ଫ୍ରାନ୍ସ ଗ୍ରସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ରାଫେଲ କାରଖାନା ବୁଲି ଦେଖିଲେ

ନୂଆଦିଲ୍ଲୀ : ରାଫେଲ ବିମାନ କିଣା ବିବାଦ ମଧ୍ୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଫ୍ରାନ୍ସ ଗ୍ରସ୍ତରେ ଯାଇଛନ୍ତି । ଗୁରୁବାରଦିନ ସେ ନିଜର ଫ୍ରାନ୍ସ ପ୍ରତିପକ୍ଷ ଫ୍ଲୋରେନ୍ସ ପାର୍ଟଲିଙ୍କୁ ଭେଟି ଦୁଇଦେଶ ମଧ୍ୟରେ ଥିବା ସାମରିକ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି । ତେବେ ତାଙ୍କର ଏହି ଗ୍ରସ୍ତର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ସେ ରାଫେଲ ବିମାନ ନିର୍ମାଣ କରୁଥିବା କମ୍ପାନି ଡାସାଁର କାରଖାନା ପରିଦର୍ଶନ କରିଛନ୍ତି । ଏହି କାରଖାନାରେ ହିଁ ଭାରତ ଅର୍ଡର ଦେଇଥିବା ୩୬ଟି ରାଫେଲ ବିମାନ ନିର୍ମାଣ କରାଯାଉଛି । ତେବେ ଏହି ବିବାଦ ସମୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଫ୍ରାନ୍ସ ଗ୍ରସ୍ତକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହି ଦୁର୍ନୀତିର ପ୍ରମାଣକୁ ଘୋଡେଇବାକୁ ସେ ଫ୍ରାନ୍ସ ଗ୍ରସ୍ତରେ ଯାଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି । ଦୁଇ ଦିନ ତଳେ ଫ୍ରାନ୍ସର ଏକ ସମ୍ବାଦ ପୋର୍ଟାଲ ମିଡିଆପାର୍ଟରେ କୁହାଯାଇଥିଲା ଯେ ରାଫେଲ ଡିଲ ପାଇଁ ରିଲାଏନ୍ସ ଡିଫେନ୍ସ ସହିତ ଚୁକ୍ତି କରିବା ବାଧ୍ୟତାମୂଳକ ଥିଲା । ଏ ସଂପର୍କରେ ଏକ ସ୍ପଷ୍ଟୀକରଣ ଦେଇ ଡାସାଁ ପକ୍ଷରୁ କୁହାଯାଇଥିଲା ଯେ କମ୍ପାନି ଅଫସେଟ ଚୁକ୍ତି ପାଇଁ ରିଲାଏନ୍ସ ଡିଫେନ୍ସକୁ ବାଛିବା ନିଷ୍ପତ୍ତି ନିଜେ ନେଇଥିଲା । କେବଳ ରିଲାଏନ୍ସ ନୁହେଁ ପ୍ରାୟ ୧୦୦ଟି ଭାରତୀୟ କମ୍ପାନିଙ୍କ ସହ ଅଫସେଟ ଚୁକ୍ତି ପାଇଁ ଆଲୋଚନା ଚାଲିଛି ବୋଲି ଏହି ଫ୍ରାନ୍ସ କମ୍ପାନି କହିଛି ।

ସମ୍ବନ୍ଧିତ ଖବର