ଗତ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାସୂଚକ ଅଭିନନ୍ଦନ ବାର୍ତ୍ତାଟିଏ ପୋଷ୍ଟ କଲେ। ସାଧାରଣ ଲୋକଙ୍କ ଏପରି ପୋଷ୍ଟମାନଙ୍କରେ ପ୍ରତ୍ୟୁତ୍ତରରେ କେବଳ ଅଭିନନ୍ଦନ ବାର୍ତ୍ତା ହିଁ ଲେଖାଯାଏ। ହେଲେ ରାଜନେତାମାନେ ଏପରି ସୌଭାଗ୍ୟରୁ ବଞ୍ଚିତ। ଜନ୍ମଦିନରେ ବି ନିର୍ମଳାଙ୍କୁ ଛାଡ଼ିନାହାନ୍ତି। ବେଶ୍ ଟାହିଟାପରା କରିଛନ୍ତି। ‘ମ୍ୟାଡାମ୍! ଆପଣ ଆଗ ଟମାଟୋ ଓ ପିଆଜ ଖାଇବା ଆରମ୍ଭ କରନ୍ତୁ। ତେବେ ଯାଇ ମୁଦ୍ରାସ୍ଫୀତି କମିବ’ ବୋଲି ପରାମର୍ଶ ଦିଆଯାଇଛି। ଏହି ପରାମର୍ଶର ଉତ୍ତର ଦେଇ ଜଣେ ତାଙ୍କ ସାଙ୍ଗେ ଝଟାପଟା ଲାଗିଯାଇଛନ୍ତି। ପେଟିପେଟି ପିଆଜ ଝରଣାରେ ବୁହାଇ ଦେଉଥିବା ଭିଡିଓଟିଏ ପୋଷ୍ଟ କରି କହିଛନ୍ତି, ତମ ହିମାଚଳରେ କଂଗ୍ରେସଶାସିତ ସରକାର ଚାଷୀଙ୍କୁ ପରିବହନ ଖର୍ଚ୍ଚ ନ ଦେବାରୁ ଏପରି ପରିସ୍ଥିତି ହୋଇଛି। ‘ବିଶ୍ବର ସବୁଠୁ ବଡ଼ ଜନସଂଖ୍ୟାର ଦେଶରେ ଅର୍ଥନୀତିର ଆକାର ମାତ୍ର ୩୫୦ ଲକ୍ଷ କୋଟି! ଏତେ ଅଳ୍ପ ପଇସାରେ ଏତେ ବିଶାଳ ଜନରାଶିକୁ କିପରି ଚଲାଇବ’ ବୋଲି ଆଉ ଏକ ପ୍ରଶ୍ନ ହୋଇଛି। ଆଜି ଟଙ୍କାର ମୂଲ୍ୟ ଆଉ ୨ ପଇସା ଖସି ଗୋଟିଏ ଡଲାରର ମୂଲ୍ୟ ୮୩ ଟଙ୍କା ୧୦ ପଇସା ହୋଇଥିବା ଦର୍ଶାଇଛନ୍ତି, ଯାହା କି ଟଙ୍କାର ସର୍ବକାଳୀନ ଦୁର୍ବଳ ସ୍ଥିତି। ଆପଣ ଖାଲି ଟ୍ୟାକ୍ସ ବଢ଼େଇଚାଲିଛନ୍ତି, ଅଥଚ ୫ଲକ୍ଷ ଆୟ ସୀମା ଟିକେ ବି ଘୁଞ୍ଚୁନାହିଁ! ‘ଆମକୁ ପେନ୍ସନ୍ ଦିଅ, ନହେଲେ ତୁମକୁ ଟେନ୍ସନ୍ ଦେବୁ’ ବୋଲି ଧମକ ମଧ୍ୟ ଦିଆଯାଇଛି। କିଛିଲୋକ ତାଙ୍କୁ ଦେଶର ସର୍ବକାଳୀନ ଖରାପ ଅର୍ଥମନ୍ତ୍ରୀ ବୋଲି ମଧ୍ୟ କହିଛନ୍ତି। ପ୍ରଶଂସା ବି ଅନେକ କରାଯାଇଛି ଏହି ପୂର୍ବତନ ରକ୍ଷାମନ୍ତ୍ରୀ ତଥା ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀଙ୍କୁ। ସବ୍ଜି ମଣ୍ଡିରେ ବୁଲିବୁଲି ପରିବା ଦର ସମୀକ୍ଷା କରୁଥିବାର ଏକ ଦୃଶ୍ୟର ଭିଡିଓ ମଧ୍ୟ ଅପ୍ଲୋଡ୍ କରାଯାଇଛି।
ଆତ୍ମହତ୍ୟା କରିବାକୁ ସାହସ ଲୋଡ଼ା?
ଅଭିନେତା ଓ ସାଂସଦ ଅନୁଭବ ମହାନ୍ତି ଏ ଥର ଭିନ୍ନ ପ୍ରକାରର ଏକ ପୋଷ୍ଟ କରିଛନ୍ତି। ‘ଆତ୍ମହତ୍ୟା କରିବାକୁ ହେଲେ ଅଦମ୍ୟ ସାହସ ଲୋଡ଼ା। ଅଥଚ ଆତ୍ମହତ୍ୟା କରିସାରିବା ପରେ ଏହି ସାହସ ମୂଲ୍ୟହୀନ ହୋଇଯାଏ। କେବଳ ବାପାମା’/ପରିବାର ଭୋଗିବା ଯାହା ସାର ହୁଏ। ତେଣୁ ଆସନ୍ତୁ ସଂକଳ୍ପ ନେବା, ମୃତ୍ୟୁ ଆଗରେ କଦାପି ସମର୍ପଣ କରିବାନି। ଜୀବନରେ ଯେତେ ଖରାପ ସମୟ ଆସିଲେ ବି ଲଢ଼ିବା ଓ ଜିତିବା। ମୁଁ ଭୁଲ୍ ଥିଲେ ମୋତେ ସଂଶୋଧନ କରନ୍ତୁ।’ ରାଜସ୍ଥାନର କୋଟାରେ ବିଷାଦଗ୍ରସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ଉପଲକ୍ଷ୍ୟ କରି ଅନୁଭବ ଏହି ପ୍ରସଙ୍ଗ ଉଠାଇଥାଇପାରନ୍ତି। ଅନୁଭବଙ୍କ କଥା ମାନି ତାଙ୍କୁ ସଂଶୋଧନ କରିବାକୁ ଚେଷ୍ଟା ମଧ୍ୟ କରିଛନ୍ତି ବେଶ୍ କିଛି ଲୋକ। କୁହାଯାଇଛି, ଦୟାକରି ‘ଆତ୍ମହତ୍ୟା’ ପାଇଁ ‘ସାହସ’ ଶବ୍ଦ ବ୍ୟବହାର କରନ୍ତୁ ନାହିଁ। ଲୋକେ ଏହାକୁ ଏକ ମହାନ୍ କାର୍ଯ୍ୟ ବୋଲି ଧରିନେବେ। ବରଂ ଏହା କାପୁରୁଷୋଚିତ ଅଟେ। ବିଷାଦ, ନୈତିକତା, ସାମାଜିକ ସ୍ଖଳନ.. ଏ ସବୁଥିରୁ ଜୀବନ ବଡ଼। ଜୀବନକୁ ଜିଇଁବାକୁ ଚେଷ୍ଟା କର। ଜୀବନ ଆହ୍ବାନପୂର୍ଣ୍ଣ। କିନ୍ତୁ କାଲି ଭଲ ସମୟ ନ ଆସିବ ବୋଲି କିଛି ମାନେ ନାହିଁ।
ଅନୁଭବଙ୍କୁ ସମାଲୋଚନା କରି କୁହାଯାଇଛି:- ନିଜେ ବଢ଼ିଥିବା ଦାରିଦ୍ର୍ୟରୁ ମୁକ୍ତି ପାଇ ପିଲାଏ କିପରି ସ୍ବଚ୍ଛଳ ହେବେ, ବାପାମା’ଙ୍କର ସେଇ ଆଶାଆକାଂକ୍ଷାକୁ ଅନୁଭବ ବାବୁ ଆଗ ବୁଝିବାକୁ ଚେଷ୍ଟା କରନ୍ତୁ। ଟ୍ବିଟ୍ କରିବା ସହଜ; ଅଥଚ ନିଜେ ଅନୁଭବ କରିବା କଷ୍ଟ। ଆଉ ଜଣେ ପ୍ରସ୍ତାବ ଦେଇ କହିଛନ୍ତି, ଆତ୍ମହତ୍ୟାକୁ କିପରି ରୋକାଯାଇ ପାରିବ, କିଭଳି ଯୁବସମାଜ ଏଭଳି ମାନସିକତାରୁ ଦୂରରେ ରହିପାରିବେ, ବିଫଳତାକୁ ମଧ୍ୟ ଧୈର୍ଯ୍ୟର ସହ ଗ୍ରହଣ କରିପାରିବେ, ସେଥିପାଇଁ ଏକ କର୍ମଶାଳା ମାଧ୍ୟମରେ ମନଖୋଲା କଥା ଆଲୋଚନା ହେଲେ ଭଲ ହୁଅନ୍ତା। କୌତୂହଳପ୍ରଦ, ଅଥଚ ଅର୍ଥପୂର୍ଣ୍ଣ:- ଜଣେ ଏହି ସନ୍ଦର୍ଭରେ ଏକ ହିନ୍ଦୀ ଚଳଚ୍ଚିତ୍ରରୁ ନାନା ପାଟେକରଙ୍କ ପ୍ରସିଦ୍ଧ ସଂଳାପଟିଏର କ୍ଲିପିଂକୁ ଉଦ୍ଧାର କରିଛନ୍ତି। ‘ଏସବୁ ଦେଖି ସ୍ବର୍ଗରେ ଦେବତାଙ୍କ ମୁଣ୍ଡ ମଧ୍ୟ ଲଜ୍ଜାରେ ନଇଁଯାଉଥିବ। ମୁଁ ତ ମଣିଷ ରୂପରେ ସବୁଠୁ ଶ୍ରେଷ୍ଠକଥା ଗଢ଼ିଥିଲି। ସେ ତ ପୋକ ବନିଯାଇଛି, ମାଟିରେ ରଙ୍ଗୁଛି!’
ବୁମ୍ ବୁମ୍ ବୁମ୍ରାହ; ମତ୍ କରୋ ଗୁମ୍ରାହ
ବୁମ୍ରା ପୁଣି ଫେରୁଛନ୍ତି। ଏମିତିରେ କ୍ରିକେଟ ପାଗଳ ଦେଶ ଭାରତରେ ସାମାଜିକ ଗଣମାଧ୍ୟମ ଖୁସିରେ ଉଛୁଳିବା କଥା। କାରଣ କପିଳଦେବଙ୍କ ପରେ ଯଦି କେହି ଭାରତୀୟ ବିଶ୍ବର ଶ୍ରେଷ୍ଠ ଦ୍ରୁତ ବୋଲର୍ମାନଙ୍କ ମଧ୍ୟରେ ଗଣାହେଉଥା’ନ୍ତି ସେ ହେଲେ ବୁମ୍ରା। ବେଶ୍ ଭଲ ସଫଳତା ସତ୍ତ୍ବେ ଶ୍ରୀନାଥ, ଜାହିର ଖାଁ, ଈଶାନ୍ତ ପ୍ରମୁଖଙ୍କୁ ସମକାଳୀନ ବିଶ୍ବ କ୍ରିକେଟ, ସେମାନଙ୍କ ନିଜନିଜ କ୍ୟାରିୟର୍ରେ, କେବେ ପୂରା ଶୀର୍ଷରେ ସ୍ଥାନ ଦେଇନଥିଲା। ବୁମ୍ରା ତ ଦୁଇତିନି ବର୍ଷ କାଳ ୱେଷ୍ଟଇଣ୍ଡିଜର ଦୁର୍ଦ୍ଧର୍ଷ ପେସ୍-ବୋଲର୍ କ୍ବାର୍ଟେଟ୍(ରୋବଟ୍ରସ-ହୋଲ୍ଡିଂ-ମାର୍ଶାଲ-ଗାର୍ଣ୍ଣର)ଙ୍କ ପରି ଟେଷ୍ଟ ମ୍ୟାଚ୍ରେ ୨୦ରୁ ୨୨/୨୩ ରନ୍ ହାରରେ ୱିକେଟ୍ ନେଇଆସୁଥିଲେ। ଉଭୟ ଗତି ଓ ସୁଇଙ୍ଗରେ ସେ କପିଳଙ୍କୁ ମଧ୍ୟ ଟପିଯାଇଥିବା କୁହାଯାଉଥିଲା। ସ୍ପିନର୍-ବହୁଳ ଭାରତୀୟ ବୋଲିଂକ୍ରମରେ ଏପରି ପେସ୍ ବୋଲର୍ ଭିନ୍ନ ଏକ ଉନ୍ମାଦନା ସୃଷ୍ଟି କରିଥିଲେ। ଟିମ୍ ଇଣ୍ଡିଆର ବହୁ ବିଜୟର ସୂତ୍ରଧର ହୋଇଥିଲେ। ଅଥଚ ଏପରି ଜଣେ ବିରାଟ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଯେତିକି ଖୁସି କରିବା କଥା, କରିପାରୁନାହିଁ। ଏପରିକି ଆଇସିସି ଦ୍ବାରା ଟ୍ବିଟ୍ ହୋଇଥିବା ମିମ୍ସ ମଧ୍ୟ ସାମାଜିକ ଗଣମାଧ୍ୟମରେ ବହୁତ ଉତ୍ସାହ ଭରିପାରୁ ନାହିଁ। ସେଥିରେ କିଛି ଲୋକଙ୍କ କହିବା କଥା ହେଲା, ସବୁବେଳେ ଏତେଦିନ ବାହାରେ ରହିଲେ କେମିତି ହେବ? ଆସିଲେ ସତ, ହେଲେ କେତେଦିନ ରହୁଛନ୍ତି ପୁଣି ଦେଖ! ସେ କୋଉ ମ୍ୟାକ୍ଗ୍ରା କି କୋଉ ଷ୍ଟେନ୍ ବା! ଅତି ବେଶିରେ ଦ୍ବିତୀୟ ଶ୍ରେଣୀର ଷ୍ଟାର୍କ କହିଲେ ଚଳିବ। ଆଇସିସିର ମିମ୍ସକୁ ସଂଶୋଧନ କରିବାକୁ ଯାଇ କୁହାଯାଇଛି, ‘କିଙ୍ଗ୍-ଅଫ୍-ସୁଇଙ୍ଗ୍ ନୁହନ୍ତି, ସେ ହେଉଛନ୍ତି କିଙ୍ଗ୍-ଅଫି-ୟର୍କର୍’। ତାଙ୍କୁ କିଙ୍ଗ୍-ଅଫ୍-ସିମ୍ ବୋଲିଂ କହିଲେ ବି ଚଳିବ। ବୁମ୍ରାଙ୍କୁ ନେଇ ଘଟିଥିବା ଏକ କୌତୂହଳପୂର୍ଣ୍ଣ ଘଟଣାକୁ ପୁଣି ବଖାଣିଛନ୍ତି ଜଣେ ବ୍ୟକ୍ତି। ଦୁର୍ଘଟଣା ରୋକିବା ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ରାଜସ୍ଥାନ ପୁଲିସ ୨୦୧୭ରେ ଏକ ହୋର୍ଡ଼ିଂ ଲଗେଇଥିଲା। ତାକୁ ସେତେବେଳେ ବୁମ୍ରା ନିଜେ ନାପସନ୍ଦ କରି ଟ୍ବିଟ୍ କରିଥିଲେ। ବୁମ୍ରାଙ୍କ ଏକ ନୋ-ବଲ୍ର ଫଟୋକୁ ପୋଷ୍ଟ କରି ‘ରେଖା ଅତିକ୍ରମ କଲେ ବହୁମୂଲ୍ୟ ଦେବାକୁ ପଡ଼େ’ ବୋଲି ଉକ୍ତ ହୋର୍ଡ଼ିଂ ତଳେ ଲେଖାଯାଇଥିଲା।
କଂଗ୍ରେସ ସମର୍ଥକ ଡେଇଁଲେଣି
କିଛିଦିନ ହେଲା କଂଗ୍ରେସ ପୁଣି ଗଜୁରିବା ଦେଖି ଦଳର ଜଣେ ନେତା ରସିଦ ଆଲ୍ଭି ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ସତେ ଯେମିତି ମୋଦୀ ହଟିସାରିଲେଣି ଓ କଂଗ୍ରେସ କ୍ଷମତାକୁ ଆସିଗଲାଣି! ସେ କହିଥିବା କଥାକୁ ଖବର ସଂସ୍ଥା ଏଏନ୍ଆଇ ଉଦ୍ଧାର କରି ଟ୍ବିଟ୍ କରିବା ପରେ ଆଲ୍ଭିଙ୍କୁ କଟାକ୍ଷ ଆରମ୍ଭ ହୋଇଯାଇଛି। ଆଲ୍ଭି କହିଥିଲେ, ‘‘ଏ ଥର ଆମେଥିରୁ ରାହୁଲ ଲଢ଼ିଲେ ସ୍ମୃତି ଇରାନୀ ଲୁଚିବାକୁ ବାଟ ପାଇବେନି, ଅମାନତ ହାରିବେ। ବିଜେପିବାଲା କିନ୍ତୁ ତାଙ୍କୁ ଖସିଯିବାକୁ ଦିଅନ୍ତୁ ନାହିଁ। ସେମିତି ପ୍ରିୟଙ୍କା ଭଦ୍ରା ଛିଡ଼ାହେଲେ ମୋଦୀ ବାରାଣସୀରେ ନ ଲଢ଼ି ଗୁଜରାଟ ପଳେଇବେ।’’ ବାସ୍ ତା’ପରେ ଆରମ୍ଭ ହୋଇଯାଇଛି ସାଂଘାତିକ ଟ୍ରୋଲ୍। ଛିଗୁଲେଇକି ଲେଖାଯାଇଛି, ହଁ ହଁ ଠିକ୍ କହୁଛ ଯେ, ତମେ ଅଧା କହିଛ। ରବର୍ଟ ଭଦ୍ରା ଗାନ୍ଧୀନଗରରୁ ଛିଡ଼ାହେଲେ ଅମିତ ଶାହଙ୍କ ଅମାନତ ଯିବ। ରେହାନ ଭଦ୍ରା (ପ୍ରିୟଙ୍କା-ରବର୍ଟଙ୍କ ପୁଅ) ଲକ୍ଷ୍ନୌରୁ ଛିଡ଼ାହେଲେ ରାଜନାଥ ସିଂହ ଅମାନତ ହାରିବେ। ଗୋରଖପୁରରୁ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସାମ ପିତ୍ରୋଡ଼ା ଅମାନତ ହରାଇପାରିବେ ବୋଲି ବି କହୁନ! କାଇଁ! ଏଇଟା ବି ପଚାର:- ନାଗପୁରରେ ଗଡ଼କରୀଙ୍କ ଅମାନତ ତେହେସିନ ପୁନାୱାଲା ଉଡ଼େଇପାରିବେନି କି? ଇଟାଲିରୁ ସୋନିଆ ଗାନ୍ଧି ଲଢ଼ିଲେ ମିଲୋନିଙ୍କୁ ଆରାମରେ ହରେଇଦେବେ ବୋଲି ବି କହୁନ! ତୁମେ ନିଜେ ଆମେରିକାରେ ଲଢ଼ିଲେ ବାଇଡେନଙ୍କୁ ହରେଇଦେବ ବୋଲି ବି କହିବା କ’ଣ କାହାକୁ ମନା? ‘କଂଗ୍ରେସିଆ ସବୁ କ’ଣ ପିଅ କି, ଏମିତି ମୁଙ୍ଗେରିଲାଲର ହସିନ୍ ସପ୍ନେ ଦେଖୁଛ’ ବୋଲି ବିଜେପି ସମର୍ଥକ ପ୍ରଶ୍ନ କରିଛନ୍ତି।