ଦୋଷୀମାନେ ଆଇନ୍‌ ସହ ଖେଳୁଛନ୍ତି, ଜଣକ ପରେ ଜଣକୁ ଫାଶୀରେ ଝୁଲାଯାଉ: ନିର୍ଭୟାଙ୍କ ମାଆ

ନୂଆଦିଲ୍ଳୀ: ୨୦୧୨ ମସିହାର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଘୋଷଣା ହୋଇ ସାରିଥିଲେ ବି ଜଣେ ପରେ ଜଣେ ପୁନର୍ବିଚାର ପାଇଁ ଆବେଦନ କରି ତାରିଖ ଘୁଞ୍ଚାଇ ଚାଲିଛନ୍ତି। ଜାନୁଆରି ୨୨ ତାରିଖରେ ସେମାନଙ୍କୁ ଫାଶୀରେ ଝୁଲାଇବା ପାଇଁ ସ୍ଥିର ହୋଇଥିବା ବେଳେ ପୁଣି ଥରେ ଅଦାଲତ ତାରିଖ ଘୁଞ୍ଚାଇ ଫେବ୍ରୁଆରି ୧ରେ ଫାଶୀ ଦେବାକୁ ‌ଘୋଷଣା କରିଛନ୍ତି। ଦୋଷୀମାନଙ୍କୁ ଫାଶୀ ହେବାରେ ବିଳମ୍ବ ହେଉଥିବା କାରଣରୁ ବିବ୍ରତ ହୋଇ ପଡ଼ିଲେଣି ନିର୍ଭୟାଙ୍କ ମାଆ ଆଶାଦେବୀ। ତାଙ୍କ ଝିଅକୁ ନ୍ୟାୟ ଦେବା ପାଇଁ ଦୀର୍ଘ ୮ ବର୍ଷର ସଂଘର୍ଷ ପରେ ବି ଦୋଷୀମାନଙ୍କୁ ଜୀବିତ ଅବସ୍ଥାରେ ସେ ଆଉ ଦେଖିବାକୁ ଚାହାନ୍ତି ନାହିଁ ବୋଲି ପୂର୍ବରୁ ଅନେକ ଥର ଗଣମାଧ୍ୟମରେ ପ୍ରକାଶ କରି ସାରିଛନ୍ତି। ନିକଟରେ ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ‘ଯଦି ସମସ୍ତଙ୍କୁ ଏକା ସାଙ୍ଗରେ ଫାଶୀ ଦେବାରେ ସମସ୍ୟା ଉପୁଜୁଛି ତେବେ ଜଣକ ପରେ ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଉ। ସେମାନେ ବି ଜାଣନ୍ତୁ ଆଇନ୍‌ ସହ ବାରମ୍ବାର ଖେଳିବାର ପରିଣାମ କ’ଣ ହୋଇପାରେ।’

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପୱନ କୁମାର ଗୁପ୍ତାର ସ୍ବତନ୍ତ୍ର ଲିଭ ପିଟିସନକୁ ସୁପ୍ରିମ୍‌କୋର୍ଟ ଖାରଜ କରିବା ପରେ ଆଶା ଦେବୀ ଏପରି ବୟାନ ରଖିଛନ୍ତିି। ଫାଶୀକୁ ଘୁଞ୍ଚାଇବା ପାଇଁ ଦୋଷୀମାନଙ୍କର ଏହା ଏକ ଚତୁରତା ବୋଲି ମଧ୍ୟ ସେ ମତ ରଖିଛନ୍ତି। ଫେବ୍ରଆରି ୧ରେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାର ଦେଖିବା ପରେ ଯାଇ ସେ ଶାନ୍ତ ହେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର