ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି! ଭୋ ଭୋ ହୋଇ କାନ୍ଦି ଉଠିଲେ ନିର୍ଭୟାଙ୍କ ମାଆ ଆଶା ଦେବୀ

ନୂଆଦିଲ୍ଳୀ: ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି! ଗୋଟାଏ ପରେ ଗୋଟାଏ ତାରିଖ ଧାର୍ଯ୍ୟ ହୋଇ ମଧ୍ୟ ଫାଶୀ ଖୁଣ୍ଟ ପାଖକୁ ଯାଇପାରୁ ନାହାନ୍ତି ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାର ୪ ଦୋଷୀ। ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିଥାନ୍ତେ ଏହି ୪ ନରପିଚାଶ। ହେଲେ ଠିକ୍ ପୂର୍ବଦିନ ସଂଧ୍ୟାରେ ଫାଶୀକୁ ସ୍ଥଗିତ କରି ଦେଇଛନ୍ତି ଦିଲ୍ଳୀର ପଟିଆଲା ହାଉସ୍‌ କୋର୍ଟ। ଏପରି ସ୍ଥିତିରେ ଭୋ ଭୋ ହୋଇ କାନ୍ଦି ଉଠିଛନ୍ତି ବହୁ ଦିନ ଧରି ନିଜ ଝିଅ ପାଇଁ ଲଢ଼ି ଆସୁଥିବା ନିର୍ଭୟାଙ୍କ ମାଆ ଆଶାଦେବୀ।

(Photo Credits: ANI)

ସେ ଗଣମାଧ୍ୟମରେ କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି ଯେ ନିର୍ଭୟା ଦୋଷୀମାନଙ୍କୁ କୌଣସି ବି ପରିସ୍ଥିତିରେ ଫାଶୀ ମିଳିବ ନାହିଁ ବୋଲି ଦାବିର ସହ କହିଛନ୍ତି ଅପର ପକ୍ଷର ଓକିଲ। ଏପରିକି ଆଜି ସକାଳୁ ମଧ୍ୟ ଅପରାଧୀ ପକ୍ଷର ଓକିଲ ଆଶାଦେବୀଙ୍କ ଉପରେ ହସିବା ସହ ଦୋଷୀମାନଙ୍କୁ ସେ ଫାଶୀରୁ ବଞ୍ଚାଇବେ ବୋଲି ଜୋର୍‌ ଦେଇ କହିଥିଲେ ବୋଲି ଆଶାଦେବୀ ଗଣମାଧ୍ୟମରେ କହିଛନ୍ତି। ଓକିଲ ଏପି ସିଂହ ସକାଳୁ ଆଶାଦେବୀଙ୍କୁ ଚାଲେଞ୍ଜ କରି କହିଥିଲେ କି ନିର୍ଭୟା ଦୋଷୀମାନଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ହୋଇସାରିଛି। ଏ ନେଇ ଆଶା ଦେବୀ କହିଛନ୍ତି କି ‘ମୁଁ କୌଣସି ବି ପରିସ୍ଥିତିରେ ହାର୍‌ ମାନିବି ନାହିଁ। ସରକାର ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ବାଧ୍ୟ।’

ଉଲ୍ଳେଖଯୋଗ୍ୟ, ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ  ୪ ଦୋଷୀଙ୍କ ନାମରେ ଜାରି ଡେଥ୍ ୱାରେଣ୍ଟ  ଉପରେ ସ୍ଥଗିତାଦେଶ ଜାରି କରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଇଛନ୍ତି।  ଫେବ୍ରୁଆରି ୧ ତାରିଖରେ ଫାଶୀ ଲାଗି ଜାରି ହୋଇଥିବା ‘ଡେଥ୍ ୱାରେଣ୍ଟ’କୁ ଖାରଜ କରିଛନ୍ତି ଟ୍ରାଏଲ୍ କୋର୍ଟ। ଫଳରେ ଦୋଷୀ ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତାଙ୍କ ଫାଶୀ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ରହିଛି।

ସମ୍ବନ୍ଧିତ ଖବର