବର