କମୁଛି ନିର୍ମଳାଙ୍କ ବଜେଟ ଅଭିଭାଷଣ ସମୟ, ୪ବର୍ଷ ପରେ ଆଜି ମାତ୍ର ୯୨ମିନିଟରେ ସାରି‌ଲେ

ନୂଆଦିଲ୍ଲୀ: ୪ବର୍ଷ ପରେ ପ୍ରଥମ ଥର କମ ସମୟ ପାଇଁ ଭାଷଣ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସବୁଠାରୁ ଅଧିକ ସମୟ ଭାଷଣ ଦେଇ ନୂଆ ରେକର୍ଡ ସୃଷ୍ଟି କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କମ ସମୟ ପାଇଁ ଭାଷଣ ଦେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨ଘଣ୍ଟା ୪୨ମିନିଟ ପର୍ଯ୍ୟନ୍ତ ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଥିବା ନିର୍ମଳା ସୀତାରମଣ ଆଜି ମାତ୍ର ୯୨ମିନିଟ ୬ସେକେଣ୍ଡ ପର୍ଯ୍ୟନ୍ତ ଭାଷଣ ଦେଇଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏପର୍ଯ୍ୟନ୍ତ ଏହା ସବୁଠାରୁ କମ୍ ବଜେଟ୍ ଭାଷଣ। ଏହା ପୂର୍ବରୁ ୨୦୧୯ରେ କେନ୍ଦ୍ରୀୟ ବଜେଟ୍ ୨୦୧୯-୨୦ ଉପସ୍ଥାପନ କରି ନିର୍ମଳା ସୀତାରମଣ ୨ଘଣ୍ଟା ୧୭ମିନିଟ ଭାଷଣ ଦେଇଥିଲେ। ଏହା ପରେ ଫେବ୍ରୁଆରି ୧, ୨୦୨୦ ରେ କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧ ଉପସ୍ଥାପନ କରି ନିର୍ମଳା ସୀତାରମଣ ୨ ଘଣ୍ଟା ୪୨ ମିନିଟ୍ ପାଇଁ ବଜେଟ୍ ଭାଷଣ ଦେଇ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କର ଏହି ବଜେଟ୍ ଭାଷଣରେ ସମୁଦାୟ ୧୮ ହଜାର ୯୨୬ଶବ୍ଦ ଥିଲା। ତେବେ ବଜେଟରେ ଭାଷଣ ଦେବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ସେ ଶେଷ ୨ ପୃଷ୍ଠା ପଢ଼ିପାରିନଥିଲେ। ନହେଲେ ଏହାକୁ ଶେଷ କରିବା ପାଇଁ ଆହୁରି ଅଧିକ ସମୟ ଲାଗିଥାନ୍ତା। ଏହା ପରେ ୨୦୨୧ ମସିହାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ୧ ଘଣ୍ଟା ୫୦ ମିନିଟ୍ ପାଇଁ ବଜେଟ୍ ଭାଷଣ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଭାରତରେ ସବୁଠୁ କମ୍ ବଜେଟ୍ ଭାଷଣ ୧୯୭୭ ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ହିରୁଭାଇ ଏମ ପଟେଲଙ୍କ ଦ୍ୱାରା ଦିଆଯାଇଥିଲା। ସେ ମାତ୍ର ୮୦୦ ଶବ୍ଦର ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର