ପୁଣି ୨୦ ହଜାର କୋଟିର ପ୍ୟାକେଜ୍, ଅର୍ଥମନ୍ତ୍ରୀ ମାଗିଲେ ୧୨ ମାସର ବ୍ୟୟ ଯୋଜନା

ନୂଆଦିଲ୍ଲୀ : ମାନ୍ଦାବସ୍ଥା କବଳରୁ ଦେଶର ଅର୍ଥନୀତିକୁ ଉଦ୍ଧାର କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଏକ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ୨୦ ହଜାର କୋଟି ଟଙ୍କାର ବକେୟା ରାଶି ପ୍ରଦାନ କରିବାକୁ ସେ ମନ୍ତ୍ରଣାଳୟଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ନିର୍ମଳା ଆଜି ବିଭିନ୍ନ ବିଭାଗର ସଚିବ ଓ ଆର୍ଥିକ ଉପଦେଷ୍ଟାଙ୍କ ସହ ଆଲୋଚନା କରିଥିଲେ। ପରେ ମନ୍ତ୍ରୀ କହିଛନ୍ତି, ଆମେ ଚାହୁନାହୁଁ ପାଣ୍ଠି ପଡ଼ିରହୁ। ପାଣ୍ଠି ଯେଭଳି କ୍ଷେତ୍ର ସ୍ତରରେ କାର୍ଯ୍ୟକାରୀ ହେବ ତାହାକୁ ନିଶ୍ଚିତ କରିବା ଲାଗି ପ୍ରୟାସ କରାଯାଉଛି। ଯେଉଁ ଠାରେ ଲୋକମାନେ ଟଙ୍କାକୁ ଅପେକ୍ଷା କରି ରହିଛନ୍ତି ସେଠା‌ରେ ତାହା ପହଞ୍ଚିବା ଦରକାର। ପୁଞ୍ଜି ବ୍ୟୟ ପରିମାଣ ବଢ଼ାଇବାକୁ ସେ ସଚିବମାନଙ୍କୁ ନିର୍ଦେଶ ଦେଇଛନ୍ତି। ଆଗାମୀ ଚାରିଟି ତ୍ରୟମାସର ପୁଞ୍ଜି ବ୍ୟୟ ଯୋଜନା ଦାଖଲ କରିବାକୁ ସେ ସଚିବମାନଙ୍କୁ କହିଛନ୍ତି। ବ୍ୟୟ ସଚିବ ଜି ସି ମୁର୍ମୁ କହିଛନ୍ତି, ଅଧିକାଂଶ ବିଭାଗ ଚଳିତ ଆର୍ଥିକ ବର୍ଷର ୫୦%ରୁ ଅଧିକ ପୁଞ୍ଜି ବ୍ୟୟ କରିସାରିଲେଣି।

ସରକାରୀ ବିଭାଗଗୁଡ଼ିକଠାରୁ ଠିକ୍ ସମୟରେ ଦେୟ ମିଳୁନାହିଁ ବୋଲି ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମ୍ଏସ୍‌ଏମ୍ଇ)ଗୁଡ଼ିକ ବାରମ୍ବାର ଅଭିଯୋଗ କରୁଥିଲେ। ତାହାକୁ ବିଚାରକୁ ନେଇ ବକେୟା ରାଶି ତୁରନ୍ତ ପ୍ରଦାନ କରିବାକୁ ସବୁ ବିଭାଗଗୁଡ଼ିକୁ ଅର୍ଥମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଶ୍ରୀ ମୁର୍ମୁଙ୍କ ସୂଚନା ଅନୁସାରେ ଏମ୍ଏସ୍‌ଏମ୍‌ଇଗୁଡ଼ିକର ମୋଟ ୬୦ ହଜାର କୋଟି ଟଙ୍କା ବକେୟା ଥିଲା। ସେଥି ମଧ୍ୟରୁ ୪୦ ହଜାର କୋଟି ଟଙ୍କା ଦିଆଯାଇ ସାରିଛି।

ସମ୍ବନ୍ଧିତ ଖବର