ଟଙ୍କା ଅଭାବ ହେତୁ ନିର୍ବାଚନ ଲଢ଼ିବାକୁ ମନା କରି ଦେଇଥିବା ସୀତାରମଣଙ୍କ କେତେ ସମ୍ପତ୍ତି ଅଛି ଜାଣନ୍ତୁ  

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪କୁ ନେଇ ଦେଶ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି କ୍ରମରେ ବିଜେପି (ଭାରତୀୟ ଜନତା ପାର୍ଟି) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବାଚନ ଲଢ଼ିବ‌ା ପାଇଁ ପ୍ରସ୍ତାବ ଦେଇଥିଲା କିନ୍ତୁ ଅର୍ଥମନ୍ତ୍ରୀ ଏହାକୁ ଅସ୍ବୀକାର କରିଛନ୍ତି।

ଏହାପରେ ଲୋକେ ଅର୍ଥମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କି କାହିଁକି ନିର୍ବାଚନ ଲଢ଼ିବେ ନାହିଁ। ଏହାର ଉତ୍ତର ଦେଇ ନିର୍ମଳା ସୀତାରମଣ ସ୍ପଷ୍ଟ ଭାବେ କହିଛନ୍ତି, ‘ ଲୋକସଭା ନିର୍ବାଚନ ଲଢିବା ପାଇଁ ଯେତିକି ପାଣ୍ଠି ଦରକାର। ତାହା ମୋ ପାଖରେ ନାହିଁ। ତେଣୁ ମୁଁ ଏ ପ୍ରସ୍ତବାକୁ ସ୍ବୀକାର କରି ପାରିଲି ନାହିଁ।’

ତେବେ ଆସନ୍ତୁ ଜ‌ାଣିବା ନିର୍ମଳା ସୀତାରମଣ କେତେ ସମ୍ପତ୍ତିର ମାଲିକାଣୀ….

୨୦୧୯ରେ ନିର୍ବାଚନ ଆୟୋଗଙ୍କୁ ଦେଇଥିବା ନାମାଙ୍କନ ପତ୍ରରେ ସୀତାରମଣଙ୍କ ସମ୍ପତ୍ତି ପାଖାପାଖି ୨କୋଟି ଟଙ୍କାର ଥିବା ବେଳେ ତାଙ୍କ ଉପରେ ୩୦ଲକ୍ଷ ଟଙ୍କାର ଋଣବୋଝ ବି ଥିବା ସେଥିରେ ଉଲ୍ଲେଖ ହୋଇଥିଲା।

ପିଏମଓ ୱେବସାଇଟରେ ଥିବା ସୂଚନା ଅନୁଯାୟୀ, ୨୦୨୨ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ୭,୩୫୦ଟଙ୍କା ନଗଦ ଥିବା ବେଳେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଟଙ୍କାର ମୂଲ୍ୟ ୩୫,୫୨,୬୬୬ଟଙ୍କା ରହିଥିଲା।  ଏଥିସହିତ ସୀତାରମଣ ପିପିଏଫ ପାଇଁ ୧,୫୯,୭୬୩ଟଙ୍କା ଓ ମିଚ୍ୟୁଆଲ ଫଣ୍ଡ ପାଇଁ ୫,୮୦.୪୨୪ଟଙ୍କା ନିବେଶ କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ପାଖରେ କୌଣସି ବିମା ନାହିଁ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୀତାରମଣଙ୍କ ପାଖରେ କୌଣସି ଗାଡ଼ି ନାହିଁ। ୨୮,୨୦୦ଟଙ୍କାର ଏକ ବଜାଜ ଚେତକ ସ୍କୁଟର ତାଙ୍କର ନାମରେ ଅଛି।  ୨୦୨୨ କଥା କହିଲେ ସୀତାରମଣଙ୍କ ପାଖରେ ୧୮,୪୬,୯୮୭ଟଙ୍କାର ଅଳଙ୍କାର ଥିଲା। ଏଥିରେ ପାଖାପାଖି ୩୧୫ଗ୍ରାମ ସୁନା ରହିଥିଲା।

ସୀତାରମଣଙ୍କ ପାଖରେ ହାଇଦ୍ରାବାଦରେ ୧,୭୦,୫୧,୪୦୦ଟଙ୍କା ମୂଲ୍ୟର ଏକ ଘର ଥିବା ବେଳେ ତାଙ୍କ ନାମରେ ୧୯ବର୍ଷର ଏକ ହେମଲୋନ ବି ଅଛି।

 

ସମ୍ବନ୍ଧିତ ଖବର