ଏନ୍‌ଆଇଆର୍‌ଏଫ୍‌ ରୢାଙ୍କିଂ: ଆଇଆଇଟି ମାଡ୍ରାସ ଶୀର୍ଷରେ

ନୂଆଦିଲ୍ଲୀ: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ମାଡ୍ରାସ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ରୢାଙ୍କିଂ ଫ୍ରେମ୍‌ୱାର୍କ(ଏନ୍‌ଆଇଆର୍‌ଏଫ୍‌) ୨୦୨୩ରେ କ୍ରମାଗତ ୫ମ ବର୍ଷ ପାଇଁ ଶୀର୍ଷ ସ୍ଥାନ ପାଇଛି। ସେହିପରି ସର୍ବଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସ୍‌ସି), ବେଙ୍ଗାଲୁରୁ ମାନ୍ୟତା ଲାଭ କରିଛି ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ‘ଓଭରଅଲ’ କାଟେଗୋରି (ସାମଗ୍ରିକ ବର୍ଗ)ରେ ଆଇଆଇଏସ୍‌ସି ବେଙ୍ଗାଲୁରୁ ଆଇଆଇଟି ଦିଲ୍ଲୀ ତଳକୁ ଦ୍ବିତୀୟ ସ୍ଥାନ ହାସଲ କରିଛି।

ଇଂଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକ ଭିତରେ ଆଇଆଇଟି ମାଡ୍ରାସ କ୍ରମାଗତ ଅଷ୍ଟମ ବର୍ଷ ପାଇଁ ଶ୍ରେଷ୍ଠସ୍ଥାନ ବଜାୟ ରଖିପାରିଛି। ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ବମ୍ବେ ଏହି ବର୍ଗରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି। କଲେଜଗୁଡ଼ିକ ମଧ୍ୟରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ମିରାଣ୍ଡା ହାଉସ୍ ଓ ହିନ୍ଦୁ କଲେଜ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ପ୍ରେସିଡେନ୍ସି କଲେଜ, ଚେନ୍ନାଇ ତୃତୀୟ ସ୍ଥାନରେ ଅଛି। ଆଇଆଇଏସ୍‌ସି ବେଙ୍ଗାଲୁରୁ ଗବେଷଣା ପାଇଁ ଶ୍ରେଷ୍ଠ ଅନୁଷ୍ଠାନର ମାନ୍ୟତା ପାଇଛି। ନବୋଦ୍ଭାବନ ପାଇଁ ଶ୍ରେଷ୍ଠ ବିବେଚିତ ହୋଇଛି ଆଇଆଇଟି କାନପୁର। ମ୍ୟାନେଜମେଣ୍ଟ କଲେଜଗୁଡ଼ିକ ଭିତରେ ଆଇଆଇଏମ୍‌ ଅହମଦାବାଦ ଶ୍ରେଷ୍ଠ ସ୍ଥାନ ଲାଭ କରିଥିବା ବେଳେ ତା’ ତଳକୁ ରହିଛନ୍ତି ଯଥାକ୍ରମେ ଆଇଆଇଏମ୍ ବାଙ୍ଗାଲୋର ଓ ଆଇଆଇଏମ୍ କୋଝିକୋଡ଼।

ସମ୍ବନ୍ଧିତ ଖବର