ସାମୁଦ୍ରିକ ଝଡ଼ ‘ନିସର୍ଗ’ ମୁକାବିଲା ପ୍ରସ୍ତୁତି ଜୋରଦାର: ଏନଡିଆରଏଫର ୪୦ଟି ଟିମ୍ ନିୟୋଜିତ, ୩ ସେନାର ଉଦ୍ଧାରକାରୀ ଦଳ ତୟାର

ସାମୁଦ୍ରିକ ଝଡ଼ ‘ନିସର୍ଗ’ ମୁକାବିଲା ପ୍ରସ୍ତୁତି ସମୀକ୍ଷା ନିମନ୍ତେ ଏନସିଏମସିର ବୈଠକ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ନିସର୍ଗ’ ୩ ଜୁନ ଦ୍ୱିପ୍ରହର/ସନ୍ଧ୍ୟା ସୁଦ୍ଧା ମହାରାଷ୍ଟ୍ର ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି । ଫଳରେ ମହାରାଷ୍ଟ୍ରର ଉପକୂଳ ଜିଲ୍ଲାରେ ଘଂଟାପ୍ରତି ୧୦୦-୧୧୦ କିମି ବେଗରେ ପବନ ବହିବା ସହିତ ସ୍ଥଳବିଶେଷରେ ଏହା ଘଂଟାପ୍ରତି ୧୨୦ କିମି ପର୍ଯ୍ୟନ୍ତ ଯିବାର ଆଶଙ୍କା ରହିଛି । ଏଥିସହିତ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ଏବଂ ସମୁଦ୍ରରେ ୧-୨ ମିଟର ଉଚ୍ଚତାର ଲହଡ଼ି ଆସିବାର ଆଶଙ୍କା ରହିଛି । ସାମୁଦ୍ରିକ ଝଡ଼ର ବ୍ୟାପକ ପ୍ରଭାବ ମହାରାଷ୍ଟ୍ରର ଉପକୂଳବର୍ତୀ ଜିଲ୍ଲା ରାୟଗଡ଼, ମୁମ୍ବାଇ, ଠାଣେ ଏବଂ ପାଲଘର ସହିତ ଗୁଜରାଟର ୱଲସାଡ଼, ନବସାରୀ, ସୁରତ, ଭାବନଗର ଏବଂ ଭରୁଚ ଜିଲ୍ଲା ଓ ଡାମନ, ଦାଦରା ଓ ନଗର ହାଭେଳୀ ଉପରେ ପଡ଼ିବାର ଆଶଙ୍କା ରହିଛି ।

କ୍ୟାବିନେଟ ସଚିବ  ରାଜୀବ ଗୌବା ସାମୁଦ୍ରିକ ଝଡ଼ ‘ନିସର୍ଗ’ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସରକାର/କେନ୍ଦ୍ରଶାସିତ ପ୍ରଦେଶର ଅଧିକାରୀମାନେ ଏନସିଏମସିକୁ ନିଜ ପକ୍ଷରୁ କରିଥିବା ଆଗୁଆ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ । ସେମାନ ଏହି ଆଶ୍ୱାସନା ମଧ୍ୟ ଦେଇଥିଲେ ଯେ ଆବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ଜରୁରିକାଳୀନ ସେବା ନିମନ୍ତେ ସମସ୍ତ ପ୍ରସ୍ତୁତି କରାଯାଇଛି । ଦୂରସଂଚାର ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ଏସଏମଏସ ସୁବିଧା ଜରିଆରେ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ କ୍ଷେତ୍ରରେ ଆସୁଥିବା ଲୋକମାନଙ୍କୁ ସତର୍କ କରାଯାଉଛି । ଏଥିସହିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି ।

ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଏନଡିଆରଏଫ ପକ୍ଷରୁ ୪୦ଟି ଟିମ ନିୟୋଜିତ କରାଯାଇଛି ଏବଂ ଅତିରିକ୍ତ ଟିମଗୁଡ଼ିକୁ ମଧ୍ୟ ବିମାନ ମାର୍ଗରେ ପଠାଯାଉଛି । ସ୍ଥଳସେନା ଏବଂ ନୌସେନାର ଉଦ୍ଧାର ଏବଂ ରିଲିଫ ଦଳ ସହିତ ନୌସେନା ଏବଂ ବାୟୁସେନା ଜାହାଜ ଓ ବିମାନକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ତଟରକ୍ଷୀ ବାହିନୀର ଜାହାଜ ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀଙ୍କୁ ଆଣିବା କାର୍ଯ୍ୟ ପୂର୍ବରୁ ଆରମ୍ଭ କରିସାରିଛି ।

ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ଏହି ବୈଠକରେ  ଗୃହ, ଜାହାଜ ଚଳାଚଳ, ଶକ୍ତି, ରେଳବାଇ, ଦୂରସଂଚାର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ପରମାଣୁ ଇନ୍ଧନ, ରସାୟନ ଏବଂ ପେଟ୍ରୋ ରସାୟନ, ବେସାମରିକ ବିମାନ ଚଳାଚଳ ଓ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସମେତ ଆଇଏମଡି, ଆଇଡିଏସ, ଏନଡିଏମଏ ତଥା ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ  ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର