ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଦୋଷୀ ଅକ୍ଷୟ ଠାକୁର କରିଥିବା ପୁନର୍ବିଚାର ଆବେଦନର ଶୁଣାଣି ଆସନ୍ତା ୧୭ ତାରିଖରେ ହେବ। ସୁପ୍ରିମକୋର୍ଟରେ ୩ ଜଣିଆ ଖଣ୍ଡପୀଠ ଆସନ୍ତା ୧୭ ତାରିଖରେ ଅକ୍ଷୟର ପୁନର୍ବିଚାର ଆବେଦନର ଶୁଣାଣି କରିବେ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ୪ ଜଣ ଦୋଷୀଙ୍କୁ ଫାଶୀ ଦେବା ସମୟ ପାଖେଇ ଆସୁଥିବାରୁ ଏହି ଶୁଣାଣି ଉପରେ ସମସ୍ତଙ୍କର ନଜର ରହିଛି। ଯେକୌଣସି ସମୟରେ ସେମାନଙ୍କୁ ଫାଶୀ ଦିଆଯାଇପାରେ। ତିହାର ଜେଲ୍ରେ ସମସ୍ତ ୪ ଜଣ ଦୋଷୀ ଥିବାବେଳେ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ମିଳିଥିବା ସୂଚନାନୁଯାୟୀ ଦିଲ୍ଲୀ ସ୍ଥିତ ତିହାର ଜେଲ୍କୁ ଉତ୍ତରପ୍ରଦେଶରୁ ୨ ଜଣ ଘାତକ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତରପ୍ରଦେଶରେ ଜେଲ୍ ବିଭାଗ ନିକଟକୁ ଗତ ନଭେମ୍ବର ୯ ତାରିଖରେ ତିହାର ପ୍ରଶାସନରୁ ଏକ ଚିଠି ଆସିଛି ବୋଲି ଏଡିଜି (ଜେଲ୍) ଆନନ୍ଦ କୁମାର ସା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ତିହାର ଜେଳ୍ ପ୍ରଶାସନ ଦ୍ବାରା ଯେଉଁ ଚିଠି ଦିଆଯାଇଛି ସେଥିରେ ଫାଶୀ ସଂକ୍ରାନ୍ତରେ କିଛି ଦର୍ଶାଯାଇନଥିବା ଜଣାପଡ଼ିଛି। ତିହାର ଜେଲ୍ କର୍ତ୍ତୃପକ୍ଷ ବିହାରର ଏକ ଜେଲ୍କୁ ଦଉଡ଼ି ପ୍ରସ୍ତୁତ କରିବାପାଇଁ କହିଥିବା ଜଣାପଡ଼ିଛି। କର୍ତ୍ତୃପକ୍ଷ ବକ୍ସାର ଜେଲ୍ରୁ ୧୦ଟି ନୂଆ ଦଉଡ଼ି ଅର୍ଡର କରିଛନ୍ତି। ଦୋଷୀମାନଙ୍କୁ ଏହି ଦଉଡ଼ିରେ ଫାଶୀ ଦିଆଯିବ ବୋଲି କୁହାଯାଉଛି। ୨୦୧୨ ଡିସେମ୍ବର ୧୬ ତାରିଖରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୬ ଜଣ ଦୋଷୀସାବ୍ୟସ୍ତ ହୋଇଥିଲେ। ଉକ୍ତ ୬ ଜଣ ଦୋଷୀଙ୍କ ମଧ୍ୟରୁ ରାମ ସିଂହ ତିହାର ଜେଲ୍ରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟଜଣେ ନାବାଳକ ଦୋଷୀକୁ ୩ ବର୍ଷ ପାଇଁ ଥଇଥାନ କେନ୍ଦ୍ର ପଠାଯାଇଛି। ଅନ୍ୟ ୪ ଜଣ ଦୋଷୀ ହେଲେ ପବନ ଗୁପ୍ତା, ଅକ୍ଷୟ ଠାକୁର, ମୁକେଶ ସିଂହ ଏବଂ ବିନୟ ଶର୍ମା।
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଡିସେମ୍ବର ୧୭ରେ ପୁନର୍ବିଚାର ଆବେଦନର ଶୁଣାଣି
ଫାଶୀ ପାଇଁ ଉତ୍ତରପ୍ରଦେଶରୁ ଘାତକ ଆଣିବାକୁ ପ୍ରସ୍ତୁତି
/sambad/media/post_attachments/wp-content/uploads/2019/12/qq-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)