ଆର୍ଥିକ ମାନ୍ଦାସ୍ଥିତିରୁ ମୁକୁଳିବାକୁ ନିର୍ମଳାଙ୍କ ପ୍ରୟାସ : ୭୩ ହଜାର କୋଟିର ପ୍ୟାକେଜ୍‌

ଏଲ୍‌ଟିସି କ୍ୟାସ୍‌ ଭାଉଚର୍‌ ସ୍କିମ୍ ଘୋଷଣା
କର୍ମଚାରୀଙ୍କ ପାଇଁ ୧୦ ହଜାର ଟଙ୍କାର ଅଗ୍ରିମ
ରାଜ୍ୟଗୁଡ଼ିକ ପାଇଁ ୫୦ ବର୍ଷିଆ ସୁଧ ମୁକ୍ତ ଋଣ
୨୫ ହଜାର କୋଟିର ଅତିରିକ୍ତ ବ୍ୟୟବରାଦ

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ମନ୍ଥର ହୋଇପଡ଼ିଥିବା ଦେଶର ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୭୩ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏଲ୍‌ଟିସି କ୍ୟାସ୍‌ ଭାଉଚର୍‌ ସ୍କିମ୍ ଓ ୧୦ ହଜାର ଟଙ୍କିଆ ଉତ୍ସବ ଅଗ୍ରିମ ସ୍କିମ୍ ଘୋଷଣା କରାଯାଇଛି। ଏହା ବ୍ୟତୀତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଲାଗି ୩୭ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଷୟରେ ଘୋଷଣା କରାଯାଇଛି। ରାଜ୍ୟଗୁଡ଼ିକୁ ୧୨ ହଜାର କୋଟି ଟଙ୍କାର ୫୦ ବର୍ଷିଆ ଋଣ ପ୍ରଦାନ କରାଯିବ। ଏହି ଋଣ ଉପରେ ସୁଧ ଲାଗୁ ହେବ ନାହିଁ। ସଡ଼କ, ପ୍ରତିରକ୍ଷା, ପାନୀୟ ଜଳ ଯୋଗାଣ, ସହରାଞ୍ଚଳ ବିକାଶ ଓ ଦେଶ ଭିତରେ ଉତ୍ପାଦନ କରାଯାଉଥିବା ପୁଞ୍ଜି ଉପକରଣ କ୍ଷେତ୍ରର ବିକାଶ ପାଇଁ ୨୫ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ଘୋଷଣା କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ୪.୧୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ବାହା‌ରେ ଏହି ଟଙ୍କା ଦିଆଯିବ।

ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ବଢ଼ାଇବା ଲାଗି ଏଲ୍‌ଟିସି କ୍ୟାସ୍‌ବ୍ୟାକ୍ ସ୍କିମ୍ ଘୋଷଣା କରାଯାଇଛି। ଏହାର ଲାଭ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମିଳିବ। ଏହି ସ୍କିମ୍‌ରେ କର୍ମଚାରୀଙ୍କୁ ଏଲ୍‌ଟିସି ବଦଳରେ ଏକ କ୍ୟାସ୍‌ ଭାଉଚର୍‌ ମିଳିବ। ସେହି ଭାଉଚର୍‌କୁ ୨୦୨୧ ମାର୍ଚ୍ଚ ପୂର୍ବରୁ ବ୍ୟବହାର କରିବାକୁ ପଡ଼ିବ। ଏଲ୍‌ଟିସି କ୍ୟାସ୍‌ ଭାଉଚର୍‌ ବ୍ୟବହାର କରିବା ଲାଗି ଦିଶା ନିର୍ଦେଶ ମଧ୍ୟ ଜାରି କରାଯାଇଛି। ଏହି ଭାଉଚର୍‌କୁ କର୍ମଚାରୀମାନଙ୍କୁ ସେହି ସାମଗ୍ରୀ କିମ୍ବା ସେବା ଉପରେ ଖର୍ଚ୍ଚ କରିବାକୁ ପଡ଼ିବ ଯାହା ଉପରେ ୧୨ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ପରିମାଣର ଜିଏସ୍‌ଟି ଲାଗୁ କରାଯାଇଛି। ଜିଏସ୍‌ଟି ଭେଣ୍ଡର୍‌ମାନଙ୍କଠାରୁ ଜିନିଷ କିଣିବାକୁ ପଡ଼ିବ। ପେମେଣ୍ଟ୍ ଡିଜିଟାଲ୍ ମାଧ୍ୟମରେ କରିବାକୁ ହେବ। ସେହି ରାଶି କ୍ଲେମ୍ (ଦାବି) କରିବା ବେଳେ ଜିଏସ୍‌ଟି ଇନ୍‌ଭଏସ୍‌ ଦାଖଲ କରିବାକୁ ପଡ଼ିବ। ଏହି ସ୍କିମ୍‌ରେ ସରକାର ୭୫୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥି ମଧ୍ୟରୁ ୧୯୦୦ କୋଟି ଟଙ୍କା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଅଲଗା ରଖାଯାଇଛି। ବଳକା ଅର୍ଥ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ।

CNBC.com

ପ୍ୟାକେଜ୍‌ର ହିସାବ
କାହା ପାଇଁ କେତେ? ମୂଲ୍ୟ (କୋଟି ଟଙ୍କା)
ଏଲ୍‌ଟିସି କ୍ୟାସ୍‌ ଭାଉଚର୍‌ ସ୍କିମ୍ ୨୮,୦୦୦
ଉତ୍ସବ ଅଗ୍ରୀମ ସ୍କିମ୍ ୮,୦୦୦
ଅତିରିକ୍ତ ବ୍ୟୟବରାଦ ୩୭,୦୦୦
ମୋଟ : ୭୩,୦୦୦

ସେହିପରି, କେନ୍ଦ୍ର କର୍ମଚାରୀଙ୍କ ଲାଗି ଅଗ୍ରିମ ସ୍କିମ୍ ମଧ୍ୟ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ଯେକୌଣସି କର୍ମଚାରୀ ୧୦ ହଜାର ଟଙ୍କାର ଅଗ୍ରିମ ନେଇପାରିବେ। ଏହା ଉପରେ ସୁଧ ଲାଗୁ ହେବ ନାହିଁ। ଏହି ରାଶି ପ୍ରିପେଡ୍ ରୁପେ ଡେବିଟ୍ କାର୍ଡ ଜରିଆରେ ମିଳିବ। ସେହି ଟଙ୍କାକୁ ୧୦ଟି କିସ୍ତିରେ ଶୁଝିବାକୁ ପଡ଼ିବ। ଏହି ଅଗ୍ରିମ ରାଶିକୁ ମଧ୍ୟ ଡିଜିଟାଲ୍ ପେମେଣ୍ଟ୍‌ ମାଧ୍ୟମରେ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ସ୍ପଷ୍ଟ କରିଦେଇଛନ୍ତି।

କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ରାଜ୍ୟଗୁଡ଼ିକ ପାଇଁ ମଧ୍ୟ ଆଜି ୧୨ ହଜାର କୋଟି ଟଙ୍କାର ୫୦ ବର୍ଷିଆ ସୁଧ ମୁକ୍ତ ଋଣ ଘୋଷଣା କରାଯାଇଛି। ସେଥିରୁ ୧୬୦୦ କୋଟି ଟଙ୍କା ଆଠଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ୯୦୦ କୋଟି ଟଙ୍କା ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶକୁ ଦିଆଯିବ। ବଳକା ୭୫୦୦ କୋଟି ଟଙ୍କା ଅନ୍ୟ ରାଜ୍ୟଗୁଡ଼ିକୁ ପଞ୍ଚଦଶ ଅର୍ଥ ଆୟୋଗ ନିର୍ଧାରଣ କରିଥିବା ଫର୍ମୁଲା ଆଧାରରେ ଦିଆଯିବ। ଏହି ଟଙ୍କାକୁ ୨୦୨୧ ମାର୍ଚ୍ଚ ୩୧ ପୂର୍ବରୁ ରାଜ୍ୟଗୁଡ଼ିକୁ ଖର୍ଚ୍ଚ କରିବାକୁ ପଡ଼ିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ ପ୍ରତିଶତ ଅର୍ଥ ଦିଆଯିବ। ସେହି ଟଙ୍କା ସଫଳତାର ସହ ଖର୍ଚ କରିପାରିବେ ବଳକା ୫୦ ପ୍ରତିଶତ ରାଶି ଜାରି କରାଯିବ।

ଏହା ହେଉଛନ୍ତି ନିର୍ମଳାଙ୍କ ତୃତୀୟ ଆର୍ଥିକ ପ୍ୟାକେଜ୍। ଏହା ପୂର୍ବରୁ ୧.୭ ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ୍‌ ଓ ୨୦ ଲକ୍ଷ କୋଟି ଟଙ୍କାର ବ୍ୟାପକ ଆତ୍ମନିର୍ଭର ପ୍ୟାକେଜ୍‌ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର