ଆଜମ୍‌ ଖାଁଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଲୋଡ଼ିଲେ ନିର୍ମଳା ସୀତାରମଣ ଏବଂ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ବିହାର ସାଂସଦ ରମା ଦେବୀଙ୍କ ବିରୋଧରେ ଏସ୍‌ପି ସଦସ୍ୟ ଆଜମ୍‌ ଖାଁ ଦେଇଥିବା ଅସଭ୍ୟ ମନ୍ତବ୍ୟ ପାଇଁ ତାଙ୍କୁ ନିନ୍ଦା କରିବା ସହ, ସେ କ୍ଷମା ମାଗନ୍ତୁ ନଚେତ ତାଙ୍କୁ ଗୃହରୁ ନିଲମ୍ବନ କରାଯାଉ ବୋଲି ଶୁକ୍ରବାର ଦିନ ସଂସଦରେ ମହିଳା ସଦସ୍ୟାମାନେ ଏକତ୍ର ସ୍ୱର ଉତ୍ତୋଳନ କରିଛନ୍ତି।

Image Source: The Asian Age

ଶୂନ୍ୟ କାଳରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ କହିଲେ ଗୁରୁବାର ଦିନ ଲୋକସଭାରେ ତିନ୍‌ ତଲାକ୍‌ ବିଲ୍‌ ସମ୍ବନ୍ଧରେ ଚାଲିଥିବା ବିତର୍କ ବେଳେ ଖାଁ ଦେଇଥିବା ମନ୍ତବ୍ୟ ସମସ୍ତ ସଂସଦର ସମସ୍ତ ସଦସ୍ୟା ଓ ସଦସ୍ୟଙ୍କ ଉପରେ କଳଙ୍କର ଛିଟା। ଆମେ ନିରବଦ୍ରଷ୍ଟା ହୋଇ ବସି ପାରିବୁ ନାହିଁ। ଆମେ ଏକତ୍ର ସ୍ୱର ଉତ୍ତୋଳନ କରି କହିବା ଯେ ଏ କଥା ଗ୍ରହଣୀୟ ନୁହେଁ।

ଖାଁଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି: ଆଜମ୍‌ ଖାଁଙ୍କ ମନ୍ତବ୍ୟ ଘୋର ନିନ୍ଦନୀୟ। ମହିଳାଙ୍କୁ ସମର୍ଥନ କରୁଥିବା ସମସ୍ତ ସଦସ୍ୟଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି। ମହିଳାଙ୍କ ସମ୍ବନ୍ଧୀୟ ମାମଲାକୁ ରାଜନୀତିକରଣ କରିବା ତାଙ୍କର ସମ୍ମାନ ନେବା ସହ ସମାନ, ଆମକୁ ଏକାଠି ହେବାକୁ ପଡ଼ିବ…।

ଇରାନୀଙ୍କୁ ସମର୍ଥ ଜଣାଇ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଲେ, ଖାଁ କ୍ଷମା ମାଗନ୍ତୁ ନଚେତ ତାଙ୍କୁ ଗୃହରୁ ନିଲମ୍ବନ କରାଯାଉ।
ରାଜନୈତିକ ମତାନ୍ତର ଏଡ଼ାଇ କେତେକ ସାଂସଦ ଆଜମ ଖାଁଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର