ନିର୍ଭୟା ମାମଲା: ପୁଣି ଫାଶୀଦଣ୍ଡକୁ ବିଳମ୍ବିତ କରାଇବା ପାଇଁ ନୂଆ ଚାଲ; ଦୋଷୀ ବିନୟ ଶର୍ମା ଏବେ ‘ସିଜୋଫ୍ରନିଆ’ରେ ପୀଡ଼ିତ ବୋଲି ଅଦାଲତଙ୍କୁ କହିଲେ ଓକିଲ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ୪ ଦୋଷୀ ପୁଣିଥରେ ସେମାନଙ୍କ ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରିତାକୁ ବିଳମ୍ବିତ କରାଇବା ପାଇଁ ଆରମ୍ଭ କରି ଦେଇଛନ୍ତି ଯୋଜନାବଦ୍ଧ ଚାଲ। ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ବିନୟ କୁମାର ଶର୍ମାର ଓକିଲ ଏପି ସିଂହ ଦିଲ୍ଲୀର ଏକ ଅଦାଲତରେ ଆବେଦନ କରି କହିଛନ୍ତି ଯେ ବିନୟ ଶର୍ମା ଏବେ ନିଜର ମାନସିକ ଭାରସାମ୍ୟ ହରାଇ ‘ସିଜୋଫ୍ରନିଆ’ ନାମକ ଏକ ମାନସିକ ରୋଗର ଶିକାର ହୋଇଛି। ଏପରିକି ସେ ତା’ ନିଜ ମା’କୁ ଚିହ୍ନିବାକୁ ସୁଦ୍ଧା ଅସମର୍ଥ। ତେଣୁ, ଏପରିସ୍ଥିତିରେ ତା’ ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଉ ବୋଲି ସେ ଅଦାଲତଙ୍କୁ କହିଛନ୍ତି।
ଦୋଷୀ ବିନୟ କୁମାର ଶର୍ମାର ଓକିଲ ଏପି ସିଂହଙ୍କ ଠାରୁ ଏ ଆବେଦନ ପାଇଲା ପରେ ଦିଲ୍ଲୀର ଅତିରିକ୍ତ ଦୌରାଜଜ୍‌ ଧର୍ମେନ୍ଦ୍ର ରଣା ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିବା ସହ ଏ ସଂପର୍କରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ବିରୋଧରେ ଗତ ୧୭ ତାରିଖରେ ଦିଲ୍ଲୀର ପାତିଆଲା ହାଉସ୍‌ ଅଦାଲତ ନୂତନ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଜାରି କରିଥିଲେ। ଅଦାଲତଙ୍କ ପକ୍ଷରୁ ଜାରି କରା ଯାଇଥିବା ନୂତନ ‘ମୃତ୍ୟୁ ପରଓ୍ଵାନା’ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀରେ ଝୁଲାଇବା ପାଇଁ ଦିଲ୍ଲୀ ପାତିଆଲା ହାଉସ୍‌ ଅଦାଲତର ବିଚାରପତି ଧର୍ମେନ୍ଦ୍ର ରାଣା ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର