ଡେଥ୍‌ ୱାରେଣ୍ଟ୍‌ ଦାବି କରି କୋର୍ଟରେ କାନ୍ଦିଲେ ନିର୍ଭୟାଙ୍କ ମା’

ଆଜି ସ୍ଥିର ହୋଇପାରେ ନୂଆ ଫାଶୀ ତାରିଖ

ନୂଆଦିଲ୍ଲୀ : ନିର୍ଭୟାଙ୍କ ମା’ ଆଶାଦେବୀ ମୃତ୍ୟୁଦଣ୍ଡ ପାଇଥିବା ୪ ଦୋଷୀଙ୍କୁ ତୁରନ୍ତ ଫାଶୀରେ ଚଢ଼ାଇବା ପାଇଁ ନୂଆ ଡେଥ୍‌ ୱାରେଣ୍ଟ୍‌ ଦାବି କରି ଆଜି ପଟିଆଲା ହାଉସ୍‌ କୋର୍ଟରେ କାନ୍ଦି ପକାଇଥିଲେ। ନିର୍ଭୟାଙ୍କ ମା’ ବିଚାରପତିଙ୍କୁ କହିଥିଲେ- ମୁଁ ନ୍ୟାୟ ପାଇଁ ୭ ବର୍ଷ ହେଲା ଅପେକ୍ଷା କରିଛି, ମୁଁ ହାତ ଯୋଡ଼ି ଆପଣଙ୍କୁ ନିବେଦନ କରୁଛି ଯେ ଦୋଷୀଙ୍କ ବିରୋଧରେ ନୂଆ ଡେଥ୍‌ ୱାରେଣ୍ଟ୍‌ ଜାରି କରାଯାଉ। ଏହା କହିବା ସହ ଆଶାଦେବୀ ନିଜକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ କୋର୍ଟରୁମ୍‌ରେ କାନ୍ଦି ପକାଇଥିଲେ। ନୂଆ ଡେଥ୍‌ ୱାରେଣ୍ଟ ଜାରି ନେଇ ଆଦି ଅଦାଲତ ନିର୍ଭୟାଙ୍କ ମାତା-ପିତା, ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଆସନ୍ତାକାଲି ଏହି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଦୋଷୀମାନେ ଗୋଟିଏ ସପ୍ତାହ ମଧ୍ୟରେ ସେମାନଙ୍କ ସମସ୍ତ ନ୍ୟାୟିକ ବିକଳ୍ପର ସୁଯୋଗ ନେବାକୁ ସମୟସୀମା ଧାର୍ଯ୍ୟ କରିଥିବାରୁ କୋର୍ଟ ଏହାକୁ ମଧ୍ୟ ଗୁରୁତ୍ବର ସହ ନେଇଛନ୍ତି। ତେବେ ଡେଥ୍‌ ୱାରେଣ୍ଟ ଜାରି ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଆଜି ଅଦାଲତ ବାହାରେ ମଧ୍ୟ ନିର୍ଭୟାଙ୍କ ମା’ ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ନ୍ୟାୟ ଦାବି କରି ସ୍ଲୋଗାନ ଦେଇଥିଲେ।

ସମ୍ବନ୍ଧିତ ଖବର