ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ମଙ୍ଗଳବାର ପ୍ରକାଶିତ ନ୍ୟାସନାଲ ଇଷ୍ଟିଚ୍ୟୁସନ୍ୟାନଲ ର‍୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ଵାର୍କ (ଏନ୍‌ଆଇଆର୍‌ଏଫ୍‌)ରେ ଇଣ୍ଡିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନସ୍‌(ଆଇଆଇଏସ୍‌ସି) ବେଙ୍ଗାଲୁର ପ୍ରଥମ ସ୍ଥାନ ଅଧିକାର କରିଛି। ଓଭର ଅଲ୍‌ ର‍୍ୟାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶାର ଗୌରବ ‘ଉତ୍କଳ ବିଶ୍ୱବିଦ୍ୟାଳୟ’କୁ ୧୪୭ତମ ସ୍ଥାନ ମିଳିଛି।

Advertisment

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କର ବିଜ୍ଞାନ ଭବନରେ ଏନ୍‌ଆଇଆର୍‌ଏଫ୍‌ ର‍୍ୟାଙ୍କିଙ୍ଗ ଘୋଷଣା କରିବା ଅବସରରେ କହିଛନ୍ତି, ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ତାଲିକାରେ ଆଇଆଇଟି ମାଡ୍ରାସ ରହିଥିବା ବେଳେ ମ୍ୟାନେଜମ୍ୟାଣ୍ଟ ଶିକ୍ଷା ତାଲିକାର ଶୀର୍ଷରେ ଇଣ୍ଡିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମ୍ୟାଣ୍ଟ ଅହମଦାବାଦ(ଆଇଆଇଏମ-ଏ) ରହିଛି। ସେହିପରି ମେଡିକାଲ ବର୍ଗରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ପ୍ରତିଷ୍ଠାନକୁ ଶ୍ରେଷ୍ଠ ସ୍ଥାନ ମିଳିଛି ବୋଲି ଜାଭେଡକର କହିଛନ୍ତି।

publive-image

ଏନ୍‌ଆଇଆର୍‌ଏଫ୍‌ ଓଭର ଅଲ୍‌ ର‍୍ୟାଙ୍କିଙ୍ଗ୍‌ ତାଲିକାର ୨ୟ ସ୍ଥାନରେ ଆଇଆଇଟି ମାଡ୍ରାସ, ୩ୟ ସ୍ଥାନରେ ଆଇଆଇଟି ମୁମ୍ବାଇ, ୪ର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ, ୫ମ ସ୍ଥାନରେ ଆଇଆଇଟି ଖଡ଼ଗପୁର, ୬ଷ୍ଠ ସ୍ଥାନରେ ଜେଏନ୍‌ୟୁ, ୭ମ ସ୍ଥାନରେ ଆଇଆଇଟି କାନପୁର, ୮ମ ସ୍ଥାନରେ ଆଇଆଇଟି ରୁରକି, ୯ମ ସ୍ଥାନରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆନ୍ନା ୟୁନିଭରସିଟି ଚେନ୍ନାଇକୁ ୧୦ମ ସ୍ଥାନ ମିଳିଛି। ତାଲିକାର ୧୬(ଏ) ତମ ସ୍ଥାନରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ୪୨ତମ ସ୍ଥାନରେ ଏନ୍‌ଆଇଟି ରାଉରକେଲା, ୫୧ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର, ୬୫ତମ ସ୍ଥାନରେ କିଟ୍‌ ବିଶ୍ୱବିଦ୍ୟାଳୟ, ୧୩୭ତମ ସ୍ଥାନରେ ଓୟୁଏଟିକୁ ସ୍ଥାନ ମିଳିଛି।

‘ଏନ୍‌ଆଇଆର୍‌ଏଫ୍‌’ର ପ୍ରଥମ ର‍୍ୟାଙ୍କିଙ୍ଗ ୨୦୧୬ରେ ଜାରି କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଓ ଫାର୍ମାସୀକୁ ସାମିଲ କରାଯାଇଥିଲା। ୨୦୧୭ରେ ଓଭରଅଲ କଲେଜ ବର୍ଗକୁ ଯୋଡ଼ାଯାଇଛି। ଏଥିପାଇଁ ୪୦୦୦ ପ୍ରତିଷ୍ଠାନ ଆବେଦନ କରିଥିଲେ। ଭାରତୀୟ ର‍୍ୟାଙ୍କିଙ୍ଗରେ ସାମିଲ ହେବାକୁ ଗତ ବର୍ଷ ୩,୦୦୦ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲେ।